୭୯ ଟପିଲା ପେଟ୍ରୋଲ: ଶନିବାର ପେଟ୍ରୋଲ ୫୨ ପଇସା, ଡିଜେଲ ୬୦ ପଇସା ବଢ଼ିଲା

ଭୁବନେଶ୍ବର: ତେଲ ଦର ବୃଦ୍ଧି ଜାରି ରହିଛି। କ୍ରମାଗତ ଭାବେ ୧୪ ହେଲା ଉଭୟ ପେଟ୍ରୋଲ ଓ ଡିଜେଲ ଦର ବଢ଼ୁଛି। ଶନିବାର ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୫୨ ପଇସା ବୃଦ୍ଧି ପାଇଛି। ଫଳରେ ପେଟ୍ରୋଲ ଦର ୭୯ ଟଙ୍କା ଟପି ୭୯ ଟଙ୍କା ୪୪ ପଇସାରେ ପହଞ୍ଚିଯାଇଛି। ତେବେ ଡିଜେଲ ଦର ଲିଟର ପିଛା ଆଜି ୬୦ ପଇସା ବଢ଼ିଛି। ଏଥିଯୋଗୁ ଡିଜେଲ ଦର ଲିଟର ପିଛା ୭୫ ଟଙ୍କା ୮୮ ପଇସା ଛୁଇଁଛି।

ଗତ ୬ ତାରିଖରୁ ଇତିମଧ୍ୟରେ ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୭ ଟଙ୍କା ୭୨ ପଇସା ଏବଂ ଡିଜେଲ ଦର ୮ ଟଙ୍କା ୧୫ ପଇସା ମହଙ୍ଗା ହୋଇଯାଇଛି। ତେଲ ଦର ବୃଦ୍ଧି ପ୍ରଭାବରେ ଆଗାମୀ ଦିନରେ ଦେଶରେ ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ସହିତ ମୁଦ୍ରାସ୍ଫୀତି ମଧ୍ୟ ବଢ଼ିବା ଜଳଜଳ ଦିଶୁଛି। ଲକ୍‌ଡାଉନ୍ ପୂର୍ବରୁ ସରକାରୀ ତେଲ କମ୍ପାନି ଗୁଡ଼ିକ ଦୀର୍ଘ ୮୩ ଦିନ ଧରି ପେଟ୍ରୋଲ ଓ ଡିଜେଲର ଦୈନିକ ମୂଲ୍ୟ ସଂଶୋଧନକୁ ଅଟକାଇ ରଖିଥିଲେ। ଏହି ସମୟ ମଧ୍ୟରେ କିନ୍ତୁ କେନ୍ଦ୍ର ସରକାର ଦୁଇ ଥର ଉତ୍ପାଦ ଶୁଳ୍କ ଓ ସେସ୍ ଆକାରରେ ମୋଟା ଅଙ୍କର ଶୁଳ୍କ ବଢ଼ାଇ ଦେଲେ। ଏହାପରେ ରାଜ୍ୟ ସରକାରମାନେ ଭାଟ୍ ମଧ୍ୟ ବଢ଼ାଇଦେଲେ। ଫଳରେ ଅଶୋଧିତ ତେଲ ଦର କମିବା ସମୟରେ ଗ୍ରାହକ ଏ ବାବଦରେ କୌଣସି ଲାଭ ପାଇଲା ନାହିଁ। କିନ୍ତୁ ସରକାର ଟିକସ ଭିଡ଼ିସାରିବା ପରେ ତେଲ କମ୍ପାନି ଗୁଡ଼ିକ ଏବେ ପେଟ୍ରୋଲ ଓ ଡିଜେଲ ଦର ପ୍ରତିଦିନ ବଢ଼ାଇବାରେ ଲାଗିଛନ୍ତି। ତୈଳ ଦର ବୃଦ୍ଧି ଯୋଗୁଁ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ଏବଂ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଦୁର୍ବଳ ହେଉଥିବାରୁ ତୈଳ କମ୍ପାନି ଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇ ଚାଲିଛନ୍ତି।

ସମ୍ବନ୍ଧିତ ଖବର