କ୍ରମାଗତ ୨ୟ ଦିନ ପାଇଁ ବଢିଲା ପେଟ୍ରୋଲ, ଡିଜେଲ ଦର, ଭୁବନେଶ୍ୱରରେ ଦର କେତେ ଜାଣନ୍ତୁ

ନୂଆଦିଲ୍ଲୀ : ଭାରତରେ ଆଜି ପୁଣି ତେଲଦର ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ବଜାରରେ ଗତ କିଛି ଦିନଧରି ଅଶୋଧିତ ତେଲଦର ବଢିଚାଲିଥିବାରୁ ଓ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ଯୋଗୁଁ ଦେଶରେ ମଧ୍ୟ ତେଲଦର ବଢୁଥିବା ଜଣାପଡ଼ିଛି ।

ତେଲ କମ୍ପାନିମାନେ ଶନିବାରଦିନ ପେଟ୍ରୋଲ ଲିଟର ପିଛା ୧୫ ପଇସା ଓ ଡିଜେଲ ଲିଟର ପିଛା ୨୦ ପଇସା ବୃଦ୍ଧି କରିଛନ୍ତି । ଗତ ୨ ଦିନ ହେଲା କ୍ରମାଗତଭାବେ ତେଲଦର ବଢିଚାଲିଛି । ଏହି ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୧ ଟଙ୍କା ୩୮ ପଇସା ଓ ଡିଜେଲ ଲିଟର ପିଛା ୭୦ ଟଙ୍କା ୮୮ ପଇସାକୁ ବୃଦ୍ଧି ପାଇଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି ।

ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଟ.୮୧.୯୮ ଓ ଡିଜେଲ ଟ. ୭୭.୧୮ ରେ ବିକ୍ରି ହେଉଛି । ତେବେ ଭାଟ୍‌ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ ।

ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ ମୂଲ୍ୟ ୪୪.୯୬ ଡଲାର ଓ ଇଣ୍ଡିଆନ ବାସ୍କେଟ ମୂଲ୍ୟ ୪୩.୮୪ ଡଲାରକୁ ବୃଦ୍ଧି ପାଇଛି । ଗତ ଏପ୍ରିଲ ମାସରେ ଅଶୋଧିତ ତେଲ ଦର ଶୂନ ତଳକୁ ଖସିଯାଇଥିଲା । କିନ୍ତୁ ଉତ୍ପାଦନ ହ୍ରାସ ପାଇଁ ଓପେକ ଦେଶ ( ପେଟ୍ରୋଲିୟମ ଉତ୍ପାଦନକାରୀ ଦେଶ ସମୂହ) ଓ ଋଷିଆ ମଧ୍ୟରେ ସହମତି ପରେ ସେବେଠାରୁ ଅଶୋଧିତ ତେଲ ଦର ବଢିଚାଲିଛି ।

ସମ୍ବନ୍ଧିତ ଖବର