ପେଟ୍ରୋଲ୍, ଡିଜେଲ୍,ଏଲପିଜି ଅଭାବ ରହିବନି: ଇଣ୍ଡିଆନ୍ ଅଏଲ୍‌

ନୂଆଦିଲ୍ଲୀ: ଦେଶରେ ତିନି ସପ୍ତାହ ଲକ୍ ଡାଉନ୍ ଘୋଷଣା କରାଯାଇଥିବାରୁ ପେଟ୍ରୋଲ୍, ଡିଜେଲ୍ ଓ ଏଲ୍‌ପିଜି ଅଭାବ ଦେଖାଦେବନି ବୋଲି ଭାରତୀୟ ତୈଳ ନିଗମର ଅଧ୍ୟକ୍ଷ ସଞ୍ଜୀବ ସିଂହ କହିଛନ୍ତି। ସେ କହିଲେ, ଆମର ସବୁ କାରଖାନା ଚାଲୁ ରହିଥିବା ବେଳେ ଯୋଗାଣ ମଧ୍ୟ ସ୍ବାଭାବିକ ରହିଛି। ଯେଉଁଦିନ ଲକ୍ ଡାଉନ୍ ଘୋଷଣା ହେଲା ସେହିଦିନ ନିଜ ପିତାଙ୍କୁ ହରାଇଥିବା ସତ୍ତ୍ବେ ଶ୍ରୀ ସିଂହ ଦେଶର ପ୍ରତିଟି କୋଣ ଅନୁକୋଣରେ କିଭଳି ତେଲ ପହଞ୍ଚିବ ତାହାର ତଦାରଖ କରୁଛନ୍ତି। ଶ୍ରୀ ସିଂହ କହିଛନ୍ତି, ଦେଶରେ ତେଲର କୌଣସି ଅଭାବ ନାହିଁ। ଛାନିଆ ହୋଇ ପେଟ୍ରୋଲ୍, ଡିଜେଲ୍ କିମ୍ବା ଗ୍ୟାସ୍ କିଣିବାରୁ ବିରତ ରହିବାକୁ ସେ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି। ଲକ୍ ଡାଉନ୍ ଘୋଷଣା ହେବା ପରଠାରୁ ଦେଶରେ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ ତାଲା ପଡ଼ିଥିବା ବେଳେ ବସ୍, ଟ୍ରେନ୍, ଟାକ୍ସି, କାର୍, ବାଇକ୍ ଆଦି ସବୁ ପ୍ରକାର ଯାନବାହନ ଚଳାଚଳ ବନ୍ଦ ହୋଇଯାଇଛି। କାର ଓ ବାଇକ୍‌ଗୁଡ଼ିକ ରାସ୍ତାରୁ ହଟିଯାଇଥିବାରୁ ପେଟ୍ରୋଲ୍ ଚାହିଦା ୮ ପ୍ରତିଶତ ହ୍ରାସ ପାଇଛି। ସେହି ସମୟରେ ଡିଜେଲ୍‌ ଚାହିଦାରେ ୧୬ ପ୍ରତିଶତ ହ୍ରାସ ଘଟିଛି। ବିମାନରେ ବ୍ୟବହାର କରାଯାଉଥିବା ଏଟିଏଫ୍ ଇନ୍ଧନର ଚାହିଦା ମଧ୍ୟ ୨୦ ପ୍ରତିଶତ ହ୍ରାସ ପାଇଛି। ସବୁ ପ୍ରକାର ତୈଳ ଚାହିଦା କମ୍ ହୋଇଥିବା ବେଳେ ଏଲ୍‌ପିଜି ଚାହିଦା ବଢ଼ିଥିବା ଶ୍ରୀ ସିଂହ କହିଛନ୍ତି। ଏଲ୍‌ପିଜି ରିଫିଲ୍ ଆବେଦନରେ ୨୦୦ ପ୍ରତିଶତ ବୃଦ୍ଧି ଘଟିଥିବା ସେ କହିଛନ୍ତି। ଲୋକମାନେ ଛାନିଆ ହୋଇ ଏଲ୍‌ପିଜି ରିଫିଲ୍ ପାଇଁ ଆବେଦନ କରିଛନ୍ତି। ଯେଉଁମାନଙ୍କ ପାଖରେ ଦୁଇଟି ସିଲିଣ୍ଡରର ସଂଯୋଗ ଅଛି ସେମାନେ ଆବଶ୍ୟକତା ନଥିଲେ ମଧ୍ୟ ଦ୍ବିତୀୟ ସିଲିଣ୍ଡର ପାଇଁ ବୁକିଙ୍ଗ କରିଛନ୍ତି। ଏଭଳି କୌଣସି ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ନାହିଁ। ଚାହିଦା ପୂରଣ କରିବା ଲାଗି ଆମ ପାଖରେ ଯଥେଷ୍ଟ ଗ୍ୟାସ୍ ଅଛି ବୋଲି ଶ୍ରୀ ସିଂହ କହିଛନ୍ତି। ଯେତେବେଳେ ଲୋକମାନେ ଛାନିଆ ହୋଇ ବୁକିଙ୍ଗ କରନ୍ତି ତାହାର ପ୍ରଭାବ ରିଲିଫ ବ୍ୟବସ୍ଥା ଉପରେ ପଡ଼ିଥାଏ। କାରଣ ଯେଉଁ ସବୁ ବୁକିଙ୍ଗ ଆସେ ତାହାର ସୂଚନା ବଟଲିଂ ପ୍ଲାଣ୍ଟ୍‌ଗୁଡ଼ିକ ପାଖକୁ ପଠାଇ ଦିଆଯାଏ। ରିଫିଲ୍ ହେଉଥିବା ସିଲିଣ୍ଡରଗୁଡ଼ିକ ଏକକାଳୀନ ଆଣି ବିତରକଙ୍କ ପାଖରେ ପହଞ୍ଚାଇବା ଏକ କଷ୍ଟକର ବ୍ୟାପାର ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର