ମୁମ୍ବାଇ: ପେଟିଏମ୍‌ର ମୂଳ କମ୍ପାନି ୱାନ ୯୭ କମ୍ୟୁନିକେସନ୍ସ ଦେଶର ସର୍ବବୃହତ୍ ଆଇପିଓ ଆଣିବ। ୧୬୬୦୦ କୋଟି ଟଙ୍କା ମୂଲ୍ୟର ଉକ୍ତ ଆଇପିଓକୁ ପୁଞ୍ଜି ବଜାର ନିୟାମକ ସେବି ଆଜି ମଞ୍ଜୁରି ଦେଇଛି। ନଭେମ୍ବରରେ ପୁଞ୍ଜି ବଜାରରେ ତାଲିକାଭୁକ୍ତ ହେବା ପାଇଁ କମ୍ପାନି ଯୋଜନା ରଖିଥିବା ଅନୁମାନ କରାଯାଉଛି।
ପେଟିଏମ୍ ଆଇପିଓ ପୂର୍ବରୁ କୋଲ୍ ଇଣ୍ଡିଆ ଲିମିଟେଡ ୨୦୧୦ ମସିହାରେ ୧୫୯୯୦ କୋଟି ଟଙ୍କାର ଆଇପିଓ ଆଣିଥିଲା। ତାହା ହିଁ ଆଜି ପର୍ଯ୍ୟନ୍ତ ସବୁଠୁ ବଡ଼ ଆଇପିଓ ରହିଛି। ସେହିଭଳି ରିଲାଏନ୍ସ ପାୱାର, ଜିଆଇସି, ଏସବିଆଇ କାର୍ଡସ, ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ ଭଳି କମ୍ପାନି ମଧ୍ୟ ବଡ଼ ଆଇପିଓ ଆଣିଛନ୍ତି। ରିଲାଏନ୍ସ ପାୱାର ୨୦୦୮ରେ ୧୧,୭୦୦ କୋଟି ଟଙ୍କାର, ଜିଆଇସି ୨୦୧୭ରେ ୧୧,୧୭୬ କୋଟି ଟଙ୍କାର, ଏସବିଆଇ କାର୍ଡସ ୨୦୨୦ରେ ୧୦୩୫୫ କୋଟି ଟଙ୍କାର ଏବଂ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ ୨୦୧୭ରେ ୯୬୦୦ କୋଟି ଟଙ୍କାର ଆଇପିଓ ଆଣିଥିଲା। ଚଳିତବର୍ଷ ଜୋମାଟୋ ଆଣିଥିବା ୯୩୭୫ କୋଟି ଟଙ୍କାର ଆଇପିଓକୁ ବିଶେଷ ସଫଳତା ମିଳିଛି। ତେଣୁ ପେଟିଏମ ଆଇପିଓକୁ ନେଇ ମଧ୍ୟ ଅନେକ ଆଶା ରହିଛି।

Advertisment

କମ୍ପାନି ପକ୍ଷରୁ ପ୍ରସ୍ତୁତ ଚିଠା ଆଇପିଓ ଦସ୍ତାବିଜ୍‌ ଅନୁଯାୟୀ, ୱାନ ୯୭ କମ୍ୟୁନିକେସନ୍ସ ଇକ୍ବିଟି ସେୟାର ବିକ୍ରି ମାଧ୍ୟମରେ ୮୩୦୦ କୋଟି ଟଙ୍କା ଏବଂ ଅଫର-ଫର-ସେଲ୍‌ ମାଧ୍ୟମରେ ଆଉ ୮୩୦୦ କୋଟି ଟଙ୍କା ସଂଗ୍ରହ କରିବା ଲକ୍ଷ୍ୟ ରଖିଛି।