ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ରୋଷର ଶିକାର ହେବା ପରେ ଭାରତୀୟ ଡିଜିଟାଲ୍ ବିପ୍ଳବର ପୋଷ୍ଟର୍ ବଏ ଭାବେ ପରିଚିତ ପେଟିଏମ୍ର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମାଙ୍କ ଭଲ ବେଳା ଶେଷ ହୋଇଯାଇଥିବା ଭଳି ମନେ ହେଉଛି। ପେଟିଏମ୍ ଜାରି କରିଥିବା ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ)ରେ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଏନେଇ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଶ୍ରୀ ଶର୍ମା ଓ କମ୍ପାନିର ଅନ୍ୟ ସଦସ୍ୟମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଛି। ଏହି ଖବର ପ୍ରକାଶ ପାଇବା ପରେ ଷ୍ଟକ୍ ବଜାରରେ ପେଟିଏମ୍ ସେୟାର ମୂଲ୍ୟ ହ୍ରାସ ପାଇଛି। ସେବି ନୋଟିସ୍ ଉପରେ ପ୍ରତିକ୍ରିୟା ରଖି ପେଟିଏମ୍ ଜଣାଇଛି ଯେ ଏହା ନୂଆ ଘଟଣା ନୁହେଁ।
ଆଇପିଓ ଦସ୍ତାବିଜରେ ପେଟିଏମ୍ କେତେକ ବିଭ୍ରାନ୍ତିକର ତଥ୍ୟ ଦେଇଥିବା ବେଳେ ଅଂଶଧନକାରୀମାନଙ୍କ ବିଷୟରେ ଠିକ୍ ଘୋଷଣା କରିନଥିବା ଅଭିଯୋଗ ରହିଛି। କମ୍ପାନି ଆଇପିଓ ଜରିଆରେ ଷ୍ଟକ୍ ବଜାରରୁ ପାଣ୍ଠି ଉଠାଇବା ବେଳେ ଶ୍ରୀ ଶର୍ମାଙ୍କୁ କର୍ମଚାରୀ ନୁହେଁ, ବରଂ ବଡ଼ ଅଂଶଧନକାରୀ ଭାବେ ଘୋଷଣା କରିବାର ଥିଲା। ଏଭଳି ପ୍ରସ୍ତାବକୁ କିଭଳି ସମର୍ଥନ କରାଗଲା ତାହାକୁ ନେଇ କମ୍ପାନିର ନିର୍ଦ୍ଦେଶକମାନଙ୍କୁ ସେବି ପ୍ରଶ୍ନ କରିଛି। ଏହି କାରସାଦି ଜରିଆରେ ଶ୍ରୀ ଶର୍ମା କର୍ମଚାରୀଙ୍କ ପାଇଁ ଥିବା ବହୁ ସେୟାର ପାଇବାରେ ସଫଳ ହୋଇଥିଲେ। କିନ୍ତୁ ସେବି ଏକଥାକୁ ପସନ୍ଦ କରୁନାହିଁ। ଜଣେ ବଡ଼ ଅଂଶଧନକାରୀ ହୋଇ କର୍ମଚାରୀଙ୍କ ଲାଗି ଥିବା ସେୟାର ହାସଲ କରିବା ଠିକ୍ ନୁହେଁ ବୋଲି ସେବି ଭାବୁଛି। ତେଣୁ ଏନେଇ ରହିଥିବା ନିୟମରେ ଏହା ପରିବର୍ତ୍ତ କରିବା ଉପରେ ବିଚାର କରୁଛି।