‌ଫେସ୍‌ବୁକ୍, ଟ୍ବିଟର୍‌କୁ ସଂସଦୀୟ କମିଟିର ସମନ

ନୂଆଦିଲ୍ଲୀ: ନାଗରିକମାନଙ୍କ ଅଧିକାରର ସୁରକ୍ଷା, ସୋସିଆଲ୍ ମିଡିଆର ଅପବ୍ୟବହାର ଓ ଡିଜିଟାଲ୍ ଜଗତରେ ମହିଳାଙ୍କ ସୁରକ୍ଷା ଆଦି ପ୍ରସଙ୍ଗରେ ଆଲୋଚନା କରିବା ଲାଗି ଫେସ୍‌ବୁକ୍ ଓ ଟ୍ବିଟର୍‌ର ଅଧିକାରୀଙ୍କୁ ସୂଚନା ପ୍ରଯୁକ୍ତିକୁ ନେଇ ଗଠିତ ସଂସଦୀୟ କମିଟି ସମନ ଜାରି କରିଛି। ସେମାନଙ୍କ ସହିତ ଚଳିତ ମାସ ୨୧ରେ ବୈଠକ ହେବ। ହ୍ବାଟସ୍‌ଆପ୍‌ର ଗୋପନୀୟତା ନୀତିକୁ ନେଇ ସାରା ଦେଶରେ ଚର୍ଚ୍ଚା ଜାରି ରହିଥିବା ଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଏହି ଦୁଇ ପ୍ରମୁଖ ସୋସିଆଲ୍‌ ମିଡିଆ କଂପାନିର ଅଧିକାରୀଙ୍କୁ ସମନ ଜାରି କରାଯାଇଛି। ସମାଜର ବିଭିନ୍ନ ବର୍ଗ ହ୍ବାଟସ୍‌ଆପ୍‌ ନୀତିକୁ ସମାଲୋଚନା କରିବା ପରେ କଂପାନି ଏହାର କାର୍ଯ୍ୟକାରିତାକୁ ତିନି ମାସ ଘୁଞ୍ଚାଇ ଦେଇଛି। ଏହି ନୀତିକୁ ଫେବ୍ରୁ୍ଆରି ୮ରୁ ଲାଗୁ କରାଯିବ ବୋଲି କଂପାନି ଘୋଷଣା କରିଥିଲା। ଏବେ ସେହି ସମୟ ସୀମା ମେ’ ୧୫କୁ ଘୁଞ୍ଚାଇ ଦିଆଯାଇଛି। ବ୍ୟବସାୟ ଜଗତ ମଧ୍ୟ ହ୍ବାଟସ୍‌ଆପ୍‌ ନୀତିକୁ ନେଇ ଚିନ୍ତା ପ୍ରକଟ କରିଛି। ଅନେକ ଲୋକ ହ୍ବାଟସ୍‌ଆପ୍ ଛାଡ଼ି ଟେଲିଗ୍ରାମ୍ ଓ ସିଗ୍ନାଲ୍ ଭଳି ଆପ୍‌ ବ୍ୟବହାର କରିବା ଆରମ୍ଭ କରିଛନ୍ତି। ହ୍ବାଟସ୍‌ଆପ୍‌ ବିରୋଧରେ କୋର୍ଟରେ ମାମଲା ରୁଜୁ ହୋଇଛି। ହ୍ବାଟସ୍‌ଆପ୍‌ର ନୀତି ଜାତୀୟ ସୁରକ୍ଷା ପ୍ରତି ବିପଦ ଥିବା ଆବେଦନରେ ଦର୍ଶାଯାଇଛି। ଗତ ଅକ୍ଟୋବରରେ ଏକ ଯୁଗ୍ମ ସଂସଦୀୟ କମିଟି ଉଭୟ ଫେସବୁକ୍ ଓ ଟ୍ବିଟର୍‌ର ଅଧିକାରୀଙ୍କୁ ଡକାଇ ସେମାନଙ୍କ ସହ ବ୍ୟବହାରକାରୀଙ୍କ ତଥ୍ୟ ଓ ଗୋପନୀୟତାର ସୁରକ୍ଷା ପ୍ରସଙ୍ଗ ଉପରେ ଆଲୋଚନା କରିଥିଲା।

ସମ୍ବନ୍ଧିତ ଖବର