କୋଇଲା ପାଇଁ ପାସେଞ୍ଜର ଟ୍ରେନ୍ ବାତିଲ: ୬୫୭ ଟ୍ରେନ୍ ବାତିଲ କରାଯିବ

ନୂଆଦିଲ୍ଲୀ: ଦେଶରେ ଦେଖାଦେଇଥିବା କୋଇଲା ସଙ୍କଟ ଦୂର କରିବା ଲାଗି ରେଳବାଇ ସ୍ବତନ୍ତ୍ର ଯୋଜନା ନେଇ କାମ କରୁଛି। କୋଇଲା ଭର୍ତ୍ତି ମାଲବାହୀ ଟ୍ରେନ୍‌ଗୁଡ଼ିକୁ ଶୀଘ୍ର ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ଲାଗି ସେହି ରୁଟ୍‌ରେ ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନ୍‌ଗୁଡ଼ିକୁ ବାତିଲ କରାଯାଉଛି। ଏଭଳି ୪୨ଟି ପାସେଞ୍ଜର ଟ୍ରେନ୍‌ ବାତିଲ ହୋଇସାରିଛି। ଆଗାମୀ ଦିନରେ ୬୫୦ ପାଖାପାଖି ପାସେଞ୍ଜର ଟ୍ରେନ୍‌ର ଚଳାଚଳ ବାତିଲ ହେବ ବୋଲି ଅନୁମାନ କରାଯାଉଛି। ଟ୍ରେନ୍ ବାତିଲକୁ ଛତିଶଗଡ଼ର ସ୍ଥାନୀୟ ସାଂସଦମାନେ ବିରୋଧ କରିବାରୁ ସେଠାରେ ତିନିଟି ଟ୍ରେନ୍‌କୁ ରେଳବାଇ ପୁଣି ଚଲାଇବାକୁ ବାଧ୍ୟ ହୋଇଛି।

ଚଳିତ ବର୍ଷ ପ୍ରବଳ ଗରମ ହେଉଥିବାରୁ ବିଦ୍ୟୁତ ଚାହିଦା ଅସ୍ବାଭାବିକ ଭାବେ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ପାୱାର ପ୍ଲାଣ୍ଟ୍‌ ପାଖରେ ଠିକ୍ ସମୟରେ କୋଇଲା ପହଞ୍ଚିପାରୁନଥିବାରୁ ବଡ଼ ଧରଣର ବିଦ୍ୟୁତ ସଙ୍କଟ ଦେଖାଦେବା ଆଶକ୍ତା ରହିଛି। ସେଭଳି ସମସ୍ୟାକୁ ଏଡ଼ାଇବା ଲାଗି ରେଳ ଜରିଆରେ କୋଇଲା ଯୋଗାଣକୁ ପ୍ରାଧାନ୍ୟ ଦିଆଯାଉଛି। କୋଇଲା ବୋଝେଇ ମାଲବାହୀ ଟ୍ରେନ୍‌ଗୁଡ଼ିକ ପାଇଁ ବାଟ ଛାଡ଼ିବା ଲାଗି ବିଭିନ୍ନ ରୁଟ୍‌ରେ ପ୍ରାୟ ୬୫୭ଟି ଟ୍ରେନ୍ ବାତିଲ କରାଯିବ। ସେଥିରେ ୫୦୦ ମେଲ୍‌ ଓ ଏକ୍ସପ୍ରେସ୍‌ ଟ୍ରେନ୍ ଓ ୧୪୮ଟି ଯାତ୍ରୀବାହୀ ଟ୍ରେନ୍ ରହିଛି। ଆଗାମୀ ଦିନରେ ବିଭିନ୍ନ ରୁଟ୍‌ରେ କୋଇଲା ରେକ୍‌ଗୁଡ଼ିକୁ ଅଗ୍ରାଧିକାରୀ ଭିତ୍ତି‌ରେ ବାଟ ଛାଡ଼ିବା ଲାଗି ରେଳବାଇ ଏକ ଯୋଜନା ଉପରେ କାର୍ଯ୍ୟ କରୁଛି। ରେଳବାଇର କାର୍ଯ୍ୟନିର୍ବାହୀ ନିର୍ଦେଶକ ଗୌରବ କ୍ରିଷ୍ଣ ବଂଶଲ କହିଛନ୍ତି ଯେ ଏବେ ବାତିଲ କରାଯାଉଥିବା ଟ୍ରେନ୍‌ ହେଉଛି ଏକ ସାମୟିକ ପଦକ୍ଷେପ। କୋଇଲା ସଙ୍କଟ ଦୂର ହେବା ପରେ ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇଯିବ। କୋଇଲା ଖଣିରୁ ପାୱାର ପ୍ଲାଣ୍ଟ୍ ପର୍ଯ୍ୟନ୍ତ କୋଇଲା ପରିବହନରେ ଲାଗୁ ଥିବା ସମୟ ହ୍ରାସ କରିବା ଉପରେ ମଧ୍ୟ ରେଳବାଇ କାମ କରୁଛି।

ପାୱାର ପ୍ଲାଣ୍ଟ୍‌ ପାଇଁ ୫୩୩ କୋଇଲା ରେକ୍ ବୋଝେଇ କରାଯାଇଛି। ଗତକାଲି ୪୨୭ ରେକ୍ ବୋଝେଇ ହୋଇଥିଲା। ବିଦ୍ୟୁତ କ୍ଷେତ୍ର ଲାଗି ୧.୬୨ ନିୟୁତ ଟନ୍ କୋଇଲା ବୋଝେଇ କରାଯାଇଛି। ଏପ୍ରିଲ୍‌ ମାସରେ କୋଲ୍ ଇଣ୍ଡିଆର ଉତ୍ପାଦନ ୨୭.୨ ପ୍ରତିଶତ ବଢ଼ିଥିବା ବେଳେ ଡେସ୍‌ପ୍ୟାଚ୍‌ ୫.୮% ବଢ଼ିଛି। କୋଲ୍ ଇଣ୍ଡିଆରେ ୫୬.୭ ନିୟୁତ ଟନ୍, ଏସ୍‌ସିସିଏଲ୍‌ରେ ୪.୩ ନିୟୁତ ଟନ୍ ଓ କ୍ୟାପ୍‌ଟିଭ୍ କୋଇଲା ଖଣିରେ ୨.୩ ନିୟୁତ ଟନ୍ କୋଇଲା ଷ୍ଟକ୍ ରହିଛି। ଦେଶର ଆବଶ୍ୟକତା ପୂରଣ କରିବା ଲାଗି ‌ଯଥେଷ୍ଟ ପରିମାଣର କୋଇଲା ଷ୍ଟକ ରହିଥିବା ସରକାର କହିଛନ୍ତି। ଗୁଡ୍‌ସ ସେଡ୍‌ ସାଇଡିଂ, ୱାସରି ସାଇଡିଂ ଓ ବନ୍ଦରରେ ୪.୭ ନିୟୁତ ଟନ୍ କୋଇଲା ରହିଛି ଯାହାକୁ ତୁରନ୍ତ ପାୱାର ପ୍ଲାଣ୍ଟ୍‌କୁ ପଠାଇ ହେବ। ଏହା ବ୍ୟତୀତ କୋଲ୍ ଇଣ୍ଡିଆ ସାଇଡିଂରେ ୨ ନିୟୁତ ଟନ୍ କୋଇଲା ରହିଛି। କୋଇଲା ଅଭାବ ଯୋଗୁଁ ପଞ୍ଜାବ, ଦିଲ୍ଲୀ ଓ ବିହାର ଭଳି ରାଜ୍ୟରେ ବିଦ୍ୟୁତ ସଙ୍କଟ ଦେଖାଦେବାର ଆଶଙ୍କା ରହିଛି। ସେଥିପାଇଁ ଏହି ରାଜ୍ୟଗୁଡ଼ିକ ଚିନ୍ତିତ ହୋଇପଡ଼ିଛନ୍ତି। ତେବେ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଉଛି ଯଦି କୌଣସି ରାଜ୍ୟରେ ବିଦ୍ୟୁତ ସଙ୍କଟ ଦେଖାଦେବ ତାହାର ମୂଳ କାରଣ ହେଉଛି କୋଇଲା ଅଭାବ। ରାଜ୍ୟଗୁଡ଼ିକ ଠିକ୍ ସମୟରେ କୋଇଲା ପାଇଁ ପେମେଣ୍ଟ୍‌ ଦେଉନାହାନ୍ତି ବୋଲି ସଙ୍କଟ ଦେଖାଦେଇଛି। ପାୱାର ପ୍ଲାଣ୍ଟ୍‌ରେ କିଛି ଅସୁବିଧା ନାହିଁ।

ସମ୍ବନ୍ଧିତ ଖବର