ନୂଆଦିଲ୍ଲୀ: ଦେଶର କ୍ରମବର୍ଦ୍ଧିଷ୍ଣୁ ଉପଭୋକ୍ତା ବଜାରରେ ନିଜର ପ୍ରଭାବ ବିସ୍ତାର କରି ଚାଲିଛି ପତଞ୍ଜଳୀ । ବର୍ତ୍ତମାନ ଦେଶର କୋଣ ଅନୁରୋଣରେ ପହଞ୍ଚି ଗଲାଣି ପତଞ୍ଜଳୀର ବିଭିନ୍ନ ଶ୍ରେଣୀର ଉତ୍ପାଦ । ଏହାର ପ୍ରତିଷ୍ଠତା ବାବା ରାମଦେବ ପ୍ରକାଶ କରିଛନ୍ତି ଯେ ଆସନ୍ତା ୪ ବର୍ଷ ମଧ୍ୟରେ ସେ ପତଞ୍ଜଳୀକୁ ଉପଭୋକ୍ତା ବଜାରର ସବୁଠାରୁ ବଡ ବ୍ରାଣ୍ଡ ଭାବେ ଗଢିତୋଳିବେ । ୧୦,୦୦୦ କୋଟି ଟଙ୍କାର ପତଞ୍ଜଳୀ ଗ୍ରୁପ୍ର ପରବର୍ତ୍ତୀ ମାଲିକନା କାହା ହାତରେ ରହିବ ସେ ନେଇ ବାବା ରାମଦେବ ତାଙ୍କର ଯୋଜନା ସଂପର୍କରେ ଘୋଷଣା କରିଛନ୍ତି । ସେ କହିଛନ୍ତି ତାଙ୍କ ଦ୍ୱାରା ପ୍ରଶିକ୍ଷିତ ୫୦୦ ସାଧୁଙ୍କ ହାତରେ ପତଞ୍ଜଳୀ ଗ୍ରୁପ୍ର ମାଲିକାନା ରହିବ।
Sambad is now on WhatsApp
Join and get latest news updates delivered to you via WhatsApp
ଏକ ଟେଲିଭିଜନ୍ ଚାନେଲ୍ର ଟକ୍ ସୋ’ରେ ଯୋଗ ଦେଇ ସେ କହିଛନ୍ତି, ଆସନ୍ତା ୨ ବର୍ଷ ମଧ୍ୟରେ ‘ପତଞ୍ଜଳୀ’ର ଉତ୍ପାଦନ କ୍ଷମତା ୧ ଲକ୍ଷ କୋଟିରେ ପହଞ୍ଚିବାର ଯୋଜନା ରହିଛିି । ବର୍ତ୍ତମାନ ପତଞ୍ଜଳୀର ହରିଦ୍ୱାର କାରଖାନାରେ ୧୫,୦୦୦ କୋଟିର ଉତ୍ପାଦ ପ୍ରସ୍ତୁତ ହୋଇ ପାରୁଥିବା ବେଳେ ତେଜ୍ପୁର ଉତ୍ପାଦନ କେନ୍ଦ୍ରରେ ୨୫,୦୦୦ କୋଟିର ଉତ୍ପାଦ ତିଆରି ହେଉଛି । ଉତ୍ପାଦନ ବଢ଼ାଇବା ଲାଗି ପତଞ୍ଜଳୀ ନୋଏଡା, ନାଗପୁର. ଇନ୍ଦୋର ଓ ଆନ୍ଦ୍ରପ୍ରଦେଶରେ ଏହାର ନିଜସ୍ୱ ଉତ୍ପାଦନ କେନ୍ଦ୍ର ଖୋଲିବାକୁ ଯାଉଛିି । ଏଥିସହ ଆମର ୫୦ଟି କ୍ଷୁଦ୍ର ୟୁନିଟ୍ ରହିଛି ଯେଉଁଠି କେବଳ ଖାଇବା ତେଲ ଓ ଲୁଣ ଇତ୍ୟାଦି ତିଆରି ହେଉଛି । ଯଦି ବି ଆମେ ଆମର ଲକ୍ଷ ମୁତାବକ ୧ ଲକ୍ଷ କୋଟିର ଉତ୍ପାଦ ପ୍ରସ୍ତୁତ କରି ବଜାରକୁ ଛାଡୁ । ତେବେ ସମୁଦାୟ ବଜାରର ୧୦ ପ୍ରତିଶତ ହିଁ ଆମ ହାତକୁ ଆସିବ ବୋଲି ଯୋଗଗୁରୁ ରାମଦେବ କହିଛନ୍ତି ।
ଏଥିସହ ବାବା ପ୍ରକାଶ କରିଛନ୍ତି କି ପତଞ୍ଜଳୀ ଜିନ୍ସ, ଟ୍ରାଉଜର୍, କୁର୍ତ୍ତା, ସାର୍ଟ, ସୁଟିଙ୍ଗ୍, ଖେଳ ପୋଷାକ ଏବଂ ଯୋଗ ପୋଷାକ ପ୍ରସ୍ତୁତ କରି ବଜାରକୁ ଛାଡିବ । ଅନ୍ୟପକ୍ଷରେ ଟେଲିଭିଜନ୍ ସୋ’ ଜରିଆରେ ରାମଦେବ ଦେଶୀ ଗାଈ ଘିଅ ଏବଂ ଲହୁଣୀ ଉପରେ ୧୨ ପ୍ରତିଶତ ଜିଏସ୍ଟିକୁ କମାଇବା ଲାଗି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଅନୁରୋଧ କରିଛନ୍ତି । ଏଥିସହ ସେ ଚାଇନା ତିଆରି ସାମଗ୍ରୀ ଏବଂ ବିଦେଶୀ ସାମଗ୍ରୀକୁ ବର୍ଜନ କରିବାକୁ ଆହ୍ଵାନ କରିଛନ୍ତି । ଭାରତୀୟ ସାମଗ୍ରୀକୁ ବହୁଳ ପରିମାଣରେ ବିଦେଶକୁ ରପ୍ତାନୀ କରିବାକୁ ଅନୁରୋଧ କରିଛନ୍ତି ।
ବାବା ରାମଦେବ ଏକଥା ମଧ୍ୟ ସ୍ପଷ୍ଟ କରିଛନ୍ତି କି ପତଞ୍ଜଳୀ ଗରିବ ଦେଶଗୁଡିକୁ ଶୋଷଣ କରିବ ନାହିଁ, ବାଂଲାଦେଶ, ନେପାଳ, ପାକିସ୍ତାନ ଓ ଆଫ୍ରିକୀୟ ଦେଶ ଭଳି ଆର୍ଥିକ ଦୁର୍ବଳ ଦେଶରେ ବ୍ୟବସାୟରୁ ପତଞ୍ଜଳୀ ଯାହା ଆୟ କରିବ, ତାହା ଭାରତ ନ ଆଣି ସେଠାକାର ବ୍ୟାବସାୟିକ ଉନ୍ନତି କ୍ଷେତ୍ରରେ ଉପଯୋଗ କରିବ ।