ସାଉଦି-ରୁଷିଆ ଲଢ଼େଇରେ ଭାରତକୁ ଲାଭ : ଅଶୋଧିତ ତେଲ ଦର ୩୮ ଡଲାରକୁ ହ୍ରାସ, ଆହୁରି ଶସ୍ତା ହେବ ପେଟ୍ରୋଲ୍‌, ଡିଜେଲ୍

୬୦ ଟଙ୍କାରେ ମିଳିବକି ପେଟ୍ରୋଲ୍‌?: ରାହୁଲ

ନୂଆଦିଲ୍ଲୀ : କରୋନା ଭୂତାଣୁର ପ୍ରଭାବ ଲାଗି ସାରା ବିଶ୍ବରେ ତେଲର ଚାହିଦା କମିଥିବା ବେଳେ ତେଲ ଉତ୍ପାଦନ କରୁଥିବା ଦେଶଗୁଡ଼ିକ ଭିତରେ ଦାମ୍‌କୁ ନେଇ କୌଣସି ନିର୍ଦି‌ଷ୍ଟ ସହମତି ହୋଇନପାରିବାରୁ ଅଶୋଧିତ ତେଲ ଦାମ୍‌ରେ ବଡ଼ ଧରଣର ହ୍ରାସ ଘଟିଛି। ସାଉଦି ଆରବ ତରଫରୁ ବିପୁଳ ରିହାତିରେ ତେଲ ବିକ୍ରି କରାଯିବାରୁ ଏହାର ଦାମ୍ ବ୍ୟାରେଲ ପିଛା ୩୧ ଡଲାର ପର୍ଯ୍ୟନ୍ତ ହ୍ରାସ ପାଇଛି। ଅବଶ୍ୟ, ଆଜି ସେଥିରେ ସୁଧାର ଘଟିଛି ଓ ଦର ୩୮ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

ଗତକାଲି ତେଲ ବଜାର ଖୋଲିବା ମାତ୍ରେ ଅଶୋଧିତ ତେଲ ଦାମ୍ ୩୧% ଖସିଯାଇଥିଲା। ବ୍ରେଣ୍ଟ୍‌ କ୍ରୁଡ୍‌ର ମୂଲ୍ୟ ଅବିଶ୍ବସନୀୟ ଭାବେ ହ୍ରାସ ପାଇ ୩୧ ଡଲାର ହୋଇଯାଇଥିଲା। ତେଲ ବଜାରରେ ଥିବା ନିଜର ଭାଗକୁ ବଜାୟ ରଖିବା ଲାଗି ସାଉଦି ଆରବ ଓ ରୁଷିଆ ଭିତରେ ଚାଲିଥିବା ଲଢ଼େଇର ପ୍ରଭାବରେ ତେଲ ଦାମ୍ ହ୍ରାସ ପାଇଛି। ଯେହେତୁ ଏହି ଦୁଇ ଦେଶର ସିଂହ ଭାଗ ରାଜସ୍ବ ତେଲ ବିକ୍ରିରୁ ଆସୁଛି ତେଣୁ ତେଲ ବଜାରରେ ଥିବା ନିଜର ଭାଗ ଛାଡ଼ିବାକୁ ‌ସେମାନେ ପ୍ରସ୍ତୁତ ନୁହନ୍ତି। ସେଥିପାଇଁ ଯାହା କିଛି କରିବା ଦରକାର ସେମାନେ ତାହା କରୁଛନ୍ତି। ତେଲ ଦାମ୍‌କୁ ନେଇ ସାଉଦି ଆରବ ନେତୃତ୍ବାଧୀନ ଓପେକ୍ ଓ ରୁଷିଆ ଭିତରେ‌ କୌଣସି ସହମତି ନହେବାରୁ କିଛି କ୍ଷଣ ଭିତରେ ଆବର ତେଲ ଦାମ୍ ଏତେ କମ୍ କରି ବିକ୍ରି କଲା ଯେ ସମଗ୍ର ବିଶ୍ବ ଚକିତ ହୋଇଯାଇଥିଲା। ଅଶୋଧିତ ତେଲ ଦରରେ ଘଟିଥିବା ହ୍ରାସ ଯୋଗୁଁ ୮୪% ତେଲ ଆବଶ୍ୟକତାକୁ ଆମଦାନି ଜରିଆରେ ପୂରଣ କରୁଥିବା ଭାରତ ଭଳି ଦେଶ ବିଶେ‌ଷ ଭାବେ ଲାଭବାନ ହେବେ। ଅଧିକ ଦିନ ପର୍ଯ୍ୟନ୍ତ ଅଶୋଧିତ ତେଲ ଦର ନିମ୍ନ ସ୍ତରରେ ରହିଲେ ଦେଶ ଭିତରେ ପେଟ୍ରୋଲ୍ ଓ ଡିଜେଲ୍‌ ଦାମରେ ବଡ଼ ଧରଣର ହ୍ରାସ ଘଟିବ। ‌୧୯୯୧ରେ ହୋଇଥିବା ଉପସାଗରୀୟ ଯୁଦ୍ଧ ପରେ ପ୍ରଥମ ଥର ଲାଗି ଅଶୋଧିତ ତେଲ ଦର ଏତେ ତଳକୁ ହ୍ରାସ ପାଇଛି। ସାଉଦି ପକ୍ଷରୁ ଏସିଆ, ୟୁରୋପ ଓ ଆମେରିକୀୟ ରାଷ୍ଟ୍ରଗୁଡ଼ିକ ବିପୁଳ ରିହାତିରେ ତେଲ ବିକ୍ରି କରାଯାଇଛି। ସାଉଦି ଆରବ ଉତ୍ପାଦନ ଆହୁରି ବଢ଼ାଇବାକୁ କହି ଏହି ସଙ୍କେତ ଦେଇଛି ଯେ ଦର ଯେତେ କମିଲେ ବି ତାହା ଆମକୁ ବିଶେଷ ପ୍ରଭାବିତ କରିବନି। ବୁଧବାର ଦିନ ଭୁବନେଶ୍ବରରେ ପେଟ୍ରୋଲ୍‌ର ଲିଟର ପିଛା ଦର ୬୯.୨୭ ଟଙ୍କା ଓ ଡିଜେଲ୍‌ ଦାମ୍ ୬୭.୪୮ ଟଙ୍କା ରହିଛି। ଗତ ସୋମବାର ଓ ଆଜି (ବୁଧବାର)ର ମଧ୍ୟରେ ପେଟ୍ରୋଲ୍ ଦାମ୍‌ରେ ୩୦ ପଇସା ଓ ଡିଜେଲ୍‌ରେ ୨୭ ପଇସାର ହ୍ରାସ ଘଟିଛି। କିନ୍ତୁ, ହୋଲି ଦିନ ନୂଆଦିଲ୍ଲୀରେ ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍‌ରେ ୨ ଟଙ୍କାରୁ ଅଧିକ ହ୍ରାସ ଘଟିଥିଲା।

ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦାମ୍ ବହୁତ କମିବା ପରେ ଦେଶ ଭିତରେ ‌େତଲ ଦର ଅଧିକ ରହିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଅଶୋଧିତ ତେଲ ଦାମ୍ ୩୫% କମିବା ସତ୍ତ୍ବେ କାହିଁକି ୬୦ ଟଙ୍କାରୁ କମ୍ ଦାମ୍‌ରେ ପେଟ୍ରୋଲ୍ ବିକ୍ରି କରାଯାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ନିର୍ବାଚିତ କଂଗ୍ରେସ ସରକରକୁ ଅସ୍ଥିର କରିବା ବଦଳରେ ତେଲ ଦର ଉପରେ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି।

୨୦୦୪ ଓ ୨୦୨୦ : ଏକ ତୁଳନାତ୍ମକ ଚିତ୍ର
ଅଶୋଧିତ ତେଲ ଦରରେ ବଡ଼ ଧରଣର ହ୍ରାସ ଘଟିବାରୁ ଏହାର ଦାମ୍ ୩୮ ଡଲାର ପାଖାପାଖି ଖସିଆସିଛି। ଶେଷ ଥର ଲାଗି ୨୦୦୪ରେ ଅଶୋଧିତ ତେଲ ଦର ଏହି ସ୍ତରରେ ଥିଲା। କଂଗ୍ରେସ ନେତା ରଣଦୀପ ସିଂହ ସୁର୍‌ଜେୱାଲା ଜଣାଇଛନ୍ତି ଯେ, ୨୦୧୪‌ରେ ମୋଦୀ ସରକାର ଶାସନ ଗାଦି ସମ୍ଭାଳିବା ବେଳେ ଏକ ବ୍ୟାରେଲ ‌ଅଶୋଧିତ ତେଲ ଦାମ୍ ଟଙ୍କା ହିସାବରେ ୬୩୧୮ ଟଙ୍କା ୭୬ ପଇସା ଥିଲା। ଏବେ ଏକ ବ୍ୟାରେଲ ତେଲ କିଣିବା ଲାଗି ତାହା ତୁଳନରରେ ଯଥେଷ୍ଟ କମ୍ ଅର୍ଥାତ ୨୭୯୯ ଟଙ୍କା ୩୮ ପଇସା ଗଣିବାକୁ ପଡ଼ୁଛି। ଇତି ମଧ୍ୟରେ ତେଲ ଦରରେ ବ୍ୟାରେଲ ପିଛା ୩୫୧୯ ଟଙ୍କା ୩୮ ପଇସାର ହ୍ରାସ ହୋଇସାରିଲାଣି। ଯଦି ଗ୍ରାହକମାନଙ୍କୁ ତେଲ ହ୍ରାସର ସବୁ ଲାଭ ପ୍ରଦାନ କରାଯାଆନ୍ତା ତେବେ ଏକ ଲିଟର ପେଟ୍ରୋଲ୍‌କୁ ସେମାନେ ୩୯ ଟଙ୍କା ୭୬ ପଇସା ଓ ଡିଜେଲ୍‌କୁ ୩୧ ଟଙ୍କା ୫୮ ପଇସାରେ କିଣିପାରନ୍ତେ। ସେ କହିଛନ୍ତି, ବିଜେପି ସରକାର ଶାସନ ଭାର ଗ୍ରହଣ କରିବା ପରଠାରୁ ପେଟ୍ରୋଲ୍ ଓ ଡିଜେଲ୍ ଉପରେ କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କରେ ପ୍ରାୟ ଡଜନେ ଥର ବୃଦ୍ଧି କରାଯାଇଛି। ୨୦୧୪ ମେ’ରେ ଏକ ଲିଟର ପେଟ୍ରୋଲ୍‌ରେ ଉତ୍ପାଦନ ଶୁଳ୍କ ୯ ଟଙ୍କା ୨୦ ପଇସା ଥିଲା ଯାହା ଏବେ ୧୯ ଟଙ୍କା ୯୮ ପଇସାରେ ପହଞ୍ଚିଯାଇଛି। ସେହିପରି, ଡିଜେଲରେ ସେହି ଶୁଳ୍କ ପରିମାଣ ୩ ଟଙ୍କା ୪୬ ପଇସାରୁ ବୃଦ୍ଧି ପାଇ ୧୫ ଟଙ୍କା ୮୩ ପଇସା ହୋଇଛି। ମୋଦୀ ସରକାର ଅମଳରେ ୨୦୧୪ ପରେ ଦେଶରେ ପେଟ୍ରୋଲ୍, ଡିଜେଲ୍‌ ଓ ଏଲ୍‌ପିଜି ଦାମ୍‌ରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି ବୋଲି ସେ କହିଛନ୍ତି।

ଦାମ୍ କେତେ ଅଧିକ
ଇନ୍ଧନ ୨୦୦୪(ଟ.) ୨୦୨୦(ଟ.)
ପେଟ୍ରୋଲ୍‌ ୩୭.୮୪ ୭୦.୨୯
ଡିଜେଲ୍ ୨୬.୨୮ ୬୩.୦୧
ଏଲ୍‌ପିଜି ୨୮୧.୬୦ ୮୦୫

ସମ୍ବନ୍ଧିତ ଖବର