ଟ୍ବିଟରରୁ ତଡ଼ାଖାଇଲେ ପରାଗ, ମସ୍କ ନୂଆ ମାଲିକ

ଅନ୍ୟ ଅଧିକାରୀ ବି ବିଦା, ପରାଗ ପାଇବେ ୪୧୨ କୋଟି ଟଙ୍କା

ନୂଆଦିଲ୍ଲୀ : ଲୋକପ୍ରିୟ ସୋସିଆଲ ମିଡିଆ ସଂସ୍ଥା ଟ୍ବିଟରକୁ ବିଶ୍ବର ଏକ ନମ୍ବର ଧନୀ ଏଲନ୍‌ ମସ୍କ ୪୪୦୦ କୋଟି ଡଲାରରେ କିଣିଛନ୍ତି। ଏଥି ସହିତ ମସ୍କ ଜଣାଇଛନ୍ତି ଯେ ‘ ଦି ବାର୍ଡ ଇଜ୍ ଫ୍ରିଜ୍ (ବିହଙ୍ଗ ଏବେ ମୁକ୍ତ)। ଟ୍ବିଟରର ନୀଳ ରଙ୍ଗର ଚଢ଼େଇ ଲେ‌ା‌ଗୋକୁ ଇଙ୍ଗିତ କରି ସେ ଏହା ଲେଖିଛନ୍ତି। କଂପାନିର ମଙ୍ଗ ସମ୍ଭାଳିବା ପରେ ସେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସିଇଓ ପଦରୁ ପରାଗ ଅଗ୍ରୱାଲ୍, ଆଇନ ଓ ନୀତି ମୁଖ୍ୟ ବିଜୟ ଗାଡେ, ମୁଖ୍ୟ ବିତ୍ତ ଅଧିକାରୀ ନେଡ୍ ସେଗଲ ଏବଂ ଜେନେରାଲ୍ କାଉନ୍‌ସେଲ୍‌ ସିନ୍‌ ଏଡ୍‌ଗେଟ୍‌ଙ୍କୁ କଂପାନିରୁ ବିଦା କରିଛନ୍ତି। ପରାଗ ଓ ସେଗଲଙ୍କୁ କଂପାନି କାର୍ଯ୍ୟାଳୟରୁ ତଡ଼ିଦିଆଯାଇଥିଲା। ସୁରକ୍ଷା କର୍ମୀଙ୍କ ଗହଣାରେ ଉଭୟଙ୍କୁ ଅଫିସ ବାହାରେ ଛଡ଼ାଯାଇଥିଲା ବୋଲି କୁହାଯାଉଛି।

ମସ୍କ ଟ୍ବିଟରକୁ କିଣିଲେ ପରାଗଙ୍କ ଚାକିରି ଯିବା ଏକ ପ୍ରକାର ନିଶ୍ଚିତ ଥିଲା। ନକଲି ଆକାଉଣ୍ଟ୍‌ ପ୍ରସଙ୍ଗକୁ ନେଇ ପରାଗଙ୍କ ସହ ମସ୍କଙ୍କ ମତଭେଦ ରହିଥିଲା। ଆଇଆଇଟି ବମ୍ବେ ଓ ଷ୍ଟାନ୍‌ଫୋର୍ଡ ବିଶ୍ବବିଦ୍ୟାଳୟରେ ପାଠ ପଢ଼ିଥିବା ପରାଗଙ୍କୁ ୨୦୨୧ ନଭେମ୍ବରରେ ଟ୍ବିଟରର ସିଇଓ ଭାବେ ନିଯୁକ୍ତ କରାଯାଇଛି। ନିଯୁକ୍ତି ନିୟମ ଅନୁସାରେ ପରିଚାଳନା କର୍ତ୍ତୃପକ୍ଷ ପରିବର୍ତ୍ତନ ହେବାର ୧୨ ମାସ ପୂର୍ବରୁ ପରାଗଙ୍କୁ ବିଦା କରାଯାଇଥିବାରୁ ସେ ୪୧୨ କୋଟି ଟଙ୍କା ପାଇବେ। ବିଦା କରାଯାଇଥିବା ସବୁ ଅଧିକାରୀଙ୍କୁ କଂପାନି ୮୧୨ କୋଟି ଟଙ୍କା ଦେବ। ଟ୍ବିଟରକୁ ମୁକ୍ତ ଓ ଅବାଧ ବାର୍ତାଳାପର ଏକ ମଞ୍ଚ ଭାବେ ପ୍ରସ୍ତୁତ କରିବାକୁ ପ୍ରତିବଦ୍ଧ ଥିବା ମସ୍କ ବ୍ୟବହାରକାରୀଙ୍କ ଉପରେ ଜୀବନବ୍ୟାପୀ କଟକଣା ଲଗାଇବା ନିୟମକୁ ପରିବର୍ତ୍ତନ କରିବେ। ସେ କଣ୍ଟେଣ୍ଟ ମଡରେଟର ପରିଷଦ ଗଠନ କରିବେ। ମସ୍କଙ୍କ ଟ୍ବିଟର ଅଧିଗ୍ରହଣ ଥିଲା ଅତ୍ୟନ୍ତ ଘଟଣା ବହୁଳ। ଟ୍ବିଟରକୁ ବହୁ ଭଲ ପାଉଥିବା ମସ୍କ ତାହାକୁ କିଣିବା ଲାଗି ଚଳିତ ବର୍ଷ ଏପ୍ରିଲ୍ ୪ରେ ଘୋଷଣା କରିଥିଲେ। ଅକ୍ଟୋବର ୪ରେ ମସ୍କ ସମ୍ପୂର୍ଣ୍ଣ ଓଲଟି ଯାଇଥିଲେ ଓ ଟ୍ବିଟରକୁ କିଣିବେନି ବୋଲି କହିଥିଲେ। କୋର୍ଟଙ୍କ ହସ୍ତକ୍ଷେପ ପରେ ସେ କଂପାନିକୁ କିଣିଛନ୍ତି।

ସମ୍ବନ୍ଧିତ ଖବର