ପ୍ୟାନେଲ୍‌ ଦାମ୍ ବୃଦ୍ଧି, ଟିଭି ମୂଲ୍ୟ ବଢ଼ିବ

ନୂଆଦିଲ୍ଲୀ: ଆସନ୍ତାମାସରୁ ଦେଶରେ ଏଲ୍‌ଇଡି ଟିଭି ଦାମ୍‌ ମହଙ୍ଗା ହୋଇପାରେ। ଅନ୍ତର୍ଜାତୀୟ ବଜାରରେ ଟିଭି ନିର୍ମାଣରେ ବ୍ୟବହୃତ ଉପକରଣ ଓପନ-ସେଲ୍‌ ପ୍ୟାନେଲ୍‌ ଦାମ ଗତ ମାସକ ମଧ୍ୟରେ ୩୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବାରୁ ଏଭଳି ଆଶଙ୍କା କରାଯାଉଛି। ପାନାସୋନିକ୍‌, ହାୟର ଓ ଥମସନ୍‌ ଭଳି ବ୍ରାଣ୍ଡ୍‌ ଆସନ୍ତାମାସରୁ ଟିଭି ଦାମ୍ ବଢ଼ାଇବା ଉପରେ ବିଚାର କରୁଛନ୍ତି। ତେବେ ଏଲ୍‌ଜି ଭଳି କେତେକ କମ୍ପାନି ପୂର୍ବରୁ ଦାମ୍ ବଢ଼ାଇ ସାରିଛନ୍ତି ଏପ୍ରିଲରେ ଏହାର ଦର ବୃଦ୍ଧି ଯୋଜନା ନାହିଁ ବୋଲି ଜଣାଯାଇଛି। ପାନାସୋନିକ୍ ଇଣ୍ଡିଆ ତଥା ସାଉଥ୍‌ ଏସିଆର ସଭାପତି ତଥା ସିଇଓ ମନିଷ୍‌ ଶର୍ମା କହିଛନ୍ତି, ପ୍ୟାନେଲ ଦର ନିରବଚ୍ଛିନ୍ନ ଭାବେ ବୃଦ୍ଧି ପାଉଛି। ତେଣୁ ଟିଭି ଦାମ୍ ମଧ୍ୟ ବଢ଼ୁଛି। ଏପ୍ରିଲ ସୁଦ୍ଧା ଟିଭି ଦର ପୁଣି ବୃଦ୍ଧି ପାଇପାରେ ବୋଲି ସେ କହିଛନ୍ତି। ଦରରେ ୫ରୁ ୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିପାରେ ବୋଲି ସେ ମତ ଦେଇଛନ୍ତି।

Good Housekeeping

ହୟାର ଆପ୍ଲାଏନ୍‌ସେସ୍ ଇଣ୍ଡିଆର ସଭାପତି ଏରିକ୍ ବ୍ରାଗାଞ୍ଜା ମଧ୍ୟ ସମାନ ମତ ପୋଷଣ କରିଛନ୍ତି। ମୂଲ୍ୟବୃଦ୍ଧି କରିବା ଛଡ଼ା ଅନ୍ୟ କିଛି ଉପାୟ ନାହିଁ ବୋଲି ସେ କହିଛନ୍ତି। ଓପନ-ସେଲ୍‌ର ଦାମ ବହୁ ଅଧିକ ମାତ୍ରାରେ ବଢ଼ିଛି ଏବଂ ଯାହା ଜଣାପଡ଼ୁଛି ଏହି ବୃଦ୍ଧି ଧାରା ଜାରି ରହିବ। ଯଦି ଏହା ଜାରି ରହେ ତା’ହେଲେ ଆମକୁ ମଧ୍ୟ ଟିଭି ମୂଲ୍ୟ ବୃଦ୍ଧି ଧାରା ଜାରି ରଖିବାକୁ ହେବ ବୋଲି ବ୍ରାଗାଞ୍ଜା କହିଛନ୍ତି।ଟିଭି ପ୍ରସ୍ତୁତିରେ ଓପନ-ସେଲ୍ ଏକ ଗୁରୁତ୍ବପୂର୍ଣ୍ଣ ଉପକରଣ। କମ୍ପାନି ଗୁଡ଼ିକ ଏହାକୁ ଆମଦାନି କରିଥାନ୍ତି। ସେଥିରେ ମୂଲ୍ୟଯୋଗ କରିବା ପରେ ପ୍ରସ୍ତୁତ ହେଉଥିବା ଟିଭିକୁ ବଜାରରେ ବିକ୍ରି କରାଯାଇଥାଏ। ଆସନ୍ତା ଏପ୍ରିଲରୁ ଟିଭି ପିଛା ମୂଲ୍ୟ ୨ ହଜାର ଟଙ୍କାରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଏସପିପିଏଲ୍‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବନୀତ ସିଂହ ମାର୍‌ୱା କହିଛନ୍ତି।

ସମ୍ବନ୍ଧିତ ଖବର