ପାନ୍-ଆଧାର ସଂଯୋଗ, ସମୟସୀମା ୩ ମାସ ବଢ଼ିଲା

ନୂଆଦିଲ୍ଲୀ: ଦେଶରେ ପାନ୍ ସହିତ ଆଧାର ନମ୍ବର ସଂଯୋଗର ଅବଧିକୁ ଆଉ ୩ ମାସ ବଢ଼ାଇ ଦିଆଯାଇଛି। ଚଳିତମାସ ୩୦ ତାରିଖ ସୁଦ୍ଧା ଆଧାର-ପାନ୍ ସଂଯୋଗର ଶେଷ ତାରିଖ ଥିବାବେଳେ ଆଜି ଏହାକୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଆୟକର ବିଭାଗର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ବା ସିବିଡିଟି ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି।

ଯେଉଁମାନେ ପାନ୍‌ ନମ୍ବର ସହିତ ଆଧାର ନମ୍ବରକୁ ସଂଯୋଗ କରିନାହାଁନ୍ତି ସେମାନେ ଏହାକୁ ଆୟକର ବିଭାଗର ୱେବସାଇଟ୍ କିମ୍ବା ଏସ୍‌ଏମଏସ୍‌ ମାଧ୍ୟମରେ କରିପାରିବେ। ଆଧାର ନମ୍ବର ସହିତ ପାନ୍ ନମ୍ବରକୁ ଯୋଡ଼ିବା ସମୟରେ ଲୋକଙ୍କୁ କେତେକ ବିଷୟ ପ୍ରତି ସତର୍କ ରହିବାକୁ କୁହାଯାଇଛି। ଉଭୟ ଦସ୍ତାବିଜ୍‌ରେ ସଂପୃକ୍ତ ବ୍ୟକ୍ତିଙ୍କ ନାମ, ଜନ୍ମ ତାରିଖ ଏବଂ ଲିଙ୍ଗ ସମାନ ରହିବା ଆବଶ୍ୟକ। ଉଭୟ ଦସ୍ତାବିଜ୍‌ରେ ରହିଥିବା ଗୁରୁତ୍ବପୂର୍ଣ୍ଣ ତଥ୍ୟରେ ଯଦି କିଛି ଭିନ୍ନତା ରହିଥାଏ ତାହେଲେ ଲୋକମାନେ ୟୁଆଇଡିଏଆଇ କେନ୍ଦ୍ରରେ ଆଧାର ତଥ୍ୟ ସଂଶୋଧନ ଏବଂ ୟୁଟିଆଇ-ଆଇଟିଏସଏଲ କେନ୍ଦ୍ରରେ ପାନ୍ ସମ୍ପର୍କିତ ତଥ୍ୟ ଠିକ୍ କରିପାରିବେ। ଆଧାର ସହିତ ପାନ୍ ସଂଯୋଗ ନକରିଲେ ଆସନ୍ତା ଡିସେମ୍ବର ୩୧ ପରେ ପାନ୍ ନମ୍ବରକୁ ବ୍ୟବହାର କରି ଆର୍ଥିକ କାରବାର କରିବା ସମ୍ଭବ ହେବନାହିଁ ବୋଲି କୁହାଯାଉଛି। ଆୟକର ବିଭାଗର ଇ-ଫାଇଲିଂ ୱେବସାଇଟ୍ ଅନୁଯାୟୀ ପାନ୍‌କାର୍ଡ ଥିବା ୮.୪୭ କୋଟି ଲୋକଙ୍କ ମଧ୍ୟରୁ ୬.୭୭ କୋଟି ଲୋକ ବର୍ତ୍ତମାନ ସୁଦ୍ଧା ଆଧାର-ପାନ୍‌ ସଂଯୋଗ କରିଛନ୍ତି। ଆୟକର ବିଭାଗ ପକ୍ଷରୁ ପାନ୍ ନମ୍ବରକୁ ଇଂରାଜୀର ଏ ଠାରୁ ଜେଡ୍ ପର୍ଯ୍ୟନ୍ତ ଅକ୍ଷର ଏବଂ ୦ ଠାରୁ ୯ ପର୍ଯ୍ୟନ୍ତ ସଂଖ୍ୟାକୁ ନେଇ ପ୍ରସ୍ତୁତ ହୋଇଥାଏ। ଏଥିରେ ୧୦ଟି କ୍ୟାରେକ୍ଟର (ସଂଖ୍ୟା ଓ ଅକ୍ଷର) ରହିଥାଏ। ଅନ୍ୟପକ୍ଷରେ ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଏଆଇଡିଆଇ) ୧୨ ଅଙ୍କ ବିଶିଷ୍ଟ ସଂଖ୍ୟାରେ ଆଧାର ନମ୍ବର ପ୍ରସ୍ତୁତ କରିଥାଏ।

ସମ୍ବନ୍ଧିତ ଖବର