ଭୁବନେଶ୍ବର: ଜିଏସ୍ଟି ପରିଷଦ ବୈଠକରେ ହୋଇଥିବା ଐତିହାସିକ ନିଷ୍ପତି ଦ୍ୱାରା ସାଧାରଣ ବର୍ଗର ଲୋକମାନଙ୍କରଆକାଂକ୍ଷା ପୂରଣ ହେବ ଏବଂ ସମାଜରେ ଆର୍ଥିକ ଆତ୍ମବିଶ୍ୱାସ ବଢ଼ିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଜିଏସ୍ଟି ପରିଷଦର ନିଷ୍ପତ୍ତି ପ୍ରଶଂସନୀୟ ଏବଂ ସ୍ୱାଗତଯୋଗ୍ୟ। ଏହି ନିଷ୍ପତି ଦ୍ୱାରା ଦୈନନ୍ଦିନ ବ୍ୟବହାର ଯୋଗ୍ୟ ସାମଗ୍ରୀ ଶସ୍ତା ହେବ। ସ୍କୁଲ ଯାଉଥିବା ଛାତ୍ରଛାତ୍ରୀମାନଙ୍କ ଠାରୁ ଆରମ୍ଭ କରି ଦେଶର ଗରିବ ଓ ସମାଜର ମଧ୍ୟମ ବର୍ଗର ନାଗରିକ, କୃଷକ, ଏମ୍ଏସ୍ଏମ୍ଇ, ମଧ୍ୟବିତ୍ତ, ମହିଳା ଏବଂ ଯୁବକମାନେ ଲାଭବାନ ହେବେ। ଏହା ମୋଦୀ ସରକାରଙ୍କ ଦଶହରା ଓ ଦୀପାବଳି ଉପହାର। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି।
କେନ୍ଦୁପତ୍ରରୁ ଜିଏସ୍ଟି ହ୍ରାସ ଦ୍ୱାରା ୧୫ ଲକ୍ଷ ଉପକୃତ ହେବେ
ସେ କହିଛନ୍ତି ଯେ କେନ୍ଦୁ ପତ୍ର ଉପରେ ଜିଏସ୍ଟି ସ୍ଲାବ୍ ୧୮%ରୁ ୫%କୁ ହ୍ରାସ କରାଯାଇଛି। ଏହି ନିଷ୍ପତି ଦ୍ୱାରା କେନ୍ଦୁ ପତ୍ର ଶିଳ୍ପ ସହିତ ଜଡ଼ିତ ୧୫ ଲକ୍ଷରୁ ଅଧିକ ଲୋକମାନେ ଉପକୃତ ହେବେ। ସୂତା ଉପରେ ଜିଏସ୍ଟି ୧୨%ରୁ ହ୍ରାସ ପାଇ ୫% ହୋଇଛି। ଏହାଦ୍ୱାରା ଓଡ଼ିଶା ବିଶେଷକରି ରାଜ୍ୟର ପଶ୍ଚିମାଞ୍ଚଳର ବୁଣାକାରମାନେ ଲାଭବାନ ହେବେ। କୋଇଲା ଉପରେ ଜିଏସ୍ଟି ୧୮%କୁ ବୃଦ୍ଧି କରାଯାଇଛି। ଏହାଦ୍ବାରା ଏମ୍ସିଏଲ ଭଳି କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ବେସରକାରୀ ସଂସ୍ଥାର ମିଳିତ ଉଦ୍ୟମରେ ୨୫୦ ମିଲିୟନ ମେଟ୍ରିକ୍ ଟନ୍ ପର୍ଯ୍ୟନ୍ତ କୋଇଲା ଉତ୍ପାଦନ କରାଯିବାର ଲକ୍ଷ୍ୟ ରଖାଯାଇଛି । ପୂର୍ବରୁ ଓଡ଼ିଶାର ରାଜସ୍ୱକୁ ୨.୫% ରାଜସ୍ୱ ମିଳୁଥିଲା ବେଳେ ଏବେ ୯% ରାଜସ୍ୱ ମିଳିବ। ଏହାଦ୍ୱାରା ଓଡ଼ିଶା ବିଶେଷ ଲାଭବାନ ହେବ। ଔଷଧ ସିଞ୍ଚନକାରୀ ଯନ୍ତ୍ର, ଅମଳ କାମରେ ଲାଗୁଥିବା ଯନ୍ତ୍ରପାତି, ଟ୍ରାକ୍ଟର ଓ ଏହାର ଟାୟାର ତଥା ସାର ପାଇଁ ବ୍ୟବହୃତ କଞ୍ଚାମାଲ ଉପରୁ ଜିଏସ୍ଟି ହ୍ରାସ କୃଷକମାନଙ୍କ ଆର୍ଥିକ ବୋଝ କମ୍ କରିବା ସହ କୃଷି ଉତ୍ପାଦନ ବଢ଼ାଇବ ବୋଲି ସେ କହିଛନ୍ତି।