ନୂଆଦିଲ୍ଲୀ : ମାସର ପ୍ରଥମ ଦିନରୁ ମହଙ୍ଗା ମାଡ଼। ଆଜି ପେଟ୍ରୋଲ୍, ଡିଜେଲ୍ ଓ କମର୍ସିଆଲ୍ ଏଲ୍ପିଜି ଦାମ୍ ବୃଦ୍ଧି ପାଇଛି। ପେଟ୍ରୋଲ୍ ଦାମ୍ ୨୫ ପଇସା ଓ ଡିଜେଲ୍ ୩୦ ପଇସା ବଢ଼ିଛି। ଶୁକ୍ରବାର ଭୁବନେଶ୍ବରରେ ପେଟ୍ରୋଲ୍ ଦର ଲିଟର ପିଛା ୨୫ ପଇସା ଡିଜେଲ୍ ଦର ୩୩ ପଇସା ବୃଦ୍ଧି ପାଇଛି। ଫଳରେ ପେଟ୍ରୋଲ୍ ଦାମ୍ ୧୦୨ ଟଙ୍କା ୭୭ ପଇସା ଓ ଡିଜେଲ୍ ଦର ୯୮ ଟଙ୍କା ୩୪ ପଇସାକୁ ବୃଦ୍ଧି ହୋଇଛି। ଗତ କିଛି ଦିନ ହେଲାଣି ଏହି ଦୁଇ ଇନ୍ଧନ ଦାମ୍ ନିୟମିତ ବୃଦ୍ଧି ପାଉଛି। ଏହାର ଏକ ପ୍ରମୁଖ କାରଣ ହେଉଛି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ୍ ପିଛା ଦାମ୍ ୮୦ ଡଲାର ପାଖାପାଖି ରହିଛି। ଏହାକୁ ବିଶୋଧନ କରି ସେଥିରୁ ପେଟ୍ରୋଲ୍ ଓ ଡିଜେଲ୍ ଉତ୍ପାଦନ କରାଯାଉଛି। ଅଶୋଧିତ ତୈଳ ମହଙ୍ଗା ହେଲେ ଦେଶରେ ପେଟ୍ରୋଲ୍, ଡିଜେଲ୍ ଓ ଏଲ୍ପିଜି ଦାମ୍ ବଢ଼ିଥାଏ। ଆଜି ୧୯ କେଜି ବିଶିଷ୍ଟ କମର୍ସିଆଲ୍ ଏଲ୍ପିଜି ଦାମ୍ ୪୩ ଟଙ୍କା ବୃଦ୍ଧି ପାଇଛି। ଫଳରେ ଦିଲ୍ଲୀରେ ଏହି ସିଲିଣ୍ଡରର ଦାମ୍ ୧୭୩୬ ଟଙ୍କା ୫୦ ପଇସା ହୋଇଛି।
ଦେଶରେ ପେଟ୍ରୋଲ୍ ଦାମ୍ ୧୦୦ ଟଙ୍କା ଉପରେ ଥିବା ବେଳେ କିଛି ରାଜ୍ୟରେ ତାହା ୧୦୭ ଟଙ୍କା ଭଳି ଚଢ଼ା ଦାମ୍ରେ ବିକ୍ରି ହେଉଛି। ଡିଜେଲ୍ ଦାମ୍ ମଧ୍ୟ ୯୦-୧୦୦ ଟଙ୍କା ସ୍ତରରେ ରହିଛି। ଏହି ଦୁଇ ଇନ୍ଧନ ଦର ଏତେ ଉପରେ ରହିବାର ଏକ ପ୍ରମୁଖ କାରଣ ହେଉଛି ଟିକସ। ଖୁଚୁରା ଦାମ୍ର ପ୍ରାୟ ୬୦% ଟିକସ ଭାବେ ସଂଗ୍ରହ କରାଯାଉଛି। କେନ୍ଦ୍ର ସରକାର ୩୩ ଟଙ୍କା ଓ ବଳକା ଟିକସ ରାଜ୍ୟ ସରକାର ଭାଟ୍ ଆକାରରେ ସଂଗ୍ରହ କରୁଛନ୍ତି। ଏଲ୍ପିଜି କ୍ଷେତ୍ରରେ ଦେଶର ପ୍ରତି ପରିବାରକୁ ବର୍ଷକୁ ୧୨ଟି ସିଲିଣ୍ଡର ରିହାତି ଦାମ୍ରେ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। କିନ୍ତୁ ସବ୍ସିଡି ଏକ ପ୍ରକାର ଉଚ୍ଛେଦ ହୋଇଥିବାରୁ ୧୪.୨ କେଜି ବିଶିଷ୍ଟ ସିଲିଣ୍ଡରର ବଜାର ଦାମ୍ ଓ ରିହାତି ଦରରେ ଆଉ କିଛି ପ୍ରଭେଦ ନାହିଁ। ଗ୍ୟାସ୍ କଂପାନିଗୁଡ଼ିକ ପ୍ରତି ମାସ ୧ ତାରିଖ ଓ ୧୫ ତାରିଖରେ ଏଲ୍ପିଜି ଦାମ୍ ସଂଶୋଧନ କରୁଛନ୍ତି। ସେହିପରି, ତୈଳ କଂପାନିଗୁଡ଼ିକ ପ୍ରତିଦିନ ତୈଳ ଦାମ୍ ସଂଶୋଧନ କରୁଛନ୍ତି।