ପେଟିଏମ୍‌ ମଲ୍‌ର ଦୈନିକ କ୍ଷତି ୫ କୋଟି

ନୂଆଦିଲ୍ଲୀ: ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଇ-କମର୍ସ ବଜାରରେ ଆଗେଇବା ପାଇଁ ଏକ ସଂସ୍ଥା ଦୌଡ଼ୁଥିଲା। କିନ୍ତୁ ନିଜର ଖର୍ଚ ଉପରେ ନିୟନ୍ତ୍ରଣ ରଖିପାରିଲା ନାହିଁ। ସେଥିପାଇଁ ଏହି ସଂସ୍ଥାକୁ ୧୭୮୭ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ଅର୍ଥାତ ଦୈନିକ ଏହା ୫ କୋଟି ଟଙ୍କା ‌େଲଖାଏଁ ହରାଇଛି। ସଂସ୍ଥାର ନାମ ହେଉଛି ପେଟିଏମ୍ ମଲ୍‌। ଜାପାନର ସଂସ୍ଥା ସଫ୍ଟବ୍ୟାଙ୍କ ଓ ଚୀନ୍‌ର ଆଲିବାବା ଗ୍ରୁପ୍‌ ଠାରୁ ପାଣ୍ଠି ହାସଲ କରି ବିଜୟ ଶେଖର ଶର୍ମାଙ୍କ କଂପାନି ପେଟିଏମ୍ ପକ୍ଷରୁ ପେଟିଏମ୍‌ ମଲ୍‌ ନାମରେ ୨୦୧୬ରେ ଏକ ଇ-କମର୍ସ ସାଇଟ୍ ଆରମ୍ଭ କରାଯାଇଥିଲା।
ଇ-କମର୍ସ ବଜାରରେ ଫ୍ଲିପ୍‌କାର୍ଟ ଓ ଆମାଜନ୍‌ ପ୍ରଥମ ଦୁଇଟି ସ୍ଥାନ ଥିବା ବେଳେ ସେମାନଙ୍କ ଠାରୁ ବହୁତ ଦୂରରେ ପେଟିଏମ୍‌ ମଲ୍‌ ତୃତୀୟ ସ୍ଥାନରେ ରହିଛି। ଫ୍ଲିପ୍‌କାର୍ଟ ଓ ଆମାଜନ୍‌ ପାଖାପାଖି ପହଞ୍ଚିବା ପାଇଁ ୨୦୧୭-୧୮ରେ ପେଟିଏମ୍‌ ମଲ୍‌ ପକ୍ଷରୁ ୨୫୮୧ କୋଟି ଟଙ୍କା ଖର୍ଚ କରାଯାଇଥିଲା। ଅଧିକ ଗ୍ରାହକ ଓ ରାଜସ୍ବ ହାସଲ କରିବା ପାଇଁ କଂପାନି ଯେଉଁ ରଣନୀତି ପ୍ରସ୍ତୁତ କରି କାମ କରୁଥିଲା ତାହା ଫେଲ୍ ମାରିଛି। ସେଥିପାଇଁ କଂପାନି ବିପୁଳ ପରିମାଣର କ୍ଷତି ସହିଛି। ପେଟିଏମ୍‌ ମଲ୍‌ରେ ଜ୍ୟାକ୍‌ ମା’ଙ୍କ ଆଲିବାବାର ସର୍ବାଧିକ ୪୬.୦୯% ଅଂଶଧନ ଥିବା ବେଳେ ସଫ୍ଟବ୍ୟାଙ୍କର ୨୧.୧୩% ଓ ପେଟିଏମ୍‌ର ମାଲିକ ବିଜୟ ଶେଖର ଶର୍ମାଙ୍କ ୯.୯୯% ଅଂଶଧନ ରହିଛି। ବଳକା ଅଂଶଧନ ଅନ୍ୟ ନିବେଶକଙ୍କ ପାଖରେ ରହିଛି।

ସମ୍ବନ୍ଧିତ ଖବର