ପେଟିଏମ୍‌ ହରାଇଲା ୩୫ ହଜାର କୋଟି

ଷ୍ଟକ ବଜାରରେ ପ୍ରଥମ ଦିନ: ୨୧୫୦ ଟଙ୍କିଆ ସେୟାର ଦାମ୍ ୧୫୮୬ ଟଙ୍କା ସ୍ତରକୁ ଖସିଲା

ନୂଆଦିଲ୍ଲୀ: ଡିଜିଟାଲ୍ ପେମେଣ୍ଟ୍‌ ‌ସୁବିଧା ପ୍ରଦାନ କରୁଥିବା ସଂସ୍ଥା ପେଟିଏମ୍ ପାଇଁ ଷ୍ଟକ ବଜାରରେ ପ୍ରଥମ ଦିନ ଏତେଟା ଭଲ ରହିନାହିଁ। ଦେଶର ସର୍ବବୃହତ ୧୮,୩୦୦ କୋଟି ଟଙ୍କାର ଇନିସିଆଲ୍ ପବ୍ଳିକ୍ ଅଫର (ଆଇପିଓ) ଜାରି କରିଥିବା ଏହି ସଂସ୍ଥାର ସେୟାର ଆଜି ଷ୍ଟକ ବଜାରରେ ତାଲିକାଭୁକ୍ତ ହୋଇଛି। କିନ୍ତୁ କାରବାର ଆରମ୍ଭ ହେବାର କିଛି ସମୟ ପରେ କଂପାନିର ସେୟାର ମୂଲ୍ୟରେ ବଡ଼ ଧରଣ ହ୍ରାସ ଘଟିଛି। ନିବେଶକଙ୍କୁ ଗୋଟିଏ ଲେଖାଏଁ ୨୧୫୦ ଟଙ୍କାରେ ଆବଣ୍ଟନ କରାଯାଇଛି। ଆଜି କାରବାର ବେଳେ ଏକ ସମୟରେ ସେୟାର ଦାମ୍ ୧୫୮୬ ଟଙ୍କା ୨୫ ପଇସା ସ୍ତରକୁ ଖସିଯାଇଥିଲା। ସେୟାର ମୂଲ୍ୟ ହ୍ରାସ ପାଇବାରୁ ପେଟିଏମ୍‌ରେ ନିବେଶ କରିଥିବା ନିବେଶକମାନେ ଆଜି ୩୫ ହଜାର କୋଟି ଟଙ୍କାର କ୍ଷତି ସହିଛନ୍ତି।
ଷ୍ଟକ ବଜାରରେ ପ୍ରବେଶ କରିବା ପରେ ପେଟିଏମ୍‌ର ମୋଟ ବଜାର ପୁଞ୍ଜି ପରିମାଣ ୧.୦୭ ଲକ୍ଷ କୋଟି ଟଙ୍କା ହୋଇଛି। ଜୋମାଟୋର ୧.୨୨ ଲକ୍ଷ କୋଟି ଟଙ୍କା ଠାରୁ ତାହା କମ୍ ହୋଇଥିବା ବେଳେ ଫାଲ୍‌ଗୁନି ନାୟାରଙ୍କ ନାଏକାର ୧.୦୧ ଲକ୍ଷ କୋଟି ଟଙ୍କା‌ର ବଜାର ପୁଞ୍ଜି ଠାରୁ ତାହା ଅଧିକ ରହିଛି।‌ ଆଜି ସେୟାରକୁ ଷ୍ଟକ୍ ବଜାରରେ ତାଲିକାଭୁକ୍ତ କରି କାରବାର ଆରମ୍ଭ କରିବା ପରେ ସେହି ଦାମ୍‌ରେ ଦ୍ରୁତ ହ୍ରାସ ଘଟିଥିଲା। କଂପାନି ସେୟାର ଏଭଳି ଦୁର୍ବଳ ପ୍ରଦର୍ଶନ କରିବା ପରେ ଏହା ଉପରେ ମତ ରଖି କଂପାନିର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା କହିଛନ୍ତି ଯେ କୌଣସି ନିବେଶକ ଗୋଟିଏ ଦିନ ଲାଗି ନିବେଶ କରିନଥାଏ। ତେଣୁ ଗୋଟିଏ ଦିନ କଂପାନି ପ୍ରଦର୍ଶନର ମାପକାଠି ନୁହେଁ ବୋଲି ସେ କହିଛନ୍ତି। ପେଟିଏମ୍ ଉନ୍ନତ ପ୍ରଦର୍ଶନ କରିବ ବୋଲି ସେ ଆଶା ରଖିଛନ୍ତି।

ପ୍ରତିଷ୍ଠାତାଙ୍କ ଆଖିରେ ଲୁହ

ସେୟାର ବଜାରରେ ପେଟିଏମ୍ ପ୍ରବେଶ କରିବା ପରେ ଏହାର ପ୍ରତିଷ୍ଠାତା ବିଜୟ ‌ଶେଖର ଶର୍ମା ଭାବବିହ୍ବଳ ହୋଇପଡ଼ିଛନ୍ତି। ଷ୍ଟକ ବଜାରରେ ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ତାଙ୍କ ଆଖିରେ ଲୁହ ଆସିଯାଇଥିଲା। ଜଣେ ସ୍କୁଲ ଶିକ୍ଷକଙ୍କ ପୁଅ ବିଜୟ ଇଞ୍ଜିନିୟରିଂ ପାଠ ପଢ଼ିଥିଲେ। ୨୦୧୦ରେ ସେ ମୋବାଇଲ୍‌ ରିଚାର୍ଜ ସୁବିଧା ପ୍ରଦାନକାରୀ ସଂସ୍ଥା ଭାବେ ପେଟିଏମ୍‌କୁ ସ୍ଥାପନ କରିଥିଲେ। ଉବର୍‌ ଭଳି ସଂସ୍ଥା ଭାରତରେ ପ୍ରବେଶ କରିବା ପରେ ଡିଜିଟାଲ୍ ପେମେଣ୍ଟ୍‌ର ଚାହିଦା ବଢ଼ିଥିଲା। ଏହାର ପ୍ରଭାବରେ ପେଟିଏମ୍‌ ଖୁବ୍‌ କମ୍ ସମୟରେ ବେଶ ଚର୍ଚ୍ଚିତ ହୋଇପଡ଼ିଥିଲା। ୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମୁଦ୍ରୀକରଣ ଘୋଷଣା କରିବା ପରେ ପେଟିଏମ୍ ଦେଶର କୋଣ ଅନୁକୋଣରେ ଚର୍ଚ୍ଚିତ ହୋଇଥିଲା। ପେଟିଏମ୍‌ର ଆଇପିଓ ଜାରି କରିବା ପରେ ବିଜୟ ଏବେ ଜଣେ ବିଲିଓନେୟାର (୧୦୦ କୋଟି ଡଲାରରୁ ଅଧିକ) ଧନୀ ହୋଇପାରିଛନ୍ତି। ତାଙ୍କ ସମ୍ପତ୍ତି ମୂଲ୍ୟ ୨୪୦ କୋଟି ଡଲାର ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର