ନୂଆଦିଲ୍ଲୀ: କରୋନା ସଙ୍କଟ ପ୍ରଭାବରେ ରାଜସ୍ବ ଆୟ ଗୁରୁତର ଭାବେ ପ୍ରଭାବିତ ହୋଇଥିବାରୁ ନିକଟରେ ଭାରତ ସରକାର ଏବଂ କିଛି ରାଜ୍ୟର ସରକାର ପେଟ୍ରୋଲ୍, ଡିଜେଲ୍ ଓ ମଦ ଉପରେ ଟିକସ ବଢ଼ାଇଛନ୍ତି। ସେମାନଙ୍କ ଉଦ୍ଦେଶ୍ୟ ରାଜସ୍ବ ଆୟ ହୋଇଥିଲେ ମଧ୍ୟ ତାହା ସାଧାରଣ ଜନତାଙ୍କୁ କେଉଁଭଳି ଭାବେ ପ୍ରଭାବିତ କରିବାକୁ ଯାଉଛି ତାହା ହୁଏତ ସବୁ ସରକାର ବୁଝିବାକୁ ପ୍ରୟାସ କରିନାହାନ୍ତି। ଆର୍ନ୍ତଜାତିକ ସଂସ୍ଥା ‘ଅର୍ଥନୈତିକ ସହଯୋଗ ଓ ବିକାଶ ସଂଗଠନ (ଓଇସିଡି) ଅନୁସାରେ ଟିକସରେ ହୋଇଥିବା ବୃଦ୍ଧି ସାଧାରଣ ଜନତାଙ୍କ ଘର ଭିତରର ସଞ୍ଚୟକୁ କମାଇ ଦେବ। ସେମାନେ ପୂର୍ବରୁ ଯେଭଳି ବିଭିନ୍ନ ପ୍ରକାର ସାମଗ୍ରୀ ଓ ସେବା ବ୍ୟବହାର କରୁଥିଲେ ତାହା ମଧ୍ୟ ହ୍ରାସ ପାଇବ। ଏଥି ସହିତ ଗ୍ରାହକ ଚାହିଦା ମଧ୍ୟ କମିଯିବ। ଏହି ତିନିଟି ବିଷୟ ଯେକୌଣସି ଦେଶର ଅର୍ଥନୀତି ପାଇଁ ଶୁଭଙ୍କର ନୁହେଁ।

Advertisment

ମଦ ଓ ତୈଳ ଉପରେ ଟିକସ ବୃଦ୍ଧି କରାଯିବା ପରେ ଭାରତରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ପ୍ରତି ପରୋକ୍ଷ ଟିକସର ଭାଗ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ୨୦୦୯-୧୦ ବେଳକୁ ଏହି ହାର ମାତ୍ର ୬.୧ ପ୍ରତିଶତ ଥିଲା। ୨୦୧୮-୧୯ରେ ତାହା ୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ଏହା ଆହୁରି ବଢ଼ିବ ବୋଲି ଆକଳନ କରାଯାଇଛି। ଏହି ହାର ବଢ଼ିଲେ ଲୋକମାନେ ନିଜ ଘରେ ଆଉ ଅଧିକ ସଞ୍ଚୟ କରିପାରିବେ ନାହିଁ। ବିଭିନ୍ନ ସାମଗ୍ରୀ ଓ ସେବାର ଚାହିଦା ଗୁରୁତର ଭାବେ ହ୍ରାସ ପାଇବ। ଲୋକମାନେ ନିବେଶ କରିବାକୁ ମଧ୍ୟ ପଛଘୁଞ୍ଚା ଦେବେ। ଓଇସିଡି ମତରେ ଏକ ପରିବାରର କିମ୍ବା ଘରର ଆୟ ହିସାବ କରିବା ବେଳେ ମଜୁରି, ବେତନ, ସ୍ବାବଲମ୍ବୀ ଥିବା ସଦସ୍ୟଙ୍କ ଆୟ, ସ୍ଥାପିତ ହୋଇନଥିବା ସଂସ୍ଥାରୁ ଆୟ ଏବଂ ସାମାଜିକ ଲାଭ ଇତ୍ୟାଦିକୁ ବିଚାରକୁ ନିଆଯାଏ। ସେଥିରୁ ସାମାଜିକ ସହଯୋଗ ପାଇଁ ପରିବାରଟି ପ୍ରଦାନ କରିଥିବା ଆର୍ଥିକ ରାଶି ଏବଂ ଟିକସ ଓ ସୁଧ ଦେୟକୁ ବାଦ ଦିଆଯାଏ। ଘର ଚଳାଇବା ଲାଗି ଆୟର ଏକ ନିର୍ଦିଷ୍ଟ ଭାଗ ଖର୍ଚ୍ଚ ହୋଇଯିବା ପରେ ଯାହା ବଳକା ରହିଯାଏ ତାହାକୁ ଅର୍ଥନୀତି ଭାଷାରେ ‘ଡିସ୍‌ପୋଜେବଲ୍‌ ଇନ୍‌କମ୍’ କୁହାଯାଏ। ତାହାକୁ ଲୋକମାନେ ନିଜ ଉପରେ ଖର୍ଚ୍ଚ କରନ୍ତି, ସଞ୍ଚୟ କିମ୍ବା ନିବେଶ ପାଇଁ ବ୍ୟବହାର କରନ୍ତି। ଯଦି ଏହି ହାର ଦେଶର ଜିଡିପି ହାର ଠାରୁ କମ୍ ହେବ ତେବେ ଲୋକମାନେ ନିଜର ଖର୍ଚ୍ଚ, ସଞ୍ଚୟ ଓ ନିବେଶ କମ୍ କରିବାକୁ ଲାଗିବେ ବୋଲି ଇଣ୍ଡିଆ ରେଟିଙ୍ଗସ୍‌ ମୁଖ୍ୟ ଅର୍ଥନୀତିଜ୍ଞ ଦେବେନ୍ଦ୍ର ପନ୍ତ କହିଛନ୍ତି।

ଦେଶରେ ଟିକସ ହାର ବଢ଼ିବା ପରେ ଜିଡିପିକୁ ଘର ଡିସ୍‌ପୋଜେବଲ୍ ଇନ୍‌କମ୍ ଅନୁପାତ ହ୍ରାସ ପାଇଛି। ୨୦୧୮-୧୯ରେ ଏହି ହାର ୮୫ ପ୍ରତିଶତକୁ ହ୍ରାସ ପାଇଛି। ୨୦୦୮-୦୯ରେ ତାହା ୯୦ ପ୍ରତିଶତ ସ୍ତର‌ରେ ଥିଲା। ‌ତୈଳ ଟିକସ ବୃଦ୍ଧିର ଅନ୍ୟତମ ଖରାପ ଦିଗଟି ହେଉଛି ଏହା ପରବହନ ଖର୍ଚ୍ଚ ବଢ଼ାଇବ। ଫଳରେ ଭାରତୀୟ ମାନୁଫାକ୍‌ଚରିଂ କ୍ଷେତ୍ର ଅଧିକ ପ୍ରତିଯୋଗିତାମୂଳକ ହୋଇପାରିବ ନାହିଁ।