ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଉଭୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଟିକସରେ ଅନେକ କିଛି ପରିବର୍ତ୍ତନ ଆଣିଛନ୍ତି। ଫଳରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଧନୀକ ବର୍ଗର ଲୋକମାନେ ଏହାଦ୍ବାରା ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି। ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦନ ଶୁଳ୍କ ଏବଂ ସଡ଼କ ଓ ଭିତ୍ତିଭୂମି ସେସ୍ ବାବଦରେ ଲିଟର ପିଛା ୨ ଟଙ୍କା ଲେଖାଏଁ ବୃଦ୍ଧି କରିଛନ୍ତି। ଏଥିଯୋଗୁ ପେଟ୍ରୋଲ ଏବଂ ଡିଜେଲ ଦର ପାଖାପାଖି ଲିଟର ପିଛା ଅଢ଼େଇ ଟଙ୍କା ବୃଦ୍ଧି ଘଟିଛି। ବାର୍ଷିକ ୨ କୋଟିରୁ ଅଧିକ ଏବଂ ୫ କୋଟି ଟଙ୍କା ଆୟ କରୁଥିବା ବ୍ୟକ୍ତିଙ୍କ ଉପରେ ସରଚାର୍ଜ ରାଶି ଯଥାକ୍ରମେ ୨୫ ପ୍ରତିଶତ ଏବଂ ୩୭ ପ୍ରତିଶତ ବଢ଼ାଇ ଦିଆଯାଇଛି। ଧନୀ ବର୍ଗର ଲୋକଙ୍କ ଉପରେ ଅତିରିକ୍ତ ସେସ୍ ଆଦାୟ କରି ସରକାର ଏ ବାବଦରେ ଅତିରିକ୍ତ ୧୨ ହଜାର କୋଟି ଟଙ୍କାର ସମ୍ବଳ ସଂଗ୍ରହ ଲକ୍ଷ୍ୟ ରଖିଛନ୍ତି। ସରଚାର୍ଜ ବଢ଼ାଇ ଦିଆଯିବା ଫଳରେ ଭାରତରେ ଧନୀ ବ୍ୟକ୍ତିଙ୍କ ଟିକସ ହାର ଆମେରିକାକୁ ଟପିଯାଇଛି। ଆମେରିକାରେ ଶୀର୍ଷ ଧନୀବ୍ୟକ୍ତିମାନେ ସର୍ବାଧିକ ୪୦ ପ୍ରତିଶତ ପ୍ରଭାବୀ ଟିକସ ଦେଉଥିବାବେଳେ ଭାରତରେ ଏହା ୪୨.୭ ପ୍ରତିଶତକୁ ବୃଦ୍ଧି ପାଇଛି।
ଅନ୍ୟପକ୍ଷରେ ବାର୍ଷିକ ୪୦୦ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା କମ୍ପାନି ଗୁଡ଼ିକର ଟିକସ ହାର ୩୦ ପ୍ରତିଶତ ପରିବର୍ତ୍ତେ ୨୫ ପ୍ରତିଶତକୁ କମାଇ ଦିଆଯାଇଛି। ଏହାଦ୍ବାରା ଦେଶର ୯୯.୩ ପ୍ରତିଶତ କମ୍ପାନି ଉପକୃତ ହେବେ। ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ କହିଛନ୍ତି, କମ୍ପାନି ଟିକସ ୨୫ ପ୍ରତିଶତକୁ ହ୍ରାସ କରିବା ଦ୍ବାରା ସରକାରଙ୍କୁ ଏବାବଦରେ ପାଖାପାଖି ୪ ହଜାର କୋଟି ଟଙ୍କାର ରାଜସ୍ବ ହରାଇବାକୁ ପଡ଼ିବ। କିନ୍ତୁ ସରଚାର୍ଜ ବୃଦ୍ଧି ବାବଦରେ ସରକାର ପ୍ରାୟ ୧୨ ହଜାର କୋଟି ଟଙ୍କାର ରାଜସ୍ବ ପାଇବେ। ପ୍ରତି ହଜାରେ ଫିଲଟର ସିଗାରେଟ୍ ଉପରେ ଉତ୍ପାଦନ ଶୁଳ୍କ ୫ ଟଙ୍କା ବୃଦ୍ଧି କରାଯାଇଛି। ଏତଦବ୍ୟତୀତ ସିଗାରେଟ୍, ନ୍ୟୁଜପ୍ରିଣ୍ଟ, ପେଟ୍ରୋଲ, ଡିଜେଲ,ସିଗାରେଟ, ହୁକା, ତମାଖୁ, ସୁନା, ରୁପା, ସମ୍ପୂର୍ଣ୍ଣ ଆମଦାନୀକୃତ କାର୍, ସ୍ପ୍ଲିଟ୍ ଏସି, ଲାଉଡ୍ ସ୍ପିକର, ଡିଜିଟାଲ ଭିଡିଓ ରେକର୍ଡର, ଆମଦାନୀକୃତ ବହି, ସିସିଟିଭି କ୍ୟାମେରା, କାଜୁ, ଆମଦାନୀକୃତ ପ୍ଲାଷ୍ଟିକ, ସାବୁନ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ, ଭିନାଇଲ ଫ୍ଲୋରିଂ, ଟାଇଲ୍, ଅପ୍ଟିକାଲ୍ ଫାଇବର,ସେରାମିକ୍ ଟାଇଲ, ୱାଲ୍ ଟାଇଲ୍, ଆମଦାନୀକୃତ କଳଙ୍କିବିହୀନ ଇସ୍ପାତ ଉତ୍ପାଦ, ଆମଦାନୀକୃତ ଅଟୋ ଉପକରଣ, ସମ୍ବାଦପତ୍ର ଏବଂ ମାଗାଜିନ ପାଇଁ ବ୍ୟବହୃତ କାଗଜ ଓ ନ୍ୟୁଜପ୍ରିଣ୍ଟ, ମାର୍ବଲ ସ୍ଲାବ ଆଦି ଉପରେ ଉତ୍ପାଦନ ଏବଂ ସୀମା ଶୁଳ୍କ ବୃଦ୍ଧି କରାଯାଇଥିବାରୁ ଏଗୁଡ଼ିକର ଦାମ୍ ବଢ଼ିଯାଇଛି। ବ୍ୟକ୍ତିଗତ ଆୟକରଦାତାଙ୍କ ପାଇଁ ଟିକସ ହାରରେ କୌଣସି ପରିବର୍ତ୍ତନ ଅଣାଯାଇନାହିଁ। ଅଢ଼େଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟକ୍ତିଗତ ଆୟ ଉପରେ ଆୟକର ସମ୍ପୂର୍ଣ୍ଣ ଛାଡ଼ କରାଯାଇଥିବାବେଳେ ଅଢ଼େଇ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକରଦାତାମାନେ ୫ ପ୍ରତିଶତ ଏବଂ ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କାର ଆୟକରଦାତାମାନେ ୨୦ ପ୍ରତିଶତ ଏବଂ ୧୦ ଲକ୍ଷରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କଠାରୁ ୨୦ ପ୍ରତିଶତ ଆୟକର ଆଦାୟ କରାଯିବ।
ଭୁବନେଶ୍ବର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦନ ଶୁଳ୍କ ସମେତ ସଡ଼କ ଏବଂ ଭିତ୍ତିଭୂମି ସେସ୍ ବାବଦରେ ୨ ଟଙ୍କା ବୃଦ୍ଧି କରିଛନ୍ତି। ଏହାର ପ୍ରଭାବ ତୁରନ୍ତ ପେଟ୍ରୋଲ ଏବଂ ଡିଜେଲ ଉପରେ ପଡ଼ିଛି। ପେଟ୍ରୋଲ ଏବଂ ଡିଜେଲକୁ ଜିଏସଟି ପରିସରରେ ସାମିଲ କରାଯାଇ ନଥିବାରୁ ବିଭିନ୍ନ ରାଜ୍ୟରେ ଏହାର ମୂଲ୍ୟ ଭିନ୍ନ ଭିନ୍ନ ବୃଦ୍ଧି ପରିଲକ୍ଷିତ ହୋଇଛି। ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୨ ଟଙ୍କା ୪୧ ପଇସା ଏବଂ ଡିଜେଲ ଦର ୨ ଟଙ୍କା ୫୩ ପଇସା ବୃଦ୍ଧି ଘଟିଛି। ଶୁକ୍ରବାର ଭୁବନେଶ୍ବରରେ ପେଟ୍ରୋଲ ଦର ୬୯ ଟଙ୍କା ୫୩ ପଇସା ଥିବାବେଳେ ଶନିବାର ଏହା ୭୧ ଟଙ୍କା ୯୪ ପଇସାରେ ପହଞ୍ଚି ଯାଇଛି। ସେହିଭଳି ଡିଜେଲ ଦର ୬୮ ଟଙ୍କା ୯୮ ପଇସା ଥିବାବେଳେ ଶନିବାର ଏହା ୭୧ ଟଙ୍କା ୫୧ ପଇସାରେ ପହଞ୍ଚିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/petrol.jpg)