ନୂଆଦିଲ୍ଲୀ : ଅନଲାଇନ୍ ଆର୍ଥିକ ସେବା କମ୍ପାନୀ ପେଟିଏମ୍ ପାଇଁ ଖରାପ ସମୟ ଶେଷ ହେବାର ନାଁ ଧରୁନାହିଁ। ରିଜର୍ଭ ବ୍ୟାଙ୍କ କଠୋର ପଦକ୍ଷେପ ନେବା ପରଠାରୁ ଗତ ୧୦ ଦିନ ଧରି ଷ୍ଟକରେ ଦ୍ରୁତ ହ୍ରାସ ଦେଖିବାକୁ ମିଳିଛି। ବୁଧବାର କାରବାର ଅଧିବେଶନରେ ପେଟିଏମ୍ କମ୍ପାନିର ଷ୍ଟକ୍ ପୁଣି ୯ ପ୍ରତିଶତ ହ୍ରାସ ପାଇ ୩୪୪ ଟଙ୍କା ସ୍ତରରେ ପହଞ୍ଚିଛି।

Advertisment

ଏହାକୁ ମିଶାଇ ଗତ ୧୦ ଦିନ ହେବ ପେଟିଏମ୍ ର ଷ୍ଟକ ରେ ୫୫ ପ୍ରତିଶତରୁ ଅଧିକ ହ୍ରାସ ଦେଖିବାକୁ ମିଳିଛି । ଗତ ୧୦ ଦିନର ହ୍ରାସ ପରେ ପେଟିଏମ୍ ଷ୍ଟକ୍ ର ମାର୍କେଟ୍ କ୍ୟାପ୍ (ବଜାର ପୁଞ୍ଜି) ପ୍ରାୟ ୨୬୦୦୦ କୋଟି ଟଙ୍କା ହ୍ରାସ ପାଇଛି। ପେଟିଏମ୍ ସେୟାର, ଖୁଚୁରା ନିବେଶକଙ୍କ ଠାରୁ ଆରମ୍ଭ କରି ବଜାରରେ ବଡ଼ ନିବେଶକ, ବିଦେଶୀ ସଂସ୍ଥାଗତ ଏବଂ ମ୍ୟୁଚୁଆଲ୍ ଫଣ୍ଡ ହାଉସ୍ ଗୁଡ଼ିକ ବମ୍ପର କ୍ଷତିର ସମ୍ମୁଖୀନ ହୋଇଛନ୍ତି।

କ୍ରମାଗତ ହ୍ରାସ ପରେ ବଜାରର ଶୀର୍ଷ ବ୍ରୋକରେଜ୍ ଫାର୍ମ ପେଟିଏମ୍ କମ୍ପାନିର ସେୟାର ଉପରେ ନିଜର ରେଟିଂ ମଧ୍ୟ ପରିବର୍ତ୍ତନ କରିଛି। ସେହିପରି ବଜାରର ଶୀର୍ଷ ବ୍ରୋକରେଜ୍ ଫାର୍ମ ମ୍ୟାକ୍ୱାରି ମଧ୍ୟ ପେଟିଏମ୍ ର ଷ୍ଟକ୍ ଉପରେ ନିଜର ରେଟିଂ ପ୍ରଦାନ କରିଛି।

ପେଟିଏମ ଉପରେ ମନ୍ତବ୍ୟ ଦେଇ ମ୍ୟାକ୍ୱାରି କହିଛି ଯେ ପେଟିଏମ କମ୍ପାନୀ ବର୍ତ୍ତମାନ ବିଜୟ ଶେଖର ଶର୍ମାଙ୍କ ନେତୃତ୍ୱରେ ନିଜକୁ ବଞ୍ଚାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛି, ବର୍ତ୍ତମାନ ଆରବିଆଇ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଯୋଗୁଁ ପେଟିଏମ କମ୍ପାନୀ ଏହାର ଗ୍ରାହକ ହ୍ରାସକୁ ନେଇ ଚିନ୍ତାରେ ଅଛି, ଯାହାକି କମ୍ପାନୀର ବ୍ୟବସାୟ ମଡେଲ ଏବଂ ସେମାନଙ୍କ ମୁଦ୍ରାକରଣ ଉପରେ ମଧ୍ୟ ପ୍ରଭାବ ପକାଇପାରେ ।