ନୂଆଦିଲ୍ଲୀ: ପେଟିଏମ୍ ଏବଂ ଆକ୍ସିସ୍ ବ୍ୟାଙ୍କ ଚଳିତ ସପ୍ତାହରେ ଏନପିସିଆଇରେ ତୃତୀୟ ପକ୍ଷ ଆପ୍ଲିକେସନ୍ ପ୍ରୋଭାଇଡର୍ (ଟିପିଏପି) ହେବା ପାଇଁ ଆବେଦନ କରିବେ। ଯଦି ସେମାନଙ୍କୁ ଏହାର ଅନୁମୋଦନ ମିଳିବ ତେବେ ପେଟିଏମ୍ ନିଜର ୟୁପିଆଇ ସେବା ଜାରି ରଖିବାକୁ ସକ୍ଷମ ହେବ। ବର୍ତ୍ତମାନ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଜରିଆରେ ପେଟିଏମ୍ ନିଜର ୟୁପିଆଇ ସେବା ପ୍ରଦାନ କରୁଥିବା ବେଳେ ଆରବିଆଇ ପେଟିଏମର ଏହି ବ୍ୟାଙ୍କ ଉପରେ କଟକଣା ଲଗାଇଛି। ମାର୍ଚ୍ଚ ୧୫ ପରେ ଫାସଟ୍ୟାଗ୍ ଭଳି ସେବାର ବ୍ୟବହାର ଗ୍ରାହକମାନେ ପେଟିଏମରେ ୱାଲେଟରେ ଟଙ୍କା ଜମା କରିପାରିବେ ନାହିଁ।
ଏହି ପରିପ୍ରେକ୍ଷୀରେ ପେଟିଏମ୍ ପାଇଁ ଏନପିସିଆଇର ଅନୁମୋଦନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପେଟିଏମର ମୂଳ କମ୍ପାନି ୱାନ୍ ୯୭ କମ୍ୟୁନିକେସନ୍ ମଧ୍ୟ ନିକଟରେ କହିଛି ଯେ ବ୍ୟବସାୟଙ୍କ ଲାଗି ପେମେଣ୍ଟର ସମାଧାନ ପାଇଁ ଏହା ଆକ୍ସିସ୍ ବ୍ୟାଙ୍କ ସହ ସହଯୋଗିତା ସ୍ଥାପନ କରିଛି। ଗତ କିଛି ଦିନ ହେବ ୟୁପିଆଇକୁ ନିୟନ୍ତ୍ରଣ କରୁଥିବା ସଂସ୍ଥା ଏନପିସିଆଇ ସହ ଉଭୟ ପକ୍ଷ ଆଲୋଚନା କରୁଛନ୍ତି। ଫୋନ୍ ପେ, ଗୁଗୁଲ୍ ପେ ଭଳି ୟୁପିଆଇ ଆପ୍ ମଧ୍ୟ ତୃତୀୟ ପକ୍ଷ ଆପ୍ଲିକେସନ୍ ପ୍ରଦାନକାରୀ। ୟୁପିଆଇ ସେବା ପାଇଁ ବ୍ୟାଙ୍କ ସହ ସେମାନଙ୍କ ସହଯୋଗିତା ରହିଛି । ତେବେ ପେଟିଏମ ପାଖରେ ନିଜର ଏକ ବ୍ୟାଙ୍କ ଥିବାରୁ ଏହାକୁ ଏପର୍ଯ୍ୟନ୍ତ ଅନ୍ୟ କୌଣସି ବ୍ୟାଙ୍କ ସହ ସହଯୋଗିତା ସ୍ଥାପନ କରିବା ଦରକାର ପଡ଼ିନଥିଲା।
ଗୁଗୁଲପେ, ଆମାଜନପେ, କ୍ରେଡ୍ ଏବଂ ଫୋନପେ ଭଳି ୟୁପିଆଇ ଆପ୍ର ଆକ୍ସିସ୍ ବ୍ୟାଙ୍କ ସହ ସହଯୋଗିତା ରହିଛି। ପେମେଣ୍ଟ ବିଫଳତା ଏବଂ ଟ୍ରାଞ୍ଜାକସନ ସ୍ପିଡ ସହିତ ଜଡିତ ବିପଦକୁ ଦୃଷ୍ଟିରେ ରଖି ଏହି ଆପ୍ଗୁଡିକ ଏକାଧିକ ବ୍ୟାଙ୍କ ସହ ସହଯୋଗିତା କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ପେଟିଏମ୍ ପେମେଣ୍ଟ୍ ବ୍ୟାଙ୍କରେ ଜମା ଏବଂ ଅନ୍ୟାନ୍ୟ କାରବାରର ସମୟସୀମାକୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଚଳିତ ମାସ ୧୬ ତାରିଖ ଶୁକ୍ରବାର ଆରବିଆଇ ଏ ନେଇ ଏକ ସର୍କୁଲାର ଜାରି କରିଛି। ଗତ କିଛି ଦିନ ତଳେ ଏହା ପାଖୁ ମଧ୍ୟ ଲୋକଙ୍କଠାରୁ ଅନେକ ପ୍ରଶ୍ନ ଆସିଥିଲା। ତାହାକୁ ଆଧାର କରି ରିଜର୍ଭ ବ୍ୟାଙ୍କ ଏକ ଏଫଏକ୍ୟୁ ମଧ୍ୟ ଜାରି କରିଛି।