ନୂଆଦିଲ୍ଲୀ: ଶୁଳ୍କକୁ ନେଇ ଅନିଶ୍ଚିତତା ଦେଖା ଦେଇଥିବାରୁ ଭାରତୀୟ ଡାକ ବିଭାଗ ପକ୍ଷରୁ ଆମେରିକାକୁ ୨୫ ତାରିଖରୁ ଅଧିକାଂଶ ପାର୍ସଲ ସେବାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଚିଠି, ଦସ୍ତାବିଜ ଏବଂ ୧୦୦ ଡଲାର ମୂଲ୍ୟ ପର୍ଯ୍ୟନ୍ତ ଉପହାର ସାମଗ୍ରୀକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ପାର୍ସଲ ସେବା ବନ୍ଦ କରାଯାଇଛି। ଗତମାସ ୩୦ ତାରିଖରେ ଆମେରିକା ଏକ ନିର୍ଦ୍ଦେଶନାମା ଜାରି କରିଥିଲା। ସେଥିରେ ୮୦୦ ଡଲାର ମୂଲ୍ୟ ପର୍ଯ୍ୟନ୍ତ ସାମଗ୍ରୀର ଶୁଳ୍କ ଛାଡ଼କୁ ପ୍ରତ୍ୟାହାର କରି ନିଆଯାଇଥିଲା।

Advertisment

ଅଗଷ୍ଟ ୨୯ରୁ ଆମେରିକାକୁ ପଠାଯାଉଥିବା ସମସ୍ତ ଡାକ ସାମଗ୍ରୀ, ସେଗୁଡ଼ିକର ମୂଲ୍ୟ ଯାହା ହୋଇ ଥାଉ ନା କାହିଁକି, ଉପରେ ଅନ୍ତର୍ଜାତୀୟ ଜରୁରୀକାଳୀନ ଅର୍ଥନୈତିକ କ୍ଷମତା ଆଇନ (ଆଇଇଇପିଏ) ଶୁଳ୍କ ଢାଞ୍ଚା ଅନୁସାରେ ଆମଦାନି ଶୁଳ୍କ ଲାଗିବ। କେବଳ ୧୦୦ ଡଲାର ପର୍ଯ୍ୟନ୍ତ ଉପହାର ସାମଗ୍ରୀକୁ ଶୁଳ୍କ ମୁକ୍ତ ରହିବ ବୋଲି କୁହାଯାଇଛି। ନିର୍ଦ୍ଦେଶନାମା ଅନୁଯାୟୀ, କେବଳ ଅନ୍ତର୍ଜାତୀୟ କ୍ୟାରିୟର ଏବଂ ଆମେରିକାର ସୀମା ଶୁଳ୍କ ବିଭାଗ ଦ୍ବାରା ମଞ୍ଜୁରିପ୍ରାପ୍ତ ଅନ୍ୟ ଯୋଗ୍ୟ ପକ୍ଷ ହିଁ ଡାକ ଯୋଗେ ଆସୁଥିବା ସାମଗ୍ରୀକୁ ଆଣି ଶୁଳ୍କ ଦେଇପାରିବେ। କିନ୍ତୁ ଏସବୁ ପକ୍ଷକୁ ମଞ୍ଜୁରି ପ୍ରଦାନ ଏବଂ ଶୁଳ୍କ ଆଦାୟ ପ୍ରକ୍ରିୟା ନେଇ କୌଣସି ସ୍ପଷ୍ଟତା ସେହି ନିର୍ଦ୍ଦେଶନାମାରେ ନାହିଁ। ତେଣୁ ଆମେରିକାକୁ ପଠାଯାଉଥିବା ପାର୍ସଲଗୁଡ଼ିକୁ ଅଗଷ୍ଟ ୨୫ ପରେ ସେମାନେ ଗ୍ରହଣ କରିବେ ନାହିଁ ବୋଲି ଏୟାରଲାଇନ୍‌ଗୁଡ଼ିକ କହିଛନ୍ତି। ଏହି ଦୃଷ୍ଟିରୁ ଭାରତୀୟ ଡାକ ବିଭାଗ ଅଗଷ୍ଟ ୨୫ରୁ ଆମେରିକାକୁ ପଠାଯାଉଥିବା ସବୁ ପ୍ରକାର ସାମଗ୍ରୀର ବୁକିଂକୁ ସ୍ଥଗିତ ରଖିବା ନେଇ କହିଛି। ତେବେ କେବଳ ଚିଠି, ଡକ୍ୟୁମେଣ୍ଟ୍ ଏବଂ ୧୦୦ ଡଲାର ମୂଲ୍ୟ ପର୍ଯ୍ୟନ୍ତ ଉପହାରକୁ ଗ୍ରହଣ କରାଯିବ। ଡାକ ବିଭାଗ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ଯେଉଁସବୁ ପାର୍ସଲ ପୂର୍ବରୁ ବୁକ୍‌ ହୋଇଛି ଏବଂ ସେଗୁଡ଼ିକୁ ପଠାଯାଇ ପାରିବ ନାହିଁ ସେ କ୍ଷେତ୍ରରେ ସଂପୃକ୍ତ ବ୍ୟକ୍ତିମାନେ ଡାକ ଟିକଟ ବାବଦ ରାଶି ଫେରସ୍ତ ଦାବି କରିପାରିବେ।