ଭୁବନେଶ୍ବର: ରାଜ୍ୟରେ ବିଦ୍ୟୁତ୍‌ ବିତରଣ ସେବା ପ୍ରଦାନ କରୁଥିବା ଟାଟା ଗ୍ରୁପ୍‌ର କମ୍ପାନି ଟାଟା ପାୱାର ଖୁବ୍‌ଶୀଘ୍ର ଏକ ବିଦ୍ୟୁତ୍‌ ସଞ୍ଚାରଣ ପ୍ରକଳ୍ପ ଅଧିଗ୍ରହଣ କରିବାକୁ ଯାଉଛି। ରାଷ୍ଟ୍ରାୟତ୍ତ ସଂସ୍ଥା ପାୱାର ଫାଇନାନ୍ସ କର୍ପୋରେସନ୍ (ପିଏଫ୍‌ସି)ର ସହାୟକ ସଂସ୍ଥା ପିଏଫ୍‌ସି କନ୍‌ସଲ୍‌ଟିଂ ସ୍ଥାପନ କରିଥିବା ଏକ ପ୍ରକଳ୍ପଭିତ୍ତିକ ସ୍ପେସିଆଲ୍‌ ପର୍‌ପସ୍‌ ଭେଇକିଲ୍‌ (ଏସ୍‌ପିଭି) ‘ପାରାଦୀପ ଟ୍ରାନ୍ସମିସନ ଲିମିଟେଡ୍‌’କୁ ଏହା ଅଧିଗ୍ରହଣ କରିବ। ସେଥିପାଇଁ କମ୍ପାନି ଲେଟର୍‌ ଅଫ୍‌ ଇଣ୍ଟେଣ୍ଟ (ଏଲ୍‌ଓଆଇ) ହାସଲ କରିଛି। ଏହାକୁ ଅଧିଗ୍ରହଣ କରିବାର ଦୁଇ ବର୍ଷ ମଧ୍ୟରେ ବାଣିଜ୍ୟିକ ପରିଚାଳନା ଆରମ୍ଭ କରାଯିବ ବୋଲି ଟାଟା ପାୱାର ପକ୍ଷରୁ କୁହାଯାଇଛି।

Advertisment

ଏହି ଏସ୍‌ପିଭି ୩୫ ବର୍ଷ ପାଇଁ ବିଦ୍ୟୁତ ସଞ୍ଚାରଣ ସେବା ପ୍ରଦାନ କରିବ। ଏହା ପାରାଦୀପରେ ୧୫୦୦ ଏମ୍‌ଭିଏର ଦୁଇଟି, ୭୬୫/୪୦୦ କେଭିର ଜିଆଇଏସ୍‌ ସବ୍‌ଷ୍ଟେସନ୍ ସ୍ଥାପନ କରିବ। ପିଜିସିଆ‌ଇଏଲ୍‌ର ଅନୁଗୁଳରେ ଥିବା ସବ୍‌ଷ୍ଟେସନଠାରୁ ୧୯୦ କିଲୋମିଟରର ୭୬୫ କେଭି ଡବଲ୍‌ ସର୍କିଟ୍ ସଞ୍ଚାରଣ ତାରକୁ ଏହା ପାରାଦୀପର ପ୍ରସ୍ତାବିତ ୭୬୫ କେଭି ଜିଆଇଏସ୍‌ ସବ୍‌ଷ୍ଟେସନ ସହ ଯୋଡ଼ିବ। ସେହିପରି ପାରାଦୀପରେ ଥିବା ଓପିଟିସିଏଲ୍‌ର ସବ୍‌ଷ୍ଟେସନଠାରୁ ୧୨ କିମିର ୪୦୦ କେଭି ତାରକୁ ପାରାଦୀପରେ ହେବାକୁ ଥିବା ୭୬୫ କେଭି ଜିଆଇଏସ୍‌ ସ‌ବ୍‌ଷ୍ଟେସନ୍ ସହ ଯୋଡ଼ିବ। ଏହି ପ୍ରକଳ୍ପ ପାଇଁ ବାର୍ଷିକ ସଞ୍ଚାରଣ ଚାର୍ଜ ୨୫୬.୧୮ କୋଟି ଟଙ୍କା ରହିଛି ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି। କମ୍ପାନି ଏହାର ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣାରେ ଓଡ଼ିଶାରେ ହାସଲ କରିଥିବା ୩୮୪ ସିକେଏମ୍ ପାରାଦୀପ-ଅନୁଗୁଳ ୭୬୫ କେଭି ସବ୍‌ଷ୍ଟସନ୍ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଛି ଯାହାର ମୂଲ୍ୟ ୨୩୦୦ କୋଟି ଟଙ୍କା ରହିଛି। ଏହି ପ୍ରକଳ୍ପ ସହ ରାଜ୍ୟରେ କମ୍ପାନିର ମୋଟ ସଞ୍ଚାରଣ ପାଇପ୍‌ଲାଇନ୍ ୨୦୦୦ ସିକେଏମ୍‌ରୁ ଅଧିକ ହୋଇଛି।

ଟାଟା ପାୱାର ଏହା ପୂର୍ବରୁ ରାଜ୍ୟର ଚାରି ବିଦ୍ୟୁତ ବଣ୍ଟନ କମ୍ପାନି (ଡିସ୍‌କମ୍‌)କୁ ଅଧିଗ୍ରହଣ କରିଥିଲା। ୨୦୨୦ ମେ’ରେ ଏହା ସେସୁକୁ ଅଧିଗ୍ରହଣ କରିଥିଲା। ଏହା ପରେ ରାଜ୍ୟର ଉତ୍ତର, ଦକ୍ଷିଣ ଓ ପଶ୍ଚିମରେ ଥିବା ବିଦ୍ୟୁତ୍‌ ବଣ୍ଟନ କମ୍ପାନିକୁ ମଧ୍ୟ ଅଧିଗ୍ରହଣ କରିଥିଲା। ରାଜ୍ୟ ସରକାରଙ୍କ ସହିତ ଯୌଥ ଉଦ୍ୟୋଗ ସ୍ଥାପନ କରି ଟାଟା ପାୱାର ଏହି ଚାରି ସଂସ୍ଥାର ପରିଚାଳନା କରୁଛି। ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌, ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌, ଟିପି ସର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ ଓ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ ନାମରେ ଟାଟା ପାୱାର ଏହି ଚାରି ଡିସ୍‌କମ୍‌ର ପରିଚାଳନା କରୁଛି। ନିକଟରେ କମ୍ପାନି ସୂଚନା ଦେଇଥିଲା ଯେ ଏହା ଓଡ଼ିଶାରେ ବିଦ୍ୟୁତ ଭିତ୍ତିଭୁମିରେ ୪୨୦୦ କୋଟି ଟଙ୍କା ନିବେଶ କରିଛି।