ଭୁବନେଶ୍ବର: ରାଜ୍ୟରେ ମୁଣ୍ଡପିଛା ଆୟ ୨୦୨୩-୨୪ ସୁଦ୍ଧା ୧,୬୧,୪୩୭ ଟଙ୍କା ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ସୂଚନା ଦେଇଛନ୍ତି। ବିଧାୟକ ରମେଶ ଚନ୍ଦ୍ର ‌ବେହେରାଙ୍କ ଏକ ପ୍ରଶ୍ନରେ ଉତ୍ତରରେ ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ଯେ ୨୦୦‌୪ରେ ମୁଣ୍ଡପିଛା ଆୟ ୨୦,୫୪୦ ଟଙ୍କା ଥିଲା। ୨୦ ବର୍ଷ ମଧ୍ୟରେ ସେଥିରେ ୧,୪୦,୮୯୬ ଟଙ୍କାର ବୃଦ୍ଧି ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ ୨୦୦୪-୦୫ରେ ଅନୁଗୁଳର ମୁଣ୍ଡପିଛା ଆୟ ସର୍ବାଧିକ ୩୭,୬୮୯ ଟଙ୍କା ଥିଲା। ଏହା ପଛକୁ ଝାରସୁଗୁଡ଼ାରେ ୩୪,୪୬୩ ଟଙ୍କା, କେନ୍ଦୁଝରରେ ୨୫୦୮୬ ଟଙ୍କା, ସୁନ୍ଦରଗଡ଼ରେ ୨୫୦୨୯ଟଙ୍କା, କନ୍ଧମାଳରେ ୨୪,୨୯୪ ଟଙ୍କା, ଖୋର୍ଦ୍ଧାରେ ୨୩୬୪୪ ଟଙ୍କା, ସମ୍ବଲପୁରରେ ୨୨୪୩୫ ଟଙ୍କା, କଟକରେ ୨୧୦୮୭ ଟଙ୍କା ଓ ଗଞ୍ଜାମରେ ୧୫୨୮୬ ଟଙ୍କା ଥିଲା। ୨୦୨୩-୨୪ ଆର୍ଥିକ ବର୍ଷରେ ବିଭିନ୍ନ ଜିଲ୍ଲାର ମୁଣ୍ଡପିଛା ଆୟ କେତେ ତାହା ଆକଳନ କରାଯାଇନାହିଁ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। 

Advertisment

ଲୋକମାନଙ୍କ ଆୟ ବଢ଼ାଇବା ଲାଗି ଗ୍ରହଣ କରାଯାଉଥିବା ପଦକ୍ଷେପ ଉପରେ ଆଲୋଚନା କରି ସେ ଜଣାଇଛନ୍ତି ଯେ କୃଷି, ଶିଳ୍ପ, ଏମ୍ଏସଏମ୍‌ଇ, ସେବା, ପର୍ଯ୍ୟଟନ, ଭିତ୍ତିଭୂମି ଓ ଗମନାଗମନ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଉଛି। ଜାତୀୟ ଗ୍ରାମୀଣ ଜୀବିକା ମିସନ ଜରିଆରେ ସ୍ବୟଂ ସହାୟକ ଗୋଷ୍ଠୀ ଲାଗି ରୋଜଗାର ସୁଯୋଗ ସୃଷ୍ଟି କରାଯାଉଛି। ଅନୁସୂଚିତ ଜାତି ବର୍ଗରେ ଦାରିଦ୍ର୍ୟ ହ୍ରାସ କରିବା ଲାଗି ଚଳିତ ବର୍ଷ ବଜେଟ୍‌ରେ ପ୍ରଧାନମନ୍ତ୍ରୀ ଅନୁସୂଚିତ ଜାତି ଅଭ୍ୟୁଦୟ ଯୋଜନା ପାଇଁ ବ୍ୟୟବରାଦ କରାଯାଇଛି। ଏଥି ସହିତ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିସନ ଆରମ୍ଭ କରାଯାଇଛି। ମନରେଗାରେ ପ୍ରତି ଗ୍ରାମୀଣ ପରିବାରକୁ ବର୍ଷକୁ ୧୦୦ ଦିନର କାମ ଦିଆଯାଉଥିବା ବେଳେ ଦାଦନ ରୋକିବା ଲାଗି ପ୍ରଭାବିତ ବ୍ଲକ୍‌ରେ ଅତିରିକ୍ତ ୨୦୦ ଦିନର ଶ୍ରମ ଦିବସ ଯୋଗାଇ ଦିଆଯାଉଛି। ୧୮ରୁ ୩୫ ବର୍ଷର ଗ୍ରାମୀଣ ଯୁବକଯୁବତୀମାନଙ୍କ ପାଇଁ ଦୀନ୍‌ ଦୟାଲ୍‌ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଲାଗୁ କରାଯାଇଛି। ସେହିପରି ଓର୍‌ମାସ୍‌ ଜରିଆରେ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦିଆଯାଉଥିବା ବେଳେ ଚାଷୀଙ୍କ ଆୟରେ ଉନ୍ନତି ଆଣିବା ଲାଗି ସିଏମ୍‌-କିଷାନ, ସୁଧ ଛାଡ଼ ଯୋଜନା ଓ ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା କାର୍ଯ୍ୟକାରୀ କରାଯାଇଛି।