ପେଟିଏମ୍ ପେମେଣ୍ଟ୍‌ ବ୍ୟାଙ୍କ ନୂଆ ଗ୍ରାହକ ‌ନେବନି

ରିଜର୍ଭ ବ୍ୟାଙ୍କ ଲଗାଇଲେ କଟକଣା, ଆଇଟି ଅଡିଟ୍ ପାଇଁ ନିର୍ଦ୍ଦେଶ

ମୁମ୍ବାଇ: ପେଟିଏମ୍ ପେମେଣ୍ଟ୍‌ ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ କଟକଣା ଜାରି କରିଛନ୍ତି। ଏହା କୌଣସି ନୂଆ ଗ୍ରାହକଙ୍କୁ ଯୋଡ଼ିପାରିବ ନାହିଁ। ଏହି କଟକଣା ତତ୍କାଳ ଲାଗୁ କରାଯାଇଛି। ନିଜ ଆଇଟି ବ୍ୟବସ୍ଥାର ଅଡିଟ୍ କରିବା ଲାଗି ତୁରନ୍ତ ଏକ ଆଇଟି ଅଡିଟ୍‌ ସଂସ୍ଥା ନିଯୁକ୍ତ କରିବାକୁ ବ୍ୟାଙ୍କକୁ ନିର୍ଦେଶ ଦିଆଯାଇଛି। ସେହି ଅଡିଟ୍ ରିପୋର୍ଟ ମିଳିବା ପରେ ତାହାକୁ ତର୍ଜମା କରାଯିବ। ତା’ପରେ ନୂଆ ଗ୍ରାହକ ଯୋଡ଼ିବା ଲାଗି ଅନୁମତି ଦିଆଯିବା ସମ୍ପର୍କିତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ପେଟିଏମ ପେମେଣ୍ଟ୍‌ ବ୍ୟାଙ୍କରେ କିଛି ପରିଚାଳନାଗତ ସମସ୍ୟା ଥିବାରୁ ବ୍ୟାଙ୍କିଙ୍ଗ ନିୟାମକ ନିୟମର ଧାରା ୩୫ଏ ଆଧାରରେ ରିଜର୍ଭ ବ୍ୟାଙ୍କ ଏହି କଟକଣା ଲଗାଇଛନ୍ତି। ଜମାକାରୀଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ବ୍ୟାଙ୍କିଙ୍ଗ ସେବା ପ୍ରଦାନ କରୁଥିବା ସଂସ୍ଥାର ବ୍ୟାପାର ଉପରେ କଟକଣା ଲଗାଇବା ଲାଗି ଏହି ଧାରା ଜରିଆରେ ରିଜର୍ଭ ବ୍ୟାଙ୍କକୁ କ୍ଷମତା ପ୍ରଦାନ କରାଯାଇଛି। ନିୟମ ଅନୁସାରେ ଏକ ପେମେଣ୍ଟ୍‌ ବ୍ୟାଙ୍କ ଋଣ ଦେଇପାରିବ ନାହିଁ।

୨୦୧୭ରେ ପେଟିଏମ୍‌ ପେମେଣ୍ଟ୍ ବ୍ୟାଙ୍କକୁ ଲାଇସେନ୍ସ ଦିଆଯାଇଥିଲା। ଦ୍ବିତୀୟ ଥର ଲାଗି ରିଜର୍ଭ ବ୍ୟାଙ୍କ ଏହି ସଂସ୍ଥା ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିଛି। ଏହା ପୂର୍ବରୁ ୨୦୧୮ ଅଗଷ୍ଟରେ ସମାନ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ସେହି ସମୟରେ ଏହି ସଂସ୍ଥା ନୋ ୟୋର କଷ୍ଟମର (କେୱାଇସି) ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ରହିଥିଲା।

ପେଟିଏମ୍‌ ପେମେଣ୍ଟ୍‌ ବ୍ୟାଙ୍କ ଏହାର ମାଲିକ ସଂସ୍ଥା ୱାନ୍‌୯୭ କମ୍ୟୁନିକେସନ୍ ଲିମିଟେଡ୍‌ ସହିତ ନିବିଡ଼ ସମ୍ପର୍କ ରଖୁଥିବାରୁ ରିଜର୍ଭ ବ୍ୟାଙ୍କ ସେଥିରେ ସନ୍ତୁଷ୍ଟ ନଥିଲେ। ୧୦୦ କୋଟି ଟଙ୍କାର ‌କାରବାର ଆବଶ୍ୟକତାକୁ ମଧ୍ୟ ଏହି ସଂସ୍ଥା ବଜାୟ ରଖୁନଥିଲା। ଖାତା ପିଛା ୧ ଲକ୍ଷ ଟଙ୍କା ଜମା ରାଶି ନିୟମକୁ ମଧ୍ୟ ଏହା ଉଲ୍ଲଂଘନ କରୁଥିଲା ବୋଲି ଅତୀତରେ ଅଭିଯୋଗ ରହିଥିଲା। ଗତ ଅକ୍ଟୋବରରେ‌ ପେଟିଏମ୍ ପେମେଣ୍ଟ୍‌ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କ ସେକେଣ୍ଡ୍‌ ସିଡ୍ୟୁଲ୍‌ରେ ସାମିଲ କରିଥିଲା।

ଅକ୍ଟୋବର ୨-୮ ମଧ୍ୟର ଗେଜେଟ୍ ଅଫ୍ ଇଣ୍ଡିଆରେ ତାହାକୁ ପ୍ରକାଶ କରାଯାଇଥିଲା। ଏହା ଜରିଆରେ ଏହି ବ୍ୟାଙ୍କକୁ ସିଡ୍ୟୁଲଡ୍‌ ପେମେଣ୍ଟ୍ ବ୍ୟାଙ୍କର ମାନ୍ୟତା ଦିଆଯାଇଥିଲା। ପେଟିଏମ୍‌ର ପ୍ରତିଷ୍ଠାତା ଓ ସିଇଓ ବିଜୟ ଶେଖର ଶର୍ମା ଓ ତାଙ୍କ ମୂଳ ସଂସ୍ଥା ୱାନ୍୯୭ କମ୍ୟୁନିକେସନ୍ସ ଲିମିଟେଡ୍‌ ମାଲିକାନାରେ ପେଟିଏମ୍ ପେମେଣ୍ଟ୍‌ ବ୍ୟାଙ୍କ ରହିଛି। ବିଜୟ ହେଉଛନ୍ତି ବ୍ୟାଙ୍କର ଅଧ୍ୟକ୍ଷ। ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ଏହି ବ୍ୟାଙ୍କରେ ୬.୪ କୋଟି ସଞ୍ଚୟ ଖାତା ଥିଲା ଓ ସେଥିରେ ୫,୨୦୦ କୋଟି ଟଙ୍କାର ଜମା ରାଶି ରହିଥିଲା। ଏହା ହେଉଛି ଅନ୍ୟତମ ବୃହତ ୟୁପିଆଇ ହିତାଧିକାରୀ ବ୍ୟାଙ୍କ ଓ ଏହାର ବୈଷୟିକ ବିଫଳତା ହାର ମଧ୍ୟ ସର୍ବନିମ୍ନ ରହିଛି।

ସମ୍ବନ୍ଧିତ ଖବର