ଋଣ ପାଇଁ ପାସ୍‌ପୋର୍ଟ ତଥ୍ୟ ବାଧ୍ୟତାମୂଳକ

୫୦ କୋଟି ଋଣ ପାଇଁ ଗ୍ରାହକ ଦେବେ ତଥ୍ୟ, ସରକାରୀ ବ୍ୟାଙ୍କ ଗୁଡ଼ିକୁ ସଚିବଙ୍କ ନିର୍ଦେଶ

ନୂଆଦିଲ୍ଲୀ: ନିରବ ମୋଦି, ମେହୁଲ୍‌ ଚୋକ୍‌ସି ଭଳି ବ୍ୟକ୍ତି ବ୍ୟାଙ୍କରୁ କୋଟି କୋଟି ଟଙ୍କାର ଋଣ ଠକେଇ କରି ଆଇନ ହାତରେ ଦୀର୍ଘଦିନ ଧରି ଧରା ନପଡ଼ିବା ପରେ ସରକାରଙ୍କ ଚେତା ପଶିଛି। ୫୦ କୋଟି ଟଙ୍କା କିମ୍ବା ତଦୂର୍ଦ୍ଧ୍ୱ ପରିମାଣର ଋଣ ନେଉଥିବା ବ୍ୟକ୍ତିମାନଙ୍କୁ ଋଣ ଦେବା ସମୟରେ ବ୍ୟାଙ୍କ ଗୁଡ଼ିକ ସେସବୁ ଗ୍ରାହକଙ୍କର ପାସପୋର୍ଟ ସଂକ୍ରାନ୍ତ ବିସ୍ତତ ତଥ୍ୟ ରଖିବାକୁ ସରକାର ଆଜି ନିର୍ଦେଶ ଦେଇଛନ୍ତି। ଫଳରେ ୫୦ କୋଟି ଟଙ୍କା ଋଣ ନେବା ପାଇଁ ପାସସୋର୍ଟ ତଥ୍ୟ ଦାଖଲ ଲୋକଙ୍କ ପାଇଁ ବାଧ୍ୟତାମୂଳକ ହୋଇଯାଇଛି। ସରକାର ଶନିବାର କହିଛନ୍ତି ସରକାରୀ ବ୍ୟାଙ୍କରୁ ନୂଆକରି ଋଣ ନେଉଥିବା ବ୍ୟକ୍ତିଙ୍କ ପାଇଁ ନିୟମ କଡ଼ାକଡ଼ି କରାଯିବ। ଏମାନଙ୍କୁ ପାସପୋର୍ଟ ତଥ୍ୟ ଦେବାକୁ ହେବ। ଏହାହେଲେ ଋଣ ଠକେଇ କରିବାକୁ ଉଦ୍ୟମ କରିଲେ ସରକାର ତ୍ୱରିତ ପଦକ୍ଷେପ ନେଇପାରିବେ। ବିଜୟ ମାଲ୍ୟା, ନିରବ ମୋଦି ଓ ମେହୁଲ ଚୋକ୍‌ସିଙ୍କ ଭଳି ବ୍ୟକ୍ତି କୋଟି କୋଟି ଟଙ୍କାର ଋଣ ନେଇ ବା ଋଣ ଠକେଇ କରି ଦେଶ ଛାଡ଼ି ବିଦେଶକୁ ପଳାଇଛନ୍ତି। ଏପରିକି ଦେଶକୁ ଫେରି ତଦନ୍ତରେ ସହଯୋଗ କରିବା ବା ଆଇନର ସମ୍ନା କରିବାକୁ ସେମାନେ ରୋକ୍‌ଠୋକ୍‌ ମନା କରିଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ଏ ପ୍ରକାର ପଦକ୍ଷେପ ନେଇଛନ୍ତି। ଆର୍ଥିକ ବ୍ୟାପାର ସଚିବ ରାଜୀବ କୁମାର ଏକ ଟ୍ଵିଟ୍‌ ବାର୍ତାରେ ଆଜି ବ୍ୟାଙ୍କ ଗୁଡ଼ିକୁ ନିର୍ଦେଶ ଦେଇଛନ୍ତି। ସଚିବ ଏହା ମଧ୍ୟ କହିଛନ୍ତି ଯେ, ଋଣ ଆବେଦନ ଫର୍ମକୁ ଏଥିପାଇଁ ପରିବର୍ତନ କରାଯିବ। ପାସପୋର୍ଟ ସଂକ୍ରାନ୍ତ ତଥ୍ୟ ଯେଭଳି ଫର୍ମରେ ରହିପାରିବ ତାହାର ବ୍ୟବସ୍ଥା କରାଯିବ। କେବଳ ନୂଆ ଋଣ ନେଉଥିବା ବ୍ୟକ୍ତି ନୁହନ୍ତି ପୂର୍ବରୁ ୫୦ କୋଟି ଟଙ୍କାରୁ ଅଧିକ ଋଣ ନେଇଥିବା ବ୍ୟକ୍ତିମାନଙ୍କର ପାସପୋର୍ଟ ସଂକ୍ରାନ୍ତ ବିସ୍ତତ ତଥ୍ୟ ୪୫ ଦିନ ମଧ୍ୟରେ ସଂଗ୍ରହ କରିବା ଲାଗି ବ୍ୟାଙ୍କ ଗୁଡ଼ିକୁ ସରକାର ନିର୍ଦେଶ ଦେଇଛନ୍ତି। ବ୍ୟାଙ୍କ ଠକେଇକୁ ରୋକିବା ଲାଗି ସରକାର ନିକଟରେ କେତେକ ପଦକ୍ଷେପ ଘୋଷଣା କରିଛନ୍ତି। ବ୍ୟାଙ୍କ ଗୁଡ଼ିକୁ ସେମାନଙ୍କ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ କୁହାଯାଇଛି। ଏଥିସହିତ ଜାଲିଆତିକୁ ରୋକିବା ପାଇଁ ୫୦ କୋଟି ଟଙ୍କାରୁ ଅଧିକ ଋଣଖାତା ଗୁଡ଼ିକୁ ସମୀକ୍ଷା କରିବା ଲାଗି କୁହାଯାଇଛି। ବିଦେଶରେ ବ୍ୟାଙ୍କିଂ କାରବାରକୁ ବ୍ୟବସ୍ଥିତ କରିବା ସହିତ କ୍ଷତି କରୁଥିବା ଶାଖା ଗୁଡ଼ିକୁ ବନ୍ଦ କରିଦେବା ଲାଗି ମଧ୍ୟ କୁହାଯାଇଛି। ନିରବ ମୋଦି ଓ ମେହୁଲ ଚୋକ୍‌ସି ପିଏନ୍‌ବିରୁ ଜାଲ୍‌ ଏଲ୍‌ଓୟୁ ହାତେଇ ଭାରତୀୟ ବ୍ୟାଙ୍କିଂ ବ୍ୟବସ୍ଥାରୁ ପ୍ରାୟ ୧୨୭୦୦ କୋଟି ଟଙ୍କା ଠକି ନେବା ସହ ଦେଶ ଛାଡ଼ି ପଳାଇଯିବା ପରେ ଗତ ସପ୍ତାହରେ କେନ୍ଦ୍ର କ୍ୟାବିନେଟ୍‌ ପଳାତକ ଅର୍ଥନୈତକ ଅପରାଧ ବିଲ୍‌କୁ ମଞ୍ଜୁରି ଦେଇଛି। ପ୍ରସ୍ତାବିତ ଆଇନରେ ନିରବ ମୋଦି ଓ ବିଜୟ ମାଲ୍ୟାଙ୍କ ଭଳି ଅପରାଧୀ ତଦନ୍ତରେ ସହଯୋଗ ନକଲେ ସେମାନଙ୍କ ବନ୍ଧକ ଥିବା ବା ନଥିବା ସମ୍ପତ୍ତିକୁ ସରକାର ବିକ୍ରି କରିପାରିବେ। ଉଭୟ ଦେଶ ଓ ବିଦେଶରେ ଥିବା ସଂପତ୍ତି ବିକ୍ରି କରିବା ବ୍ୟବସ୍ଥା ଏହି ପ୍ରସ୍ତାବିତ ବିଲ୍‌ରେ ରହିଛି। ୧୦୦ କୋଟି ବା ତଦୂର୍ଦ୍ଧ ରାଶିର ଋଣ ପରିଶୋଧ ନକରି ଦେଶ ଛାଡ଼ି ପଳାଇ ଯାଇଥିବା ବ୍ୟକ୍ତିଙ୍କ ପାଇଁ ନୂଆ ଆଇନ ପ୍ରଯୁଜ୍ୟ ହେବ। ଏତଦ୍‌ବ୍ୟତୀତ ବ୍ୟାଙ୍କିଂ ବ୍ୟବସ୍ଥାକୁ ସ୍ୱଚ୍ଛ କରିବା ଲାଗି ସରକାର ନିକଟରେ ୫୦ କୋଟିରୁ ଅଧିକ ମୂଲ୍ୟର ଏନ୍‌ପିଏ ଖାତାଗୁଡ଼ିକୁ ଅନୁଧ୍ୟାନ କରିବା ସହିତ ସନ୍ଦେହ ହେଲେ ସେଗୁଡ଼ିକୁ ସିବିଆଇକୁ ହସ୍ତାନ୍ତର କରିବାକୁ ମଧ୍ୟ ନିର୍ଦେଶ ଦେଇସାରିଛନ୍ତି।

ସମ୍ବନ୍ଧିତ ଖବର