ପିସିପିଆଇଆର୍‌ ନୀତିକୁ ଅଧିକ ଆକର୍ଷଣୀୟ କରିବ କେନ୍ଦ୍ର

ପାରାଦୀପ ହେବ ଦେଶର ଏକ ପ୍ରମୁଖ ନିବେଶ ସ୍ଥଳ

ଭୁବନେଶ୍ୱର: ପେଟ୍ରୋଲିୟମ୍‌, କେମିକାଲ୍‌ ଆଣ୍ଡ ପେଟ୍ରୋକେମିକାଲ୍ସ ନିବେଶ ଅଞ୍ଚଳ (ପିସିପିଆଇଆର୍‌) ନୀତିରେ ଆବଶ୍ୟକ ସଂଶୋଧନ ଆଣିବାକୁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି। ଖୁବ୍‌ଶୀଘ୍ର ରାସାୟନିକ ଓ ସାର ମନ୍ତ୍ରଣାଳୟ ଓ ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହେବ। ସେଥିରେ ଭବିଷ୍ୟତ ଯୋଜନା ଉପରେ ବିସ୍ତତ ଆଲୋଚନା ହେବ। ପିସିପିଆଇଆର୍‌ ନୀତିକୁ ନିବେଶକମାନଙ୍କ ପାଇଁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ଯାହା ସବୁ ବ୍ୟବସ୍ଥା କରାଯିବା ଦରକାର ସେହି ନିଷ୍ପତ୍ତି ଗ୍ରହଣ କରାଯିବ। ସଂଶୋଧିତ ନୀତିକୁ ଯଥାଶୀଘ୍ର କ୍ୟାବିନେଟ୍‌ ବୈଠକରେ ଉପସ୍ଥାପନ କରିବାକୁ ପ୍ରୟାସ କରାଯିବ ବୋଲି କେନ୍ଦ୍ର ରାସାୟନିକ ଓ ସାର ବିଭାଗର ସଚିବ ପି ରାଘବେନ୍ଦ୍ର ରାଓ କହିଛନ୍ତି।

ଏଠାରେ ଫିକି ପକ୍ଷରୁ ଆୟୋଜିତ ଶିଳ୍ପ ସମ୍ମିଳନୀରେ ଅତିଥି ଭାବେ ଯୋଗ ଦେଇ ସେ କହିଲେ, ଦେଶର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ରାସାୟନିକ ଓ ପେଟ୍ରୋକେମିକାଲ୍ସ ଶିଳ୍ପର ୧୬% ସଂସ୍ଥା ରହିଛି। କିନ୍ତୁ ଏହି ଅଞ୍ଚଳରେ ମୁଣ୍ଡପିଛା ଉତ୍ପାଦ ବ୍ୟବହାର ପରିମାଣ ଏବେ ବି ନିମ୍ନ ସ୍ତରରେ ରହିଛି। ପାରାଦୀପ ପିସିପିଆଇଆର୍‌ ସେଥିରେ ଉନ୍ନତି ଆଣିବାରେ ବିଶେଷ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। ଏହି ଅବସରରେ ରାଜ୍ୟ ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି ଯେ, ପିସିପିଆଇଆର୍‌କୁ ଅଧିକ ଆକର୍ଷଣୀୟ କରିବା ପାଇଁ ରାଜ୍ୟ ସରକାର ଅନେକ ସୁବିଧା ଓ ସବ୍‌ସିଡି ପ୍ରଦାନ କରୁଛନ୍ତି। ଆସନ୍ତା ଦୁଇ ମାସ ମଧ୍ୟରେ ପିସିପିଆଇଆର୍‌ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ ଓ ନିର୍ମାଣଧୀନ ଥିବା ପଲିପ୍ରୋପେଲିନ୍‌ କାରଖାନା ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହୋଇଯିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଆଗାମୀ ୧୦-୧୫ ବର୍ଷ ଭିତରେ ପାରାଦୀପ ଦେଶର ଏକ ପ୍ରମୁଖ ନିବେଶ ସ୍ଥଳ ଭାବେ ଉଭା ହେବାକୁ ଯାଉଛି ବୋଲି ସେ କହିଛନ୍ତି। ଏହି ଅବସରରେ ଇଡ୍‌କୋ ସିଏମ୍‌ଡି ସଞ୍ଜୟ କୁମାର ସିଂହ, ଏଚପିସିଏଲ୍‌-ମିତ୍ତଲ ଏନର୍ଜି ଲିମିଟେଡ୍‌ର ଭିପି-ମାର୍କେଟିଂ ଏଚ୍‌ କେ ରାଜୋରା ଓ ଏଚ୍‌ଆଇଏଲ୍‌ର ସିଏମ୍‌ଡି ଏସ୍‌ ପି ମହାନ୍ତି ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଅକ୍ଟୋବର ୪-୬ ପର୍ଯ୍ୟନ୍ତ ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ଇଣ୍ଡିଆ କେମ୍‌-୨୦୧୮ ସମ୍ମିଳନୀ ପାଇଁ ଏହି ଶିଳ୍ପ ସମ୍ମିଳନୀ ଆୟୋଜନ କରାଯାଇଥିଲା।

ସମ୍ବନ୍ଧିତ ଖବର