ପେଟ୍ରୋଲ୍‌, ଡିଜେଲ୍‌ କଷ୍ଟକୁ ବଳିଗଲା ଏଲ୍‌ପିଜି: ମାସକରେ ଦାମ୍‌ ବଢ଼ିଲାଣି ୩ ଥର

ନୂଆଦିଲ୍ଲୀ: ଚଳିତ ମାସରେ ଏଲ୍‌ପିଜି ମୂଲ୍ୟରେ ତିନି ଥର ବୃଦ୍ଧି ହୋଇ ୮୨୦ ଟଙ୍କା ୫୦ ପଇସା ସ୍ତରରେ ପହଞ୍ଚିଯାଇଛି। ଏଲ୍‌ପିଜିର ବିକ୍ରି ମୂଲ୍ୟ ସମ୍ପୂର୍ଣ୍ଣ ରୂପେ ଆନ୍ତର୍ଜାତିକ ବଜାର ଦାମ୍ ଉପରେ ନିର୍ଭରଶୀଳ। ଭାରତରେ ଏଲ୍‌ପିଜିର ମୂଲ୍ୟ ଆମଦାନି ଦାମ୍ ଅନୁସାରେ ନିର୍ଧାରଣ କରିବାର ବ୍ୟବସ୍ଥା ରହିଛି। ଏହାକୁ କୁହାଯାଉଛି ଇମ୍ପୋର୍ଟ ପାରିଟି ପ୍ରାଇସ୍‌ (ଆଇପିପି)। ଆନ୍ତର୍ଜାତିକ ବଜାରରେ ଏଲ୍‌ପିଜିର ଦାମ୍ ବିଚାରକୁ ନେଇ ଆଇପିପି ନିର୍ଧ‌ାରଣ କରାଯାଏ। ଏହା ଧରି ନିଆଯାଉଛି ଯେ ସବୁ ଏଲ୍‌ପିଜି ଆମଦାନି ହୋଇ ଆସିଛି। ସାଉଦି ଆରାମ୍‌କୋର ଏଲ୍‌ପିଜି ମୂଲ୍ୟକୁ ଏଥିପାଇଁ ବିଚାରକୁ ନିଆଯାଉଛି। ଏହାର ଫ୍ରି ଅନ୍ ବୋର୍ଡ (ଏଫ୍‌ଓବି) ମୂଲ୍ୟ ଏବେ ଟନ୍ ପିଛା ୫୨୯.୮୦ ଡଲାର ରହିଛି। ଜେଟ୍‌ କେରୋ (ଆରବ ଗଲ୍‌ଫ)ର ବ୍ୟାରେଲ୍ ପିଛା ଦାମ୍ ୫୬.୧୬ ଡଲାର ରହିଛି।

ଭାରତରେ ବିକ୍ରି ହେଉଥିବା ଏଲ୍‌ପିଜି ସିଲିଣ୍ଡର ଦାମ୍ ନିର୍ଧାରଣ କରିବା ବେଳେ ଏଫ୍‌ଓବି ମୂଲ୍ୟ, ସମୁଦ୍ରରେ ପରିବହନ ପାଇଁ ହେଉଥିବା ଖର୍ଚ୍ଚ, ବୀମା ପ୍ରିମିୟମ୍, ସୀମା ଶୁଳ୍କ ଏବଂ ବନ୍ଦରରେ ମାଲ ପରିଚାଳନା ପାଇଁ ହେଉଥିବା ଖର୍ଚ୍ଚ ଆଦିକୁ ବିଚାରକୁ ନିଆଯାଏ। ପ୍ରଥମେ ଡଲାର ଅନୁସା‌ରେ ତାହାକୁ ହିସାବ କରାଯାଏ ଓ ପରେ ଭାରତୀୟ ମୁଦ୍ରାରେ ତାହାକୁ ରୂପାନ୍ତରିତ କରାଯାଏ। ଏହା ପରେ ଦେଶ ଭିତରେ ଏଲ୍‌ପିଜି ପରିବହନ ଶୁଳ୍କ, ମାର୍କେଟିଂ ଖର୍ଚ୍ଚ, ତେଲ କଂପାନିଗୁଡ଼ିକର ମାର୍ଜିନ, ବଟଲିଂ ଶୁଳ୍କ, ଡିଲର କମିସନ ଓ ଜିଏସ୍‌ଟିକୁ ମିଶାଇବା ପରେ ଯେଉଁ ଦର ବାହାରେ ତାହା ହେଉଛି ଏଲ୍‌ପିଜିର ବଜାର ମୂଲ୍ୟ। ଆନ୍ତର୍ଜାତିକ ବଜାରରେ ଏଲ୍‌ପିଜି ମହଙ୍ଗା ହେଲେ କିମ୍ବା ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେଲେ ତାହାର ସିଧାସଳଖ ପ୍ରଭାବ ଖୁଚୁରା ମୂଲ୍ୟରେ ପ୍ରତିଫଳିତ ହେଉଛି। ସେଥିପାଇଁ ଚଳିତ ମାସରେ ଦେଶରେ ତିନି ଥର ଏଲ୍‌ପିଜି ଦାମ୍ ବଢ଼ିସାରିଲାଣି। ବିଶ୍ବ ବଜାରରେ ଅଶୋଧିତ ତେଲ ମହଙ୍ଗା ହେଲେ ସେହି ହାରରେ ଏଲ୍‌ପିଜି ଦାମ୍ ମଧ୍ୟ ବଢ଼ିଥାଏ। ଏବେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ବୃଦ୍ଧି ପାଇ ୬୩ ଡଲାର ପାଖାପାଖି ରହିଛି।

୭୦% ଉଜ୍ଜ୍ବଳା ହିତାଧିକାରୀ ରିଫିଲ୍‌ କରୁଛନ୍ତି
ଏଲ୍‌ପିଜି ଦାମ୍ ଆକାଶଛୁଆଁ ସ୍ତରରେ ପହଞ୍ଚିଥିବାରୁ ଉଜ୍ଜ୍ବଳା ଯୋଜନାର ହିତାଧିକାରୀମାନେ ଏତେ ଟଙ୍କା ଦେଇ ସିଲିଣ୍ଡର ରିଫିଲ୍ କରୁନାହାନ୍ତି ବୋଲି ଚର୍ଚ୍ଚା ହେଉଛି। ଏହାକୁ ମଧ୍ୟ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ପ୍ରାୟ ୭୦ ପ୍ରତିଶତ ଉଜ୍ଜ୍ବଳା ହିତାଧିକାରୀ ସିଲିଣ୍ଡର ରିଫିଲ୍‌ କରୁଛନ୍ତି। ବାକି ୩୦% ହିତାଧିକାରୀ ମାଗଣାରେ ଜାଳେଣି କାଠ ଯୋଗାଡ଼ କରି ବ୍ୟବହାର କରୁଥିବାରୁ ସିଲିଣ୍ଡର କିଣୁନାହାନ୍ତି।
୯୯% ପରିବାରରେ ଏଲ୍‌ପିଜି ସଂଯୋଗ
ଦେଶରେ ଏବେ ୯୯ ପ୍ରତିଶତ ପରିବାର ପାଖରେ ଏଲ୍‌ପିଜି ସଂଯୋଗ ରହିଛି। ପ୍ରତିଟି ଘରେ ଏଲ୍‌ପିଜି ପହଞ୍ଚାଇବା ଦିଗରେ ସରକାର କାମ କରୁଥିବା ଶ୍ରୀ ପ୍ରଧାନ କହିଛନ୍ତି। ଏତେ ସଂଖ୍ୟକ ପରିବାର ନିକଟରେ ଏଲ୍‌ପିଜି ପହଞ୍ଚାଇବାରେ ସଫଳ ହୋଇଥିବାରୁ ସାରା ବିଶ୍ବ ଭାରତକୁ ପ୍ରଶଂସା କରୁଥିବା ସେ କହିଛନ୍ତି।

ବନ୍ଦ ହୋଇନି ସବ୍‌ସିଡି
କେନ୍ଦ୍ର ସରକାର ପ୍ରତି ପରିବାରକୁ ବର୍ଷକୁ ୧୨ଟି ୧୪.୨ କେଜି ଏଲ୍‌ପିଜି ସିଲିଣ୍ଡର ରିହାତି ଦରରେ ପ୍ରଦାନ କରୁଛନ୍ତି। ଦାମ୍‌ରେ ଅହେତୁକ ବୃଦ୍ଧି ହୋଇଥିବାରୁ ସବ୍‌ସିଡି ରାଶି ପରିମାଣ ଯଥେଷ୍ଟ କମ୍ ରହୁଛି ତେଣୁ ସେଥିପ୍ରତି କେହି ଧ୍ୟାନ ଦେଉନାହାନ୍ତି। କିଛି ଦିନ ତଳେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଏଲ୍‌ପିଜି ସବ୍‌ସିଡି ବନ୍ଦ ହୋଇନାହିଁ। ଏ ସମ୍ପର୍କରେ ଇଣ୍ଟରନ୍ୟାସନାଲ୍ ଏନର୍ଜି ଏଜେନ୍ସି ଯେଉଁ ରିପୋର୍ଟ ଜାରି କରିଥିଲା ତାହାକୁ ସେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଦେଶର ଦୂରଦୂରାନ୍ତ ଓ ଦୁର୍ଗମ ଅଞ୍ଚଳରେ ଥିବା ଲୋକମାନଙ୍କୁ ସବ୍‌ସିଡି ଦିଆଯାଉଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଲକ୍‌ଡାଉନ୍ ସମୟରେ ୧୪ କୋଟି ଏଲ୍‌ପିଜି ମାଗଣାରେ ଦିଆଯାଇଛି। ଏଲ୍‌ପିଜି ଦାମ୍ ୫୦୦ ଟଙ୍କାରୁ କମ୍ ସ୍ତରରେ ଥିବା ବେଳେ ଗ୍ରାହକମାନଙ୍କ ଖାତାକୁ ମୋଟା ଅଙ୍କର ସବ୍‌ସିଡି ରାଶି ଆସୁଥିଲା।

ସମ୍ବନ୍ଧିତ ଖବର