ପେଟ୍ରୋଲ୍‌, ଡିଜେଲ୍‌ ଆହୁରି ମହଙ୍ଗା ହେବ

ଅଶୋଧିତ ତୈଳ ଦର ୧୫୦ ଡଲାର ଟପିବ

ନୂଆଦିଲ୍ଲୀ: ଆଗାମୀ ଦିନରେ ପେଟ୍ରୋଲ୍‌, ଡିଜେଲ ଦର ଆହୁରି ବଢ଼ିବ। କାରଣ ଅଶୋଧିତ ତୈଳର ବ୍ୟାରେଲ୍‌ ପିଛା ଦର ୧୫୦ ଡଲାର ଭଳି ଉଚ୍ଚ ସ୍ତରକୁ ଚାଲିଯିବ। ଶେଷ ଥର ପାଇଁ ୨୦୦୮ରେ ଅଶୋଧିତ ତେଲ ଦର ଏହି ସ୍ତରରେ ଥିଲା। ବର୍ତ୍ତମାନ ଅଶୋଧିତ ତେଲର ବ୍ୟାରେଲ ପିଛା ଦର ୭୦ ଡଲାର ପାଖାପାଖି ରହିଛି। ଏହାର ଏକ ପ୍ରମୁଖ କାରଣ ହେଉଛି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆରମ୍ଭ କରିଥିବା ବାଣିଜ୍ୟ ଲଢ଼େଇ। ଆମେରିକା ଚାହୁଁନାହିଁ ଇରାନଠାରୁ କୌଣସି ଦେଶ ତେଲ କିଣନ୍ତୁ। ଏହା ଭାରତ ଓ ଚୀନ୍‌ ସମେତ ସବୁ ଦେଶକୁ ଧମକ ଦେଇଛି ଯେ ଯଦି ଇରାନ୍‌ ଠାରୁ ତେଲ କିଣିବ ତେବେ ବାଣିଜ୍ୟ କଟକଣା ଲାଗୁ କରାଯିବ। ଏଭଳି ପରିସ୍ଥିତିରେ ଭାରତ ଭଳି ଦେଶକୁ ଓପେକ୍‌୍‌ଠାରୁ ଅଧିକ ତେଲ କିଣିବାକୁ ପଡ଼ିବ। ଇରାନ୍‌ ତେଲ ବିକ୍ରି ନହେଲେ ଯୋଗାଣ କମିଯିବ ଯାହା ଦର ବଢ଼ାଇବାରେ ସହାୟକ ହେବ। ଅଶୋଧିତ ତେଲ ଦର ବୃଦ୍ଧି ଦ୍ୱିତୀୟ କାରଣ ହେଉଛି ତେଲ ଉତ୍ପାଦନ କରୁଥିବା କଂପାନିଗୁଡ଼ିକ ଖର୍ଚ କାଟ କରୁଛନ୍ତି। ଋଣ ଅର୍ଥ ଶୁଝିବା ପାଇଁ ସମ୍ପତ୍ତି ବିକ୍ରି କରୁଛନ୍ତି। ନିଜର ନିବେଶକମାନଙ୍କୁ ସନ୍ତୁଷ୍ଟ କରିବାକୁ ଏହି କଂପାନିଗୁଡ଼ିକ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ। ରୟାଲ୍‌ ଡଚ୍‌ ସେଲ୍‌ ଓ ବିପି ଭଳି ବଡ଼ କଂପାନି ଏଭଳି ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଦେଶରେ ପେଟ୍ରୋଲ୍‌ ଓ ଡିଜେଲର ଖୁଚୁରା ଦର ଦୁଇଟି ବିଷୟ ଉପରେ ମାତ୍ରାଧିକ ନିର୍ଭରଶୀଳ। ପ୍ରଥମଟି ହେଉଛି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲର ଦର ଓ ଦ୍ୱିତୀୟଟି ହେଉଛି ଡଲାର ମୂଲ୍ୟ। ଡଲାର ତୁଳନାରେ ଏବେ ଟଙ୍କା ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି। ଏକ ଡଲାର କିଣିବା ପାଇଁ ରପ୍ତାନିକାରୀମାନଙ୍କୁ ୬୯ ଟଙ୍କା ଗଣିବାକୁ ପଡୁଛି। ଯଦି କଂପାନିଗୁଡ଼ିକ ଅଧିକ ଦାମ୍‌ରେ ଅଶୋଧିତ ତେଲ କିଣିବେ ତାହାର ପ୍ରତିଫଳନ ପେଟ୍ରୋଲ୍‌ ଓ ଡିଜେଲ୍‌ର ଖୁଚୁରା ଦର ଉପରେ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର