ଯେକୌଣସି ସ୍ଥାନରୁ କରିହେବ ପାସ୍‌ପୋର୍ଟ ଆବେଦନ

ନୂଆଦିଲ୍ଲୀ: ଦେଶର ଯେକୌଣସି ସ୍ଥାନରୁ ପାସପୋର୍ଟ ଆବେଦନ କରାଯାଇ ପାରିବ। ଷଷ୍ଠ ପାସପୋର୍ଟ ସେବା ଦିବସ ଉପଲକ୍ଷେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଏମ୍‌ପାସପୋର୍ଟ ସେବା ଆପ୍‌ ଉନ୍ମୋଚନ ସମେତ ପାସପୋର୍ଟ ଆବେଦନ ନେଇ ନୂଆ ସୁବିଧା ଘୋଷଣା କରିଛନ୍ତି। ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ୍‌ ପ୍ଲାଟଫର୍ମ ଥିବା ମୋବାଇଲରେ ଏହି ଆପ୍‌ ଉପଲବ୍ଧ ହେବ। ଉକ୍ତ ମୋବାଇଲ ଆପ୍‌ରେ ପାସପୋର୍ଟ ଆବେଦନ କରିବା ସହିତ ଅର୍ଥ ପଇଠ ଏବଂ ଉପସ୍ଥିତ ରହିବାର ତାରିଖ ଧାର୍ଯ୍ୟ ଆଦି ମିଳିପାରିବ। ଏଥିଯୋଗୁଁ ପାସପୋର୍ଟ ଆବେଦନ ପାଇଁ ଆଉ କମ୍ପ୍ୟୁଟର କିମ୍ବା ପ୍ରଣ୍ଟରର ଆବଶ୍ୟକତା ରହିବ ନାହିଁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରୀ ଏହାକୁ ପାସପୋର୍ଟ ବିପ୍ଳବ ଭାବେ ବର୍ଣ୍ଣନା କରିଛନ୍ତି ।
ସେ କହିଛନ୍ତି ହଜ୍‌ ଯାତ୍ରୀଙ୍କ ପାଇଁ ଦୁଇଟି ଜିନିଷ ସିଧାସଳଖ ଜଡ଼ିତ। ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଲା ପାସପୋର୍ଟ ଏବଂ ଅନ୍ୟଟି ହେଲା ପାସପୋର୍ଟ। ପାସପୋର୍ଟ ପାଇଁ ପ୍ରସ୍ତୁତ ହୋଇଥିବା ଆପ୍‌ରେ ନୂଆ ୟୁଜରଙ୍କ ପାଇଁ ପଞ୍ଜୀକରଣଠାରୁ ଆରମ୍ଭ କରି ପଞ୍ଜୀକୃତ ୟୁଜର ଆକାଉଣ୍ଟରେ ଲଗ୍‌ ଇନ୍‌ କରିବା, ପାସପୋର୍ଟ ଆବେଦନ ପାଇଁ ଫର୍ମ, ପୁଲିସ ଅନୁମତି ପ୍ରମାଣପ୍ରତ, ପାସପୋର୍ଟ ସେବା ପ୍ରଦାନ ପାଇଁ ଅର୍ଥ ପଇଠ, ତାରିଖ ନିର୍ଧାରଣ, ଆବେଦନର ଷ୍ଟାଟସ ଆଦି ସୁବିଧା ମିଳିପାରିବ।
ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଦୁଇଟି ପର୍ଯ୍ୟାୟରେ ଆମେ ୨୫୧ଟି ପାସପୋର୍ଟ ପଞ୍ଜୀକରଣ କେନ୍ଦ୍ର ଘୋଷଣା କରିଥିଲୁ। ଏଥିରୁ ୨୧୨ଟି କେନ୍ଦ୍ର ସ୍ଥାପନ ହୋଇସାରିଛି। ସେହିଭଳି ତୃତୀୟ ପର୍ଯ୍ୟାୟରେ ୩୮ଟି ଅତିରିକ୍ତ କେନ୍ଦ୍ର ସ୍ଥାପନ ଘୋଷଣା କରାଯାଇଥିଲା। ଏଥିରୁ ୨ଟି କେନ୍ଦ୍ର କାର୍ଯ୍ୟକ୍ଷମ କରାଯାଇଛି। ଦେଶରେ ଏବେ ୨୬୦ଟି ପାସପୋର୍ଟ କେନ୍ଦ୍ର କାର୍ଯ୍ୟ କରୁଥିବାବେଳେ ନିକଟ ଭବିଷ୍ୟତରେ ସବୁ ଲୋକସଭା ନିର୍ବାଚନ ମଣ୍ଡଳୀରେ ପାସପୋର୍ଟ କେନ୍ଦ୍ର ଖୋଲିବ ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର