ରେକର୍ଡସ୍ତରରେ ପେଟ୍ରୋଲ,ଡିଜେଲ: ହାତ ଟେକିଦେଲେ ତେଲ କମ୍ପାନି.. କହିଲେ ସରକାର ଟିକସ କମାଇଲେ ଦର କମିବ

ଭୁବନେଶ୍ବର :  କିଛି ଦିନର ବିରତି ପରେ ଆଜି ପୁଣି ତେଲଦର ବୃଦ୍ଧି ପାଇଛି । ଆଜି ଉଭୟ ପେଟ୍ରୋଲ ଓ ଡିଜେଲ ଦର ୩୫ ପଇସା ଲେଖାଏଁ ବୃଦ୍ଧି ପାଇଛି । ଏହା ଫଳରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଏକ ନୂଆ ଉଚ୍ଚତାରେ ପହଞ୍ଚିଛି ।

ତେବେ ତେଲ କମ୍ପାନିମାନେ କହିଛନ୍ତି ଯେ, କେବଳ ସରକାର ହିଁ ଟିକସ ହ୍ରାସ କରି ଖାଉଟିଙ୍କ ମୁଣ୍ଡରୁ ବୋଝ ଲାଘବ କରିପାରିବେ ।  ନୂଆ ବଜେଟରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳକ କମାଇଥିବାବେଳେ କୃଷି ଭିତ୍ତିଭୂମି ସେସ ଲଗାଇଥିଲେ । ତେବେ ଏହା ଦ୍ବାରା ତେଲଦର ଅପରିବର୍ତ୍ତିତ ରହିଥିଲା ।

ଆଜିର ବୃଦ୍ଧି ପରେ ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ଟ.୮୬.୬୫ ଓ ଡିଜେଲ ଲିଟର ପିଛା ଟ.୭୬.୮୩ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି । ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଟ.୮୭. ୩୨ ଓ ଡିଜେଲ ଟ. ୮୩.୭୧ ରେ ବିକ୍ରି ହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ପରିଲକ୍ଷିତ ହେଉଛି । ଓଡ଼ିଶାର ମାଲକାନଗିରିରେ ପେଟ୍ରୋଲ ଟ.୯୧.୯୮ ଓ ଡିଜେଲ ଟ.୮୮.୨୧ରେ ବିକ୍ରି ହେଉଛି ।  ସେହିପରି ସମ୍ବଲପୁରରେ ପେଟ୍ରୋଲ ଟ.୮୭.୮୮ ଓ ଡିଜେଲ ଟ. ୮୪.୨୬ ରେ ବିକ୍ରି ହେଉଛି ।

ସମ୍ବନ୍ଧିତ ଖବର