ନୂଆଦିଲ୍ଲୀ: ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ଚାହିଦା ପୁଣି ଥରେ ବଢ଼ିବାରେ ଲାଗିଛି। ବିଗତ କିଛି ସପ୍ତାହରେ ଅଶୋଧିତ ତେଲ ଦର କ୍ରମାଗତ ଭାବେ ବଢ଼ୁଛି। ଚାହିଦା ବଢ଼ିବା ଏବଂ ତୈଳ ଉତ୍ପାଦକାରୀ ରାଷ୍ଟ୍ର ସମୂହ (ଓପେକ୍) ପକ୍ଷରୁ ଉତ୍ପାଦନ କମ୍ କରାଯିବା ଯୋଗୁଁ ଯୋଗାଣ ପ୍ରଭାବିତ ହୋଇଛି। ଏହି ଦୁଇ କାରଣ ଯୋଗୁଁ ଅଶୋଧିତ ତେଲ ଦର ବଢ଼ୁଛି।
ଏହି ତୈଳର ବ୍ୟାରେଲ ପିଛା ଦର ବଡ଼ଦିନ ସୁଦ୍ଧା ୮୦ ଡଳାର ଟପିଯିବ ବୋଲି ଆକଳନ କରାଯାଉଛି। ବର୍ତ୍ତମାନ ଏହାର ଦର ୭୦ ଡଲାର ପାଖାପାଖି ପହଞ୍ଚିଯାଇଛି।
ଯଦି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ ଏଭଳି ଭାବେ ବୃଦ୍ଧି ପାଇବ ତେବେ ଦେଶ ଭିତରେ ପେଟ୍ରୋଲ୍ ଏବଂ ଡିଜେଲ ଦର ଆହୁରି ମହଙ୍ଗା ହେବ। ଭୁବନେଶ୍ୱରରେ ଏବେ ପେଟ୍ରୋଲ୍ର ଲିଟର ପିଛା ମୂଲ୍ୟ ୬୮ ଟଙ୍କା ୬୬ ପଇସା ରହିିଥିବା ବେଳେ ଡିଜେଲ ମୂଲ୍ୟ ୬୨ ଟଙ୍କା ୫୨ ପଇସା ରହିଛି। ସାଉଦି ଆରବ ଏବଂ କିଛି ପଡ଼ୋଶୀ ରାଷ୍ଟ୍ର ଭିତରେ ସମ୍ପର୍କ ଭଲ ନାହିଁ। ଏହାର ପ୍ରଭାବ ଆନ୍ତର୍ଜାତିକ ତୈଳ ବଜାର ଉପରେ ପଡ଼ିବା ପରେ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୬୦ ଡଲାର ଟପିଯାଇଥିଲା। ଏହା ପରଠାରୁ ଦର କିନ୍ତୁ କ୍ରମାଗତ ଭାବେ ବଢ଼ିଚାଲିଛି।
୨୦୧୪ ବେଳକୁ ତେଲ ଉତ୍ପାଦନ କରୁଥିବା ରାଷ୍ଟ୍ରଗୁଡ଼ିକ ନିଜ ବଜାର ଅଂଶ ବଜାୟ ରଖିବା ପାଇଁ ଉଦ୍ୟମ କରି ବିପୁଳ ପରିମାଣର ତେଲ ଉତ୍ପାଦନ କରୁଥିଲେ। ସେହି ସମୟରେ ଏତେ ପରିମାଣର ତେଲ ବଜାରରେ ଉପଲବ୍ଧ ହୋଇଥିଲା ଯେ ତେଲ ଦର ବ୍ୟାରେଲ ପିଛା ୩୦ ଡଲାର ପାଖାପାଖି ଖସିଯାଇଛି। ଏହି ଧାରା ଦୁଇ ବର୍ଷ ପର୍ଯ୍ୟନ୍ତ ବଜାୟ ରହିଲା ଯାହାର ଫାଇବା ତେଲ ବ୍ୟବହାର କରୁଥିବା ରାଷ୍ଟ୍ରଗୁଡ଼ିକୁ ମିଳିଛି। ଭାରତ ଭଳି ଆମଦାନି ଉପରେ ନିର୍ଭରଶୀଳ ରାଷ୍ଟ୍ରଗୁଡ଼ିକ କମ୍ ମୂଲ୍ୟ ଯୋଗୁଁ ବିଶେଷ ଭାବେ ଲାଭବାନ ହୋଇଛନ୍ତି।
୨୦୧୧ରୁ ୨୦୧୪ ଭିତରେ ଅଶୋଧିତ ତୈଳର ହାରାହାରି ବ୍ୟାରେଲ ପିଛା ଦର ୧୦୮ ଡଲାର ଥିଲା। ୨୦୧୪ରୁ ୨୦୧୭ ଭିତରେ ଅଶୋଧିତ ତୈଳର ହାରାହାରି ଦର ୬୦ ଡଲାର ପାଖାପାଖି ରହିଛି।
୨୦୧୫ ମେ’ରେ ଅଶୋଧିତ ତେଲର ବ୍ୟାରେଲ ପିଛା ଦର ୧୦୮ ଡଲାର ଥିଲା। ଗତ ମାସରେ ଏହି ଦର ୫୬% କମ୍ ହୋଇ ୫୦ ଡଲାର ପାଖାପାଖି ଥିଲା। ସେହି ସମୟରେ କିନ୍ତୁ ଭାରତରେ ପେଟ୍ରୋଲ୍ ଓ ଡିଜେଲ ଦର ଯାହା ଥିଲା, ଏବେ ତାହା ମାତ୍ର ୩% କମ୍ ରହିଛି। ଆନ୍ତର୍ଜାତିକ ବଜାରରେ ତେଲ ଦର ୫୬% କମିଥିବା ବେଳେ ସ୍ଥାନୀୟ ବଜାରରେ ଖୁଚୁରା ଦର ୩% କମ୍ ରହିବାର ଏକ ବଡ଼ କାରଣ ହେଉଛି ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଲଗାଇଥିବା ଟିକସ।
୨୦୧୪ ଜୁନ୍ରେ ଏକ ଲିଟର ବ୍ରାଣ୍ଡେଡ୍ ପେଟ୍ରୋଲ୍ ଉପରେ ଉତ୍ପାଦନ ଶୁଳ୍କ ପରିମାଣ ୧୫ ଟଙ୍କା ୫୦ ପଇସା ଥିଲା। ଏବେ ତାହା ୨୨ ଟଙ୍କା ୭୦ ପଇସାରେ ପହଞ୍ଚିଛି। ସେହିପରି ବ୍ରାଣ୍ଡେଡ୍ ଡିଜେଲ ଉପରେ ଉତ୍ପାଦନ ଶୁଳ୍କ ପରିମାଣ ଲିଟର ପିଛା ୫ ଟଙ୍କା ୮୦ ପଇସାରୁ ବୃଦ୍ଧି ପାଇ ୧୯ ଟଙ୍କା ୭୦ ପଇସାରେ ପହଞ୍ଚିଯାଇଛି।
ଯଦି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦର ୮୦ ଡଲାର ପାଖାପାଖି ପହଞ୍ଚିବ ଏବଂ ସରକାରଙ୍କ ଟିକସ ପରିମାଣ ବର୍ତ୍ତମାନର ସ୍ତରରେ ରହିବ ତେବେ ପେଟ୍ରୋଲ୍ ଏବଂ ଡିଜେଲ ଦରରେ ୧୦-୧୨ ଟଙ୍କାର ବୃଦ୍ଧିକୁ ଅସ୍ୱୀକାର କରିହେବ ନାହିଁ।