ନୂଆଦିଲ୍ଲୀ: ପଡ଼ୋଶୀ ପାକିସ୍ତାନ ଓ ବାଂଲାଦେଶ ଠାରୁ ଭାରତରେ ପେଟ୍ରୋଲ୍‌ ଦର ମହଙ୍ଗା। ବିଶ୍ବରେ ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଲିବିୟାରେ ପ୍ରଚୁର ମାତ୍ରାରେ ଅଶୋଧିତ ତେଲ ଉପଲବ୍ଧ ହୋଇଥାଏ। ସେଥିପାଇଁ ସେଠାରେ ପେଟ୍ରୋଲ୍‌ ଦାମ୍‌ ସବୁଠୁ କମ୍‌ ରହିଥାଏ। କିନ୍ତୁ ଏବେ ଚିତ୍ର ବଦଳି ଯାଇଛି। ବର୍ତ୍ତମାନ ବିଶ୍ବରେ ସବୁଠୁ କମ୍ ଦାମ୍‌ରେ ପେଟ୍ରୋଲ‌୍‌ ଇରାନରେ ଉପଲବ୍ଧ ହେଉଛି। ଦ୍ବିତୀୟ ସ୍ଥାନରେ ଲିବିୟା ରହିଛି। ଇରାନରେ ପେଟ୍ରୋଲ୍‌ ଦର ଲିଟର ପିଛା ୦.୦୨୯ ଡଲାର ରହିଛି। ଭାରତୀୟ ମୁଦ୍ରାରେ ଦେଖିଲେ ଏହା ପ୍ରାୟ ୨ ଟଙ୍କା ୪୨ ପଇସା। ଇରାନ ପଛକୁ ଉତ୍ତର ଆଫ୍ରିକୀୟ ଦେଶ ଲିବିୟାରେ ପେଟ୍ରୋଲ୍‌ ଦାମ୍‌ ଲିଟର ପିଛା ୦.୦୩୧ ଡଲାରରେ ମିଳୁଛି। ଭାରତୀୟ ମୁଦ୍ରାରେ ଏହା ୨ ଟଙ୍କା ୯୨ ପଇସା। ଏହା ଛଡ଼ା ମିଶର, କୁଏତ୍‌, ଆଲଜେରିଆ, ନାଇଜେରିଆ, କାଜାଖ୍‌ସ୍ତାନ, ରୁଷ୍‌, ସାଉଦୀ ଆରବ, ସଂଯୁକ୍ତ ଆରବ ଏମିରେଟ୍‌ସ, ଇଣ୍ଡୋନେସିଆ ଏବଂ ପାକିସ୍ତାନରେ ମଧ୍ୟ ପେଟ୍ରୋଲ୍‌ ଦାମ୍‌ ୧ ଡଲାରରୁ କମ୍‌ ରହିଛି।

Advertisment

ପକିସ୍ତାନରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୦.୯୮୨ ଡଲାର ବା ପ୍ରାୟ ୮୨ ଟଙ୍କା ଥିବାବେଳେ ଭାରତରେ ଏହା ପ୍ରାୟ ୧.୨୫୨ ଡଲାର ବା ୧୦୪ ଟଙ୍କା ୪୩ ପଇସା ରହିଛି। ଆମେରିକା, ବାଂଲାଦେଶ, ଆର୍ଜେଣ୍ଟିନା, ଜାପାନ, ବ୍ରାଜିଲ, ଅଷ୍ଟ୍ରେଲିଆ ଓ ଚୀନରେ ପେଟ୍ରୋଲ ଦର ଭାରତ ଠାରୁ କମ୍‌। ଅନ୍ୟପକ୍ଷରେ ବିଶ୍ବରେ ପେଟ୍ରୋଲ୍‌ ସବୁଠୁ ମହଙ୍ଗା ହଂକଂରେ। ଏହି ଦେଶରେ ୧ ଲିଟର ପେଟ୍ରୋଲ ମୂଲ୍ୟ ୩.୨୧୨ ଡଲାର ଅର୍ଥାତ ୨୬୮ ଟଙ୍କା ୬ ପଇସା। ଆୟର୍ଲ୍ୟାଣ୍ଡ, ଫିନ୍‌ଲ୍ୟାଣ୍ଡ, ଜର୍ମାନୀ, ବ୍ରିଟେନ, କାନାଡ଼ା, ଦକ୍ଷିଣ ଆଫ୍ରିକା, ତୁର୍କୀ ଓ ଦକ୍ଷିଣ କୋରିଆରେ ପେଟ୍ରୋଲ୍‌ ଦର ଭାରତ ଠାରୁ ଅଧିକ ରହିଛି।