୨୦ ଦିନରେ ପେଟ୍ରୋଲ୍‌ ୧୨ ଥର ମହଙ୍ଗା

ନୂଆଦିଲ୍ଲୀ: ଗୋଟିଏ ଦିନର ବ୍ୟବଧାନ ପରେ ତେଲ କଂପାନିଗୁଡ଼ିକ ଆଜି ପୁଣି ଥରେ ପେଟ୍ରୋଲ୍ ଓ ଡିଜେଲ୍‌ ଦାମ୍ ବଢ଼ାଇଛନ୍ତି। ପେଟ୍ରୋଲ୍‌ ଦାମ୍ ୨୭ ପଇସା ବଢ଼ିଥିବା ବେଳେ ଡିଜେଲ୍‌ ୨୯ ପଇସା ମହଙ୍ଗା ହୋଇଛି। ଫଳରେ ଦିଲ୍ଲୀରେ ଏକ ଲିଟର ପେଟ୍ରୋଲ୍‌ ଦାମ୍ ୯୩ ଟଙ୍କା ୨୧ ପଇସା ଓ ଡିଜେଲ୍ ୮୪ ଟଙ୍କା ୭ ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ୍ ମୂଲ୍ୟ ୯୯ ଟଙ୍କା ୪୯ ପଇସା ହୋଇଯାଇଛି। ଏହି ଭଳି ଭାବେ ଦରବୃଦ୍ଧି ଜାରି ରହିଲେ ଖୁବ୍‌ଶୀଘ୍ର ମୁମ୍ବାଇରେ ପେଟ୍ରୋଲ୍‌ ଦାମ୍ ୧୦୦ ଟଙ୍କା ହୋଇଯିବ।

ଚଳିତ ମାସରେ ତେଲ କଂପାନିଗୁଡ଼ିକ ୨୦ ଦିନରେ ୧୨ ଥର ଦରବୃଦ୍ଧି କରିଛନ୍ତି। ଫେବ୍ରୁଆରି ୨୭ ପରେ ଦୀର୍ଘ ୬୬ ଦିନର ବ୍ୟବଧାନରେ ତେଲ କଂପାନିଗୁଡ଼ିକ ପ୍ରଥମ ଥର ଲାଗି ମେ’ ୪ରେ ଦାମ୍ ବଢ଼ାଇଥିଲେ। ଚଳିତ ମାସରେ ପେଟ୍ରୋଲ୍ ମୂଲ୍ୟ ୨ ଟଙ୍କା ୮୧ ପଇସା ବଢ଼ିଥିବା ବେଳେ ଡିଜେଲ୍ ଦାମ୍ ୩ ଟଙ୍କା ୩୪ ପଇସା ବଢ଼ିସାରିଲାଣି। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରର କେତେକ ସ୍ଥାନରେ ପେଟ୍ରୋଲ୍‌ ୧୦୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଛି। ଏହି ରାଜ୍ୟଗୁଡ଼ିକ ଅଧିକ ଭାଟ୍ ଲଗାଇଥିବାରୁ ଦାମ୍ ଅଧିକ ରହୁଥିବା କୁହାଯାଊଛି। ପଶ୍ଚିମବଙ୍ଗ ସମେତ ଚାରିଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବାର ଗୋଟିଏ ଦିନ ପରେ ଦାମ୍ ବଢ଼ିବା ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ମାର୍ଚ୍ଚ ଓ ଏପ୍ରିଲ୍‌ରେ ଦରବୃଦ୍ଧିକୁ ସମ୍ପୂର୍ଣ୍ଣ ଅଟକାଇ ଦିଆଯାଇଥିଲା। ଯଦିଓ ଦର ନିର୍ଧାରଣ କରିବାର ସ୍ବାଧୀନତା ତେଲ କଂପାନିଗୁଡ଼ିକୁ ଦିଆଯାଇଛି କିନ୍ତୁ ସେଗୁଡ଼ିକ ସରକାରୀ କଂପାନି ହୋଇଥିବାରୁ ସରକାରଙ୍କ ଅଦୃଶ୍ୟ ହାତ ସେମାନଙ୍କ ଉପରେ ରହୁଛି। ଅତୀତରେ ‌ଅନେକ ଥର ନିର୍ବାଚନ ସମୟରେ ତେଲ ଦରବୃଦ୍ଧି ଏହି ଭଳି ଭାବେ ମାସ ମାସ ଅଟକିଯାଏ। ଏଥର କିଛି ନୂଆ ଘଟଣା ଘଟିନି। ନିର୍ବାଚନ ଦୃଷ୍ଟିରୁ ତେଲ ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଏହା ଭୋଟ ବ୍ୟାଙ୍କ ରାଜନୀତିକୁ ପ୍ରଭାବିତ କରିବାର କ୍ଷମତା ରଖିଛି ବୋଲି ରାଜନୈତିକ ଦଳଗୁଡ଼ିକ ଭଲ ଭାବେ ଜାଣିଛନ୍ତି।

ସମ୍ବନ୍ଧିତ ଖବର