କମର୍ସିଆଲ୍‌ ଇଭିକୁ ବିନା ମୂଲ୍ୟରେ ପରମିଟ୍‌

ପରିବହନ ଅଧିକାରୀ ହଇରାଣ କରିପାରିବେନି

ନୂଆଦିଲ୍ଲୀ : ଦେଶରେ କମର୍ସିଆଲ୍ ଇଲେକ୍ଟ୍ରିକ୍ ଗାଡ଼ିକୁ ବିନା ମୂଲ୍ୟରେ ପର୍‌ମିଟ୍ ପ୍ରଦାନ କରାଯିବ। କେତେକ ରାଜ୍ୟରେ ସ୍ଥାନୀୟ ପରିବହନ ଅଧିକାରୀମାନେ ପରମିଟ୍ ନଥିବା କମର୍ସିଆଲ୍ ଇଭିଗୁଡ଼ିକୁ ହଇରାଣ କରୁଥିବା ଖବର ସାମ୍ନାକୁ ଆସିବା ପରେ ଏଭଳି ପର୍‌ମିଟ୍ ଜାରି କରିବାକୁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାର ଜାରି କରିଥିବା ବିଜ୍ଞପ୍ତି ଅନୁସାରେ କମର୍ସିଆଲ ଇଭି ପାଇଁ କୌଣସି ପରମିଟ୍‌ ଦରକାର ନାହିଁ। କିନ୍ତୁ ପରମିଟ୍ କାଗଜପତ୍ର ବାହାନାରେ ପରିବହନ ଅଧିକାରୀମାନେ ଗାଡ଼ି ମାଲିକଙ୍କୁ ହଇରାଣ କରୁଥିବା ଜଣାପଡ଼ିବା ପରେ ବିନା ମୂଲ୍ୟରେ ପରମିଟ୍ ଦେବାକୁ ସରକାର ଚାହୁଛନ୍ତି।

ନିକଟରେ ଅନୁଷ୍ଠିତ ହୋଇଥିବା ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟର ଏକ ବୈଠକରେ ଏନେଇ ଆଲୋଚନା ହୋଇଥିଲା। ବିଭାଗୀୟ ମନ୍ତ୍ରୀ ନିତୀନ ଗଡ଼କରୀ ଏହା ଜାଣିବା ପରେ ତୁରନ୍ତ ଏକ ନୂଆ ନିୟମର ବିଜ୍ଞପ୍ତି ଜାରି କରିବାକୁ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ। କମର୍ସିଆଲ ଇଭିର ମାଲିକ କିମ୍ବା ଚାଳକ ଯେଭଳି କୌଣସି ପ୍ରକାର ଉତ୍ପୀଡ଼ନର ଶିକାର ନହୁଅନ୍ତି ତାହା ସୁନିଶ୍ଚିତ କରିବାକୁ ମନ୍ତ୍ରୀ ଶ୍ରୀ ଗଡ଼କରୀ କହିଥିଲେ। ଆଗକୁ କମର୍ସିଆଲ ଇଭି ପାଇଁ ବିନା ମୂଲ୍ୟରେ ପରମିଟ୍ ଜାରି କରାଯିବ। ଯାଞ୍ଚ ବେଳେ ସେମାନେ ତାହାକୁ ସରକାରୀ କାଗଜ ଭାବେ ପ୍ରଦର୍ଶିତ କରିପାରିବେ। ୨୦୧୮ ଅକ୍ଟୋବର ୧୮ରେ ମନ୍ତ୍ରାଳୟ ଏକ ବିଜ୍ଞପ୍ତି ଜାରି କରି ସ୍ପଷ୍ଟ କରିଥିଲା ଯେ ବ୍ୟାଟେରି ଚାଳିତ କିମ୍ବା ମିଥାନଲ ଓ ଇଥାନଲକୁ ଇନ୍ଧନ ଭାବେ ବ୍ୟବହାର କରୁଥିବା ଯାତ୍ରୀବାହୀ ଓ ସାମଗ୍ରୀ ପରିବହନକାରୀ ଗାଡ଼ି ପାଇଁ ପରମିଟ୍ ଦରକାର ନାହିଁ। ସେହି ନିୟମ ସବୁ ରାଜ୍ୟରେ ସମାନ ଭାବେ ପାଳନ କରାଯିବା ଦରକାର ବୋଲି ଗାଡ଼ି ମାଲିକମାନେ ଦାବି କରିଛନ୍ତି। କମର୍ସିଆଲ ଇଭିର ପଞ୍ଜୀକରଣ କରିବା ମାତ୍ରେ ସ୍ବୟଂକ୍ରିୟ ଭା‌ବେ ପରମିଟ୍ ଜାରି ହେଉ ବୋଲି ମାଲିକମାନେ ଚାହୁଛନ୍ତି।

ସମ୍ବନ୍ଧିତ ଖବର