ଜି୨୦ ରାଷ୍ଟ୍ରର ପ୍ରଦର୍ଶନ: ମାନ୍ଦାବସ୍ଥା ହଟିଲା, ଦୂର ହେଲା କରୋନା ମହାମାରୀ ପ୍ରଭାବ

୦.୪% ଅଭିବୃଦ୍ଧି ହାସଲ କଲା ଭାରତ

ନୂଆଦିଲ୍ଲୀ: କରୋନା ମହାମାରୀ ପ୍ରଭାବରେ ଅର୍ଥନୀତିରେ ଯେଉଁ ମାନ୍ଦାବସ୍ଥା ସୃଷ୍ଟି ହୋଇଥିଲା ତାହା ଦୂର ହୋଇଛି। ଆଜି ସରକାର ଜାରି କରିଥିବା ଅଭିବୃଦ୍ଧି ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି। ମହାମାରୀ ପ୍ରଭାବରେ ଚଳିତ ଆର୍ଥିକ ବର୍ଷ (୨୦୨୦-୨୧)ର ପ୍ରଥମ ତ୍ରୟମାସ (ଏପ୍ରିଲ୍-ଜୁନ୍‌) ରେ ୨୩.୯% ଓ ଦ୍ବିତୀୟ ତ୍ରୟମାସ(ଜୁଲାଇ-ସେପ୍ଟେମ୍ବର)ରେ ୭.୩% ହ୍ରାସ ପାଇଥିବା ଜିଡିପି ତୃତୀୟ ତ୍ରୟମାସ (‌ଅକ୍ଟୋବର-ଡିସେମ୍ବର)ରେ ୦.୪% ହାର‌ରେ ଆଗକୁ ବଢ଼ିଛି। କିନ୍ତୁ ସାରା ବର୍ଷର ଅଭିବୃଦ୍ଧି ୮% ହ୍ରାସ ପାଇବ ବୋଲି ସରକାର ଆକଳନ କରିଛନ୍ତି। ଦୀର୍ଘ ୪୧ ବର୍ଷ ପରେ ପ୍ରଥମ ଥର ଲାଗି କୌଣସି ଗୋଟିଏ ବର୍ଷରେ ଦେଶର ଅଭିବୃଦ୍ଧି ବିଯୁକ୍ତାତ୍ମକ ସ୍ତରକୁ ଖସିବ। ଶେଷ ଥର ଲାଗି ୧୯୮୦ରେ ଏଭଳି ଖରାପ ସମୟ ଆସିଥିଲା।

ଜି-୨୦ ଦେଶଗୁଡ଼ିକ ମଧ୍ୟରେ ଭାରତ ଅନ୍ୟତମ ପ୍ରମୁଖ ଦେଶ ଯାହା ଯୁକ୍ତାତ୍ମକ ଅଭିବୃଦ୍ଧି ହାସଲ କରିବାରେ ସଫଳ ହୋଇଛି। ଯୁକ୍ତାତ୍ମକ ଅଭିବୃଦ୍ଧି ହାସଲ କରିଥିବା ଅନ୍ୟ ଦୁଇ ଦେଶ ହେଉଛି ଚୀନ୍ (୬.୫%) ଓ ତୁର୍କୀ (୬.୭%)। ସରକାରଙ୍କ ତଥ୍ୟ ଅନୁଯାୟୀ, ଡିସେମ୍ବର ସୁଦ୍ଧା ଶେଷ ତ୍ରୟମାସରେ ଜିଡିପିର ମୂଲ୍ୟ ୩୬.୨୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଗତ ଆର୍ଥିକ ବର୍ଷର ଏହି ତ୍ରୟମାସରେ ତାହା ୩୬.୦୮ ଲକ୍ଷ କୋଟି ଟଙ୍କା ଥିଲା। କ୍ରମାଗତ ଦୁଇଟି ତ୍ରୟମାସ ଜିଡିପିରେ ହ୍ରାସ ହେବାରୁ ବୈଷୟିକ ଦୃଷ୍ଟିକୋଣରୁ ଦେଶର ଅର୍ଥନୀତି ମାନ୍ଦାବସ୍ଥା ଭିତରକୁ ଠେଲି ହୋଇଥିଲା। ଏବେ ଅଭିବୃଦ୍ଧି ଯୁକ୍ତାତ୍ମକ ହୋଇଥିବାରୁ ମାନ୍ଦାବସ୍ଥା ଦୂର ହୋଇଥିବା କୁହାଯାଉଛି। ଲକ୍‌ଡାଉନ୍ କଟକଣା କୋହଳ ହେବା ପରେ ଦେଶରେ ଜିଏସ୍‌ଟି ସଂଗ୍ରହ, ମାନୁଫାକ୍‌ଚରିଂ ପିଏମ୍‌ଆଇ, ବୈଦେଶିକ ମୁଦ୍ରା ଭଣ୍ଡାର, ରେଳରୁ ମାଲ ଭଡ଼ା, ସାମଗ୍ରୀ ରପ୍ତାନି ଓ ଗାଡ଼ି ବିକ୍ରିରେ ଉନ୍ନତି ଘଟିଛି। କରୋନା ଟିକା ଆସିବା ପରେ ଲୋକମାନଙ୍କ ମନରେ ଥିବା ଭୟ ଦୂର ହେବା ସହ ଏକ ବିଶ୍ବାସର ବାତାବରଣ ସୃଷ୍ଟି ହୋଇଛି। ସେଥିପାଇଁ ଅର୍ଥନୀତିରେ ଦ୍ରୁତ ସୁଧାର ହେବ ବୋଲି ଆଶା କରାଯାଉଛି।

ଅର୍ଥନୀତିରେ ଇଂରାଜୀ ଅକ୍ଷର ‘V’ ଭଳି ସୁଧାର ହୋଇଛି। ଅର୍ଥାତ ମହାମାରୀ ପାଇଁ ଯେଉଁ ହାରରେ ଅବନତି ଘଟିଥିଲା ସେହି ହାରରେ ସେଥିରେ ଉନ୍ନତି ହୋଇଛି। ଅର୍ଥନୀତି ସ୍ଥିତି ମହାମାରୀ ପୂର୍ବବର୍ତୀ ସମୟକୁ ଫେରିଛି ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଯେ ଅଶୋଧିତ ତୈଳ ଦର ଓ କରୋନା ମାମଲାରେ ପୁଣି ଦେଖାଦେଇଥିବା ବୃଦ୍ଧି ସୁଧାର ପ୍ରକ୍ରିୟାକୁ ପ୍ରଭାବିତ କରିବାର ଆଶଙ୍କା ରହିଛି ବୋଲି ଅର୍ଥନୀତି ବିଶାରଦମାନେ କହିଛନ୍ତି। ସରକାର ଆଜି ଜାରି କରିଥିବା ଅନ୍ୟ ଏକ ତଥ୍ୟରୁ ଜଣାପଡ଼ିଛି ଯେ ଦେଶର ଆଠଟି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଜାନୁଆରିରେ ୦.୧% ଅଭିବୃଦ୍ଧି ହାସଲ କରିଛି। ସାର, ଇସ୍ପାତ ଓ ବିଦ୍ୟୁତ ଉତ୍ପାଦନରେ ଏହି ମାସରେ ବୃଦ୍ଧି ଘଟିଛି।

ସମ୍ବନ୍ଧିତ ଖବର