କେରଳରେ ବନ୍ଦ ହେଲା ପେପ୍ସି କମ୍ପାନୀ, ଚାକିରି ହରାଇଲେ ଶତାଧିକ କର୍ମଚାରୀ

ତିରୁବନନ୍ତପୁରମ: ଭାରତରେ ଲୋକପ୍ରିୟ ମୃଦୁ ପାନୀୟ କମ୍ପାନୀ ପେପସିକୋ କେରଳର ପାଲକ୍କଡରେ ଥିବା ଏହାର କାରଖାନା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। କର୍ମଚାରୀଙ୍କ ଧର୍ମଘଟ ଏବଂ କ୍ରମାଗତ ବିରୋଧ ଯୋଗୁଁ ପେପସିକୋକୁ କାରଖାନା ବନ୍ଦ କରିବାକୁ ପଡିଛି। ଏହି କାରଣରୁ ପ୍ରାୟ ୫୦୦ ଲୋକ ଚାକିରି ହରାଇଛନ୍ତି। ପ୍ରାୟ ୧୫ ବର୍ଷ ପୂର୍ବେ, ଅନ୍ୟ ଏକ ମୃଦୁ ପାନୀୟ କମ୍ପାନୀ କୋକ୍ ରାଜ୍ୟରେ ଏହାର କାରଖାନା ବନ୍ଦ କରି ଦେଇଥିଲା। ପାଲକ୍କଡରେ ଥିବା ପେପସିକୋର କାରଖାନା ଏହାର ଫ୍ରାଞ୍ଚାଇଜ୍ ବରୁନ୍ ବେଭରେଜ୍ ଲିମିଟେଡ୍ ଦ୍ୱାରା ପରିଚାଳିତ ହେଉଥିଲା | ଶେଷରେ କମ୍ପାନୀ ଏହାକୁ ବନ୍ଦ କରିବାକୁ ରାଜ୍ୟ ଶ୍ରମ ବିଭାଗକୁ ନୋଟିସ ଦେଇଦେଇଛି।

ସୂଚନା ଥାଉ କି ଗତ ବର୍ଷ ଡିସେମ୍ବରରୁ ଶ୍ରମିକମାନେ ଏହି କାରଖାନାରେ ପ୍ରଦର୍ଶନ କରୁଥିଲେ। ସିପିଆଇଏମ ସହିତ ଜଡିତ ସିଟୁ, କଂଗ୍ରେସ ସହିତ ଜଡିତ ଆଇଏନଟିୟୁସି ଏବଂ ଆରଏସଏସ ସହିତ ସଂଲଗ୍ନ ଭାରତୀୟ ମଜଦୁର ସଂଗଠନ ପ୍ରମୁଖ ବିରୋଧ ପ୍ରଦର୍ଶନ କରିଥିଲେ | ଏହି ସଂସ୍ଥାଗୁଡ଼ିକର ଦାବି ଥିଲା ଯେ ଚୁକ୍ତିଭିତ୍ତିକ ଶ୍ରମିକମାନଙ୍କର ବେତନ ବୃଦ୍ଧି କରାଯିବା ଉଚିତ୍ |

କମ୍ପାନୀ ଏହି ଦାବି ଉପରେ ଏକ ବର୍ଷ ପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନଥିଲା। ଏଥିପାଇଁ ଡିସେମ୍ବରରୁ ଅଧିକାଂଶ କର୍ମଚାରୀ କମ୍ପାନୀରେ କାମ କରୁନଥିଲେ |ଯେଉଁ କାରଣରୁ ଉତ୍ପାଦନ ପ୍ରଭାବିତ ହେଉଥିଲା | ଏହା ପରେ ପେପସିକୋ ମ୍ୟାନେଜମେଣ୍ଟ ୨୨ ମାର୍ଚ୍ଚରୁ କାରଖାନାକୁ ତାଲା ପକାଇ ଦେଇଥିଲେ | ଆଉ ଆଜି ବିଧିବଦ୍ଧ ଭାବେ କମ୍ପାନୀ ପକ୍ଷରୁ ଏହି ଘୋଷଣା କରାଯାଇଛି | ଏହି କାରଖାନା ୨୦୦୧ ମସିହାରେ ପାଲକ୍କଡରେ ପ୍ରତିଷ୍ଠା ହୋଇଥିଲା | ଏଥିରେ ପେପ୍ସୀ ବ୍ରାଣ୍ଡର ପ୍ୟାକେଜ୍ ପାନୀୟ ଜଳ ଏବଂ ମୃଦୁ ପାନୀୟ ଉତ୍ପାଦନ କରାଯାଉଥିଲା |

ସମ୍ବନ୍ଧିତ ଖବର