ଭୁବନେଶ୍ବର: ବିଦେଶ ଯାତ୍ରା ଲାଗି ପାସ୍‌ପୋର୍ଟ ଅପରିହାର୍ଯ୍ୟ ଥିବା ବେଳେ ତାହା ପାଇବା ଲାଗି ଆବେଦନ କରିଥିବା ଲୋକମାନଙ୍କୁ ଗତ ଦୁଇ ଦିନ ହେଲାଣି ନାହିଁ ନଥିବା ଅସୁବିଧା ଭୋଗିବାକୁ ପଡ଼ୁଛି। ପାସ୍‌ପୋର୍ଟ ସେବା କେନ୍ଦ୍ରକୁ ଦୌଡ଼ିଥିବା ଲୋକମାନଙ୍କୁ ନିରାଶ ହୋଇଫେରିବାକୁ ପଡ଼ୁଛି। ଦୁଇ ଦିନ ଧରି ପାସ୍‌ପୋର୍ଟ ସର୍ଭର ଡାଉନ୍ ରହିଛି। ସେଥିପାଇଁ ପୂର୍ବରୁ ବୁକିଂ ହୋଇଥିବା ସାକ୍ଷାତକାର (ଆପଏଣ୍ଟମେଣ୍ଟ)କୁ ବାତିଲ କରାଯାଉଛି। ପାସ୍‌ପୋର୍ଟ କେନ୍ଦ୍ର ସାମ୍ନାରେ ଲୋକଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। ଏ ସମ୍ପର୍କରେ ପାସ୍‌ପୋର୍ଟ ସେବା କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ସର୍ଭର୍‌ରେ ଥିବା ସମସ୍ୟା ଓ ୱେବସାଇଟ୍‌ର ରକ୍ଷଣାବେକ୍ଷଣ ଚାଲିଥିବାରୁ ଆପଏଣ୍ଟମେଣ୍ଟରେ ଅସୁବିଧା ଦେଖାଦେଇଛି। ବୁଧବାର ଅସୁବିଧା ଥିଲା। ଗୁରୁବାର ତାହାର ସମାଧାନ କରାଯାଇଛି। ତେଣୁ ଯେଉଁମାନଙ୍କ ଆପଏଣ୍ଟମେଣ୍ଟ ବାତିଲ ହୋଇଛି, ସେମାନେ ପୁଣି ଥରେ ଆପଏଣ୍ଟମେଣ୍ଟ ଧାର୍ଯ୍ୟ କରିପାରିବେ। ଶୁକ୍ରବାରଠାରୁ ୱେବସାଇଟ୍‌ ଠିକ୍ ଭାବେ କାମ କରିବ ବୋଲି କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି। 

Advertisment

ପାସ୍‌ପୋର୍ଟ ପାଇଁ ଲୋକମାନେ ସପ୍ତାହେ କିମ୍ବା ମାସେ ପୂର୍ବରୁ ଆପଏଣ୍ଟମେଣ୍ଟ ଧାର୍ଯ୍ୟ କରିଥାନ୍ତି। କାର୍ଯ୍ୟଦିବସରେ ସେହି କାମ ହେଉଥିବାରୁ ସେମାନଙ୍କୁ ନିଜ କାମ ସହ ସାଲିସ କରି କିମ୍ବା କାର୍ଯ୍ୟକ୍ଷେତ୍ରରୁ ଛୁଟି ନେବାକୁ ପଡ଼େ। ଏଭଳି ପରିସ୍ଥିତିରେ ଆପଏଣ୍ଟମେଣ୍ଟ ବାତିଲ ହୋଇଯିବା ଅନେକଙ୍କୁ ଅସୁବିଧାରେ ପକାଇ ଦେଇଛି। କୌଣସି ଆଗୁଆ ସୂଚନା ବିନା ଆପଏଣ୍ଟମେଣ୍ଟ ରଦ୍ଦ କରାଯାଉଥିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି। ଗତ ବୁଧବାରଠାରୁ ପାସ୍‌ପୋର୍ଟ ସର୍ଭର୍‌ ଡାଉନ୍ ରହିଛି। ତାହାକୁ ଠିକ୍ କରିବା ଲାଗି ବୈଷୟିକ ଟିମ୍ ଉଦ୍ୟମ ଜାରି ରଖିଥିବା କୁହାଯାଉଛି। ପ୍ରଭାବିତ ହୋଇଥିବା ଆବେଦନକାରୀମାନଙ୍କୁ ଆଉ ଥରେ ଆପଏଣ୍ଟମେଣ୍ଟ ଧାର୍ଯ୍ୟ କରିବାକୁ କୁହାଯାଇଛି। ଅତ୍ୟନ୍ତ ଜରୁରୀ କାମ କିମ୍ବା ବିଜନେସ୍‌ ଟ୍ରିପ୍‌ରେ ଯିବାକୁ ଥିବା ଅନେକ ଆବେଦନକାରୀ ଏହି ଘଟଣାରେ ପ୍ରଭାବିତ ହୋଇଛନ୍ତି। 

ଗତବର୍ଷ ଏପ୍ରିଲ୍‌ ମାସରେ ଭୁବନେଶ୍ବର ଆଞ୍ଚଳିକ ପାସ୍‌ପୋର୍ଟ ସେବା କେନ୍ଦ୍ରରେ ସମାନ ଧରଣର ସମସ୍ୟା ଦେଖାଦେଇଥିଲା। ସଫ୍ଟୱେର୍‌ରେ ସମସ୍ୟା ପାଇଁ ଆପଏଣ୍ଟମେଣ୍ଟ ସଂଖ୍ୟାକୁ ଯଥେଷ୍ଟ ହ୍ରାସ କରାଯାଇଥିଲା। ଫଳରେ ବହୁ ଲୋକ ପ୍ରବଳ ଖରାରେ ଠିଆ ହେବା ସହ ନିରାଶ ହୋଇ ଘରକୁ ଫେରିଥିଲେ।