ନୂଆଦିଲ୍ଲୀ: ମୋବାଇଲ୍ ଆପ୍ ଡାଉନ୍ଲୋଡ୍ କ୍ଷେତ୍ରରେ ଭାରତୀୟମାନେ ଆମେରିକୀୟଙ୍କ ଟପିଯାଇଛନ୍ତି। ୨୦୧୭ରେ ସେମାନେ ୧୨୧୦ କୋଟି ଆପ୍ ଡାଉନ୍ଲୋଡ୍ କରିଛନ୍ତି। ଏହି ତାଲିକାରେ କିନ୍ତୁ ଚୀନ୍ ଶୀର୍ଷରେ ରହିଛି। ‘ଆପ୍ ଆନି’ ନାମକ ସଂସ୍ଥାର ରିପୋର୍ଟରୁ ଏହା ଜଣାପଡ଼ିଛି। ଭାରତର ସ୍ମାର୍ଟଫୋନ୍ ବଜାର ମଧ୍ୟ ଆମେରିକାଠାରୁ ବଡ଼ ହୋଇଯାଇଛି। ଭାରତୀୟମାନେ ଦିନକୁ ହାରାହାରି ପ୍ରାୟ ୩ ଘଣ୍ଟା ସ୍ମାର୍ଟଫୋନ୍ରେ ଥିବା ଆପ୍ରେ ବିତାଇଥାନ୍ତି। ଭାରତୀୟଙ୍କ ଫୋନ୍ରେ ପାଖାପାଖି ୭୮ଟି ଆପ୍ ରହିଛି। ସେଥି ମଧ୍ୟରୁ ମାସକୁ ସେମାନେ ପାଖାପାଖି ୪୩ଟି ଆପ୍ ବ୍ୟବହାର କରିଥାନ୍ତି।
ଖର୍ଚରେ ପଛୁଆ
ଯଦିଓ ଆପ୍ର ବ୍ୟବହାର କ୍ଷେତ୍ରରେ ଭାରତୀୟମାନେ ଆଗରେ ଅଛନ୍ତି ତଥାପି ଏଥିରେ ଖର୍ଚ କରିବା କ୍ଷେତ୍ରରେ ବହୁ ପଛରେ ଅଛନ୍ତି। ଚୀନ୍ରେ ବର୍ଷକୁ ଲୋକମାନେ ଆପ୍ ବାବଦରେ ସବୁଠୁ ଅଧିକ ଅର୍ଥାତ୍ ୩୩.୨ ବିଲିଅନ୍ ଡଲାର ଖର୍ଚ କରୁଛନ୍ତି। ଚୀନ୍ ପଛକୁ ଆମେରିକୀୟମାନେ ୧୫ ବିଲିଅନ ଡଲାର, ଜାପାନୀମାନେ ୧୩.୭ ବିଲିଅନ୍ ଡଲାର, ଦକ୍ଷିଣ କୋରିଆବାସୀ ୩.୯ ବିଲିଅନ୍ ଡଲାର ଏବଂ ଭାରତୀୟମାନେ ୦.୨ ବିଲିଅନ୍ ଡଲାର ଅର୍ଥ ବ୍ୟୟ କରୁଛନ୍ତି ବୋଲି ଏହି ରିପୋର୍ଟରୁ ଜଣାଯାଇଛି।
ଆଣ୍ଡ୍ରଏଡ୍ ବ୍ୟବହାର ଅଧିକ
ଭାରତରେ ଅଧିକାଂଶ ସ୍ମାର୍ଟଫୋନ୍ ବ୍ୟବହାରକାରୀ ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମ୍(ଓଏସ୍)କୁ ଉପଯୋଗ କରୁଛନ୍ତି। ଚାରି ପଞ୍ଚମାଂଶରୁ ଅଧିକ (୮୨.୨ ପ୍ରତିଶତ) ଲୋକ ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମ୍ ବ୍ୟବହାର କରୁଥିବାବେଳେ ୩.୨ ପ୍ରତିଶତ ଲୋକ ଆଇଓଏସ୍ ଏବଂ ୧୪.୬ ପ୍ରତିଶତ ଲୋକ ଅନ୍ୟାନ୍ୟ ଅପରେଟିଂ ସିଷ୍ଟମ୍ ବ୍ୟବହାର କରୁଛନ୍ତି।
ଡାଉନଲୋଡ୍ରେ ଗୁଗୁଲ୍ ପ୍ଲେ ଆଗରେ
ଭାରତରେ ଲୋକମାନେ ପ୍ରାୟ ୯୭ ପ୍ରତିଶତ ଡାଉନଲୋଡ୍ ଗୁଗୁଲ୍ ପ୍ଲେ ଷ୍ଟୋରରୁ କରୁଥିବାବେଳେ ମାତ୍ର ୩ ପ୍ରତିଶତ ଆଇଓଏସ୍ରୁ ଡାଉନ୍ଲୋଡ୍ କରିଥାନ୍ତି। କିନ୍ତୁ ଗୁଗୁଲ୍ ପ୍ଲେରୁ ଡାଉନ୍ଲୋଡ୍ରେ ଲୋକମାନେ ୪୩ ପ୍ରତିଶତ ଅର୍ଥ ଖର୍ଚ କରୁଥିବାବେଳେ ଆଇଓଏସ୍ ଆପ୍ ଷ୍ଟୋର୍ରୁ ଡାଉନ୍ଲୋଡ୍ ପାଇଁ ୫୭ ପ୍ରତିଶତ ଅର୍ଥ ଖର୍ଚ କରୁଛନ୍ତି।
ଅଧା ସମୟ ହ୍ଵାଟ୍ସ୍ଆପ୍ରେ
ଭାରତୀୟମାନେ ଶ୍ରେଷ୍ଠ ୫ଟି ସୋସିଆଲ୍ ଆପ୍ରେ ୭୧୦୦ କୋଟି ଘଣ୍ଟା ବିତାଇଥାନ୍ତି। ଏଥିରୁ ପ୍ରାୟ ଅଧା ସମୟ ହ୍ଵାଟ୍ସ୍ଆପ୍ରେ ଲୋକମାନେ ବିତାଇଥାନ୍ତି। ହ୍ଵାଟ୍ସ୍ଆପ୍ ପଛକୁ ଯଥାକ୍ରମେ ଫେସ୍ବୁକ୍, ଫେସ୍ବୁକ୍ ମେସେଞ୍ଜର, ଟ୍ରୁକଲର୍ ଏବଂ ସେୟାରଇଟ୍ ରହିଛି।
ଦିନର ୩ ଘଣ୍ଟା ଆପ୍ରେ କଟୁଛି
/sambad/media/post_attachments/wp-content/uploads/2018/02/samrtphone.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)