ଚୀନ୍‌ ଛାଡ଼ୁଛନ୍ତି ଅନେକ କଂପାନି, ଭାରତ ପାଇଁ ‘ବିଶ୍ବର କାରଖାନା’ ହେବା ସୁଯୋଗ

କାରଖାନା ହଟାଉଥିବା ସଂସ୍ଥ‌ା‌, ପାନାସୋନିକ୍ ମଧ୍ୟ ଏହାର ଚୀନ୍‌ କାରଖାନାକୁ ଅନ୍ୟତ୍ର ନେବାକୁ ଚାହୁଛି

ନୂଆଦିଲ୍ଲୀ: ଚୀନ୍‌ର ‘ବିଶ୍ବ କାରଖାନା’ ମାନ୍ୟତା ଏବେ ବିପଦରେ। ଆମେରିକା ସହ ବାଣିଜ୍ୟ ଲଢ଼େଇ ସମୟରେ ଅନେକ କଂପାନି ବିଶେଷ କରି ଆମେରିକୀୟ କଂପାନିଗୁଡ଼ିକ ଚୀନ୍‌ ବାହାରକୁ ଚାଲିଯିବା ପାଇଁ ଯୋଜନା କରୁଥିଲେ। ଏବେ କରୋନାଭୂତାଣୁ ସେହି କଂପାନିଗୁଡ଼ିକର ଯୋଜନାକୁ ଆହୁରି ଶୀଘ୍ର କାର୍ଯ୍ୟକାରୀ କରିବାର ବଳିଷ୍ଠ କାରଣ ଭାବେ ଉଭା ହୋଇଛି। ଯେହେତୁ କରୋନା ଚୀନ୍‌ରୁ ସୃଷ୍ଟି ହୋଇଛି ତେଣୁ ସେଠାରୁ ନିଜର କାରଖାନା ଏବଂ ଯୋଗାଣ ଶୃଙ୍ଖଳାକୁ ଅନେକ କଂପାନି ହଟାଇ ନେବା ଉପରେ ବିଚାର କରୁଛନ୍ତି। କରୋନା ସଙ୍କଟ ଶେଷ ହେବା ପରେ ଅନେକ କଂପାନି ଚୀନ୍‌ରୁ ବିଦାୟ ନେବେ ବୋଲି ଆକଳନ କରାଯାଉଛି। ସେହିସବୁ କଂପାନିଗୁଡ଼ିକୁ ନିଜ ଦେଶକୁ ଆମନ୍ତ୍ରଣ କରିବା ଲାଗି ଭାରତ ପାଖରେ ସୁବର୍ଣ୍ଣ ସୁଯୋଗ ସୃଷ୍ଟି ହୋଇଛି। ଭାରତ ପାଖରେ ସୁଲଭ ମୂଲ୍ୟର ପର୍ଯ୍ୟାପ୍ତ ଶ୍ରମଶକ୍ତି ଥିବା ବେଳେ ଆମେରିକା ସହିତ ଏହାର ସମ୍ପର୍କ ଏବେ ବେଶ୍‌ ମଧୁର ରହିଛି। ଦ୍ବିତୀୟରେ ଭାରତରେ ଗ୍ରାହକମାନଙ୍କୁ ନେଇ ଏକ ବୃହତ ବଜାର ରହିଛି। ବିଶ୍ବର ଯେକୌଣସି କଂପାନି ଏଠାକୁ ଆସିବା ଲାଗି ମନ ବଳାଇବେ।

ଚୀନ୍‌ର ସେନ୍‌ଜେନ୍‌ ସହରରେ ଥିବା ପ୍ରିଣ୍ଟର୍‌ କାରଖାନାକୁ ଥାଇଲ୍ୟାଣ୍ଡ୍ ଉଠାଇ ନେଇଛି ‘କିରୋହ୍‌’
ନାଇକ୍‌ ଏହାର ଚୀନ୍‌ କାରଖାନାକୁ ଭିଏତନାମ୍ କିମ୍ବା ଥାଇଲ୍ୟାଣ୍ଡ୍‌ ନେବା ଉପରେ ବିଚାର କରୁଛି
ମାଜ୍‌ଦା ଏହାର ଚୀନ୍ କାରଖାନାକୁ ମେକ୍ସିକୋ ଉଠାଇ ନେଇଛି

ବିଶ୍ବର ବିଭିନ୍ନ ଦେଶରେ କାରଖାନା ସ୍ଥାପନ କରିଥିବା ଅନେକ ବଡ଼ କଂପାନି ସେମାନଙ୍କ ଚୀନ୍‌ କାରଖାନାକୁ ଭାରତ ଆଣିବା ଲାଗି ଭାରତରେ ରହିଥିବା କେତେକ କଂପାନି ସହିତ ଆଲୋଚନା ଆରମ୍ଭ କରିଛନ୍ତି। କୋଭିଡ୍‌-୧୯ ବ୍ୟାପିବା ପରେ ଏହି କଂପାନିଗୁଡ଼ିକ ଚୀନ୍‌ ଉପରେ ନିର୍ଭରଶୀଳ ରହିବାକୁ ଚାହୁନାହାନ୍ତି। ସେଥିପାଇଁ ସେମାନେ ଭାରତ ମୁହାଁ ହୋଇଛନ୍ତି। ଭାରତକୁ ନିଜର କାରଖାନା ଆଣିବାକୁ ଚାହୁଥିବା କଂପାନିଗୁଡ଼ିକ ତାଲିକାରେ ଅନେକ ଅଟୋମୋବାଇଲ୍‌ କଂପାନି ଅଛନ୍ତି। ଏହି କଂପାନିଗୁଡ଼ିକ ଚୀନ୍‌ର ଉହାନ୍‌ ଠାରେ ନିଜର କାରଖାନା ସ୍ଥାପନ କରିଥିଲେ। କରୋନାଭୂତାଣୁର ମୁକାବିଲା ଲାଗି ସେଠାରେ ଦୀର୍ଘ ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଘୋଷଣା କରାଯାଇଥିବାରୁ ଏହି କଂପାନିଗୁଡ଼ିକର କାରବାର ଗୁରୁତର ଭାବେ ପ୍ରଭାବିତ ହୋଇଛି। ଚୀନ୍‌ରେ କାରଖାନା ସ୍ଥାପନ କରିଥିବା ବହୁ କଂପାନି ଭାରତରୁ ଗାଡ଼ିରେ ବ୍ୟବହାର କରାଯାଉଥିବା ଯନ୍ତ୍ରାଂଶ ମଗାଇବାକୁ ଚାହୁଛନ୍ତି। ସେଥିପାଇଁ ସେମାନେ ଭାରତୀୟ କଂପାନିଗୁଡ଼ିକ ସହିତ ଆଲୋଚନା ଆରମ୍ଭ କରିଛନ୍ତି ବୋଲି ହିରୋ ମୋଟୋକର୍ପର ଅଧ୍ୟକ୍ଷ ପଙ୍କଜ ମୁଞ୍ଜଲ କିଛି ଦିନ ତଳେ ସୂଚନା ଦେଇଥିଲେ। ଚୀନ୍‌ରୁ ପାର୍ଟସ୍‌ ମଗାଉଥିବା ଅନେକ କଂପାନି ମଧ୍ୟ ବିକଳ୍ପ ବ୍ୟବସ୍ଥା ବିଷୟରେ ଚିନ୍ତା କରିବା ଆରମ୍ଭ କରିଛନ୍ତି। ଚୀନ୍‌ ବାହାରକୁ ଆସିବାକୁ ଚାହୁଥିବା କଂପାନିଗୁଡ଼ିକୁ ହାତେଇବାକୁ ହେଲେ ଭାରତ ସରକାରଙ୍କୁ ଲୋଭନୀୟ ପଦକ୍ଷେପ ଘୋଷଣା କରିବାକୁ ହେବ। ଚୀନ୍‌ରେ ସେମାନେ ଯେଉଁ ସୁବିଧା ପାଉନାହାନ୍ତି ଏଠାରେ ସେମାନଙ୍କୁ ସେହି ସୁବିଧା ଦେବାକୁ ହେବ। କଂପାନିଗୁଡ଼ିକ ପାଇଁ ନୂଆ କାରଖାନା ସ୍ଥାପନ କରିବା ଏକ ଜଟିଳ ନିଷ୍ପତ୍ତି। ବହୁତ ବିଚାର କରିବା ପରେ ଏହି ନିଷ୍ପତ୍ତି ନିଆଯାଏ। ଥରେ କାରଖାନା ସ୍ଥାପନ ହୋଇଗଲେ ତାହାକୁ ଦୀର୍ଘବର୍ଷ ପର୍ଯ୍ୟନ୍ତ ହଟାଇବା ସମ୍ଭବ ହୁଏ ନାହିଁ। ବିପୁଳ ପରିମାଣର ପୁଞ୍ଜିନିବେଶ କରିବାକୁ ପଡ଼େ। ତେଣୁ ଯେଉଁଠାରେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ କାରଖାନା ସୁରୁଖୁରୁରେ ଚାଲିପାରିବ ସେହି ଦେଶଗୁଡ଼ିକରେ କାରଖାନା ସ୍ଥାପନ କରିବା ଲାଗି କଂପାନିଗୁଡ଼ିକ ପ୍ରଧାନ୍ୟ ଦେଇଥାନ୍ତି। ଏହି ନିଷ୍ପତ୍ତି ନେବାରେ ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ କୁଶଳୀ ଏବଂ ଅଣକୁଶଳୀ ଶ୍ରମିକମାନଙ୍କ ଉପଲବ୍ଧତା। ଯେଉଁଠାରେ ସେତେ ସୁଲଭ ଦରରେ ଶ୍ରମିକ ମିଳିଲେ କଂପାନିଗୁଡ଼ିକ ଲାଗି ଉତ୍ପାଦ ଦାମ୍ କମ୍ ରଖିବା ସେତେ ସହଜ ହୋଇଥାଏ।

ଚୀନ୍‌ରେ ଥିବା କାରଖାନାଗୁଡ଼ିକୁ ଅନ୍ୟତ୍ର ନେବା ଲାଗି ଜାପାନର କଂପାନିଗୁଡ଼ିକୁ ସହାୟତା ପ୍ରଦାନ କରିବା ଲାଗି ସେଠାକାର ସରକାର ନିକଟରେ ୨୨୦ କୋଟି ଡଲାରର ପ୍ୟାକେଜ୍ ଘୋଷଣା କରିଥିଲେ। ଜାପାନ ଓ ଦକ୍ଷିଣ କୋରିଆର କଂପାନିଗୁଡ଼ିକ ଭାରତରେ ସେମାନଙ୍କ କାରଖାନା ସ୍ଥାପନ କରିବା ଉପରେ ବିଚାର କରୁଛନ୍ତି। ଇଲେକ୍ଟ୍ରୋନିକ୍ସ ଉତ୍ପାଦ ନିର୍ମାଣ କରୁଥିବା କଂପାନିଗୁଡ଼ିକୁ ଆକୃଷ୍ଟ କରିବା ଲାଗି ଭାରତ ସରକାର ଚଳିତ ବର୍ଷ ମାର୍ଚ୍ଚ ମାସରେ ୪୦ ହଜାର କୋଟି ଟଙ୍କାର ଯୋଜନା ଘୋଷଣା କରିଛନ୍ତି। ଏହା ନିଶ୍ଚିତ ରୂପେ ଚୀନ୍‌ରୁ ବାହାରକୁ ଯିବାକୁ ଚାହୁଥିବା କଂପାନିଗୁଡ଼ିକୁ ଭାରତ ଆସିବା ଲାଗି ବାଧ୍ୟ କରିବ। ଇତି ମଧ୍ୟରେ ଆମେରିକାର ମେଡିକାଲ୍ ଉପକରଣ ନିର୍ମାତା ଟେଲିଡାଇନ୍, ଆମ୍ଫେନଲ୍‌ ଓ ଜନ୍‌ସନ୍ ଆଣ୍ଡ୍‌ ଜନ୍‌ସନ୍ ଭାରତରେ କାରଖାନା ସ୍ଥାପନ କରିବା ଲାଗି ଆଗ୍ରହ ପ୍ରକାଶ କରିଥିଲେ। ଚୀନ୍‌ରୁ ଆସୁଥିବା କଂପାନିଗୁଡ଼ିକ ସୁଲଭ ମୂଲ୍ୟର ଶ୍ରମ ଶକ୍ତି ଉପଲବ୍ଧ ହେଉଥିବା ଦେଶ ଯଥା ଥାଇଲ୍ୟାଣ୍ଡ୍‌, ବାଲାଂଦେଶ, ଭିଏତନାମ୍ ଓ ଫିଲିପାଇନ୍ସ ପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି। ଭାରତକୁ ଏବେ ସେହି ଦେଶଗୁଡ଼ିକ ଭଳି ସୁଯୋଗ ସୃଷ୍ଟି କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର