ଜୟପୁର: ‘ଡିୟୁଟି’ ସମୟସୀମା ଭିତରେ ଗନ୍ତବ୍ୟସ୍ଥଳରେ ପହଞ୍ଚି ହେବନି ବୋଲି କହି ପାଇଲଟ୍‌ ବିମାନ ଚଳାଇବାକୁ ମନା କରିବାରୁ ଜୟପୁରରେ ଜରୁରୀ ଅବତରଣ କରିଥିବା ଏୟାର୍‌ ଇଣ୍ଡିଆର ‌ଗୋଟାଏ  ବିମାନରେ ଆସୁଥିବା ଯାତ୍ରୀମାନେ ରବିବାର ଦିନ ଦୀର୍ଘ ୫ ଘଣ୍ଟା ଧରି ଫସି ରହିଥିଲେ।

Advertisment

ଲଣ୍ଡନ୍‌ରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ଉକ୍ତ ବିମାନଟି ଖରାପ ପାଗ ଯୋଗୁଁ ରାଜସ୍ଥାନର ଜୟପୁର ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା। କିନ୍ତୁ, ପରେ ପାଇଲଟ୍‌ ବିମାନ ଚଳାଇବାକୁ ମନା କରିବାରୁ ବିମାନରେ ଥିବା ୩୫୦ଜଣ ଯାତ୍ରୀଙ୍କ ମଧ୍ୟରୁ କେତେକଙ୍କୁ ଦିଲ୍ଲୀରେ ପହଞ୍ଚିବା ଲାଗି ବିକଳ୍ପ ବ୍ୟବସ୍ଥା କରିବାକୁ ପଡ଼ିଥିଲା।

Air India Pilot Refuses to Fly Plane After Emergency Landing in Jaipur (Rep Image) Image Courtesy of Times Now

ସଂଗୃହୀତ ସୂଚନା ଅନୁସାରେ, ଏୟାର୍‌ ଇଣ୍ଡିଆ ବିମାନ ‘ଏଆଇ-୧୧୨’ ରାତି ୪ଟା ବେଳେ ଦିଲ୍ଲୀରେ ପହଞ୍ଚିବା କଥା। କିନ୍ତୁ ଦିଲ୍ଲୀ ବିମାନ ବନ୍ଦରରେ ପ୍ରତିକୂଳ ପାଗ ଥିବାରୁ ସେ ବିମାନକୁ ଜୟପୁରକୁ ନିଆଯାଇଥିଲା। ଜୟପୁର ବିମାନ ବନ୍ଦରରେ ଅବତରଣ କରିବା ଲାଗି ମଧ୍ୟ ବିମାନଟି ପ୍ରାୟ ୧୦ ମିନିଟ୍‌ ଧରି ଆକାଶରେ ଘେରା ମାରିଥିଲା। ତା’ ସହିତ ଆଉ କେତୋଟି ବିମାନ ମଧ୍ୟ ଜୟପୁର ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲେ।

ପ୍ରାୟ ୨ ଘଣ୍ଟା ପରେ ‘ଏୟାର୍‌ ଇଣ୍ଡିଆ’ର ଉକ୍ତ ବିମାନ ଦିଲ୍ଲୀ ଆସିବା ଲାଗି ‘ଦିଲ୍ଲୀ ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲ୍‌’ରୁ (ଏଟିସି) ସୂଚନା ପାଇଥିଲା। କିନ୍ତୁ, ଆଉ ସେ ବିମାନ ନ ଚଳାଇବାକୁ କହି ପାଇଲଟ୍‌ ଓହ୍ଲାଇ ପଡ଼ିଥିଲେ। ବିମାନ ଚଳାଇବାକୁ ଅରାଜି ହେବାର କାରଣ ‘ଡିୟୁଟି’ ସମୟସୀମା ବୋଲି ସେ ଦର୍ଶାଇଥିଲେ।

୩ ଘଣ୍ଟା ଅପେକ୍ଷା କରିବା ପରେ ଫସି ରହିଥିବା ଯାତ୍ରୀମାନଙ୍କ ମଧ୍ୟରୁ କେତେକ ସଡ଼କ ପଥରେ ଦିଲ୍ଲୀ ଯାତ୍ରା କରିଥିଲେ। ଉକ୍ତ ବିମାନର କର୍ମଚାରୀମାନଙ୍କ ସ୍ଥାନରେ ଅନ୍ୟ କର୍ମଚାରୀଙ୍କୁ ଅଣାଯିବା ପରେ ବିମାନଟି ଉଡ଼ାଣ ଆରମ୍ଭ ହୋଇଥିଲା ଓ ବାକି ଯାତ୍ରୀମାନେ ସେଥିରେ ଦିଲ୍ଲୀ ଯାଇଥିଲେ।