ନୂଆଦିଲ୍ଲୀ: କମ୍ପ୍ୟୁଟର କିମ୍ବା ଲାପ୍ଟପ୍ କିଣିବା ବେଳେ ଗ୍ରାହକମାନେ ଯାହା ଉପରେ ସର୍ବାଧିକ ଗୁରୁତ୍ବ ଦେଇଥାନ୍ତି ତାହା ହେଉଛି ପ୍ରୋସେସର। ବିଶ୍ବସ୍ତରୀୟ କଂପାନି ଇଣ୍ଟେଲ୍ ଯୋଗାଉଥିବା ଦୁଇ ପ୍ରକାର ପ୍ରୋସେସର ପେଣ୍ଟିଅମ୍ ଓ ସେଲେରନ୍ ଗ୍ରାହକମାନଙ୍କ ମଧ୍ୟରେ ବେଶ ପରିଚିତ। ପେଣ୍ଟିଅମ୍ର ନୂଆ ପିଢ଼ିର ପ୍ରୋସେସର ଲାଗିଥିବା ପିସି କିମ୍ବା ଲାପ୍ଟପ୍ କିଣିବା ଲାଗି ଗ୍ରାହକମାନେ ଅଧିକ ଆଗ୍ରହ ଦେଖାଉଛନ୍ତି। କମ୍ପ୍ୟୁଟରପ୍ରେମୀଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଥିବା ଏହି ଦୁଇ ପ୍ରକାର ପ୍ରୋସେସର୍ର ନାମକୁ ଇଣ୍ଟେଲ୍ ଆଉ ବ୍ୟବହାର କରିବ ନାହିଁ। ଏହି ଦୁଇ ପ୍ରୋସେସରକୁ କଂପାନି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ୨୦୨୩ରୁ ଆଉ ଏହି ପ୍ରୋସେସରଗୁଡ଼ିକୁ ବ୍ୟବହାର କରାଯିବ ନାହିଁ। ପେଣ୍ଟିଅମ୍ ପ୍ରୋସେସର ଯାତ୍ରା ଦୀର୍ଘ ୩୦ ବର୍ଷ ପରେ ବନ୍ଦ ହେବାକୁ ଯାଉଛି। ଇଣ୍ଟେଲ୍ ପକ୍ଷରୁ ୧୯୯୩ରେ ଏହାକୁ ଉନ୍ମୋଚନ କରାଯାଇଥିଲା। ପ୍ରଥମେ ଦାମୀ କମ୍ପ୍ୟୁଟରରେ ବ୍ୟବହାର କରିବା ପରେ ତାହାକୁ ଲାପ୍ଟପ୍ରେ ମଧ୍ୟ ବ୍ୟବହାର କରାଯାଇଥିଲା। ୨୦୦୬ରେ ପେଣ୍ଟିଅମ୍ର କୋର୍ ସିରିଜ୍କୁ ଉନ୍ମୋଚନ କରାଯାଇଥିଲା।
ସେହିବର୍ଷ ଠାରୁ କେବଳ କୋର୍ ପ୍ରୋସେସର ଉପରେ କଂପାନି ଜୋର ଦେଉଥିଲା। ଏବେ ପେଣ୍ଟିଅମ୍ ଓ ସେଲେରନ୍ ପ୍ରୋସେସରକୁ ବନ୍ଦ କରି କେବଳ ଇଣ୍ଟେଲ୍ ନାମରେ ପ୍ରୋସେସର ବିକ୍ରି କରିବାକୁ କଂପାନି ନିଷ୍ପତ୍ତି ନେଇଛି। ସେଲେରନ୍ ହେଉଛି ଇଣ୍ଟେଲ୍ର ଆଉ ଏକ ପ୍ରୋସେସର ବ୍ରାଣ୍ଡ୍ ଯାହାକୁ ସାଧାରଣତଃ କମ୍ ଦାମ୍ର କମ୍ପ୍ୟୁଟରରେ ବ୍ୟବହାର କରାଯାଇଥାଏ। ପେଣ୍ଟିଅମ୍ ପ୍ରୋସେସରକୁ ଉନ୍ମୋଚନ କରିବାର ପାଞ୍ଚ ବର୍ଷ ପରେ ଅର୍ଥାତ ୧୯୯୮ରେ ପେଣ୍ଟିଅମ୍ ୨ ଆଧାରରେ ପ୍ରଥମ ସେଲେରନ୍ ଚିପ୍ ପ୍ରସ୍ତୁତ କରାଯାଇଥିଲା। ଏବେ ସେଲେରନ୍ ପ୍ରୋସେସରକୁ ମୁଖ୍ୟତଃ କ୍ରୋମ୍ବୁକ୍ସ ଓ କମ୍ ମୂଲ୍ୟର ଲାପ୍ଟପ୍ରେ ବ୍ୟବହାର କରାଯାଉଛି। ଆଗାମୀ ଦିନରେ ଇଣ୍ଟେଲ୍ ପକ୍ଷରୁ ଇଣ୍ଟେଲ୍ କୋର୍, ଭିପ୍ରୋ, ଇଭୋ, ଏର୍ ଭଳି ପ୍ରୋସେସର ଉପରେ ଗୁରୁତ୍ବ ଦିଆଯିବ। ଆଉ ପେଣ୍ଟିଅମ୍ କିମ୍ବା ସେଲେରନ୍ ଭଳି କିଛି ପ୍ରୋସେସର ମିଳିବନି। ସବୁ କିଛିକୁ କେବଳ ପ୍ରୋସେସର କୁହାଯିବ।