ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ର ଦାମ୍ ପୁଣି ଥରେ ବଢ଼ିବା ଆରମ୍ଭ ହୋଇଥିବା ବେଳେ ଏହା ଉପରୁ ଟିକସ କମାଇବାର କୌଣସି ଯୋଜନା ନାହିଁ ବୋଲି ସରକାର ସ୍ପଷ୍ଟ କରିଦେଇଛନ୍ତି। ପେଟ୍ରୋଲ୍ ଓ ଡିଜେଲ୍ ଉପରୁ କେନ୍ଦ୍ର ସରକାର ଟିକସ କମ୍ କରିବେ ନାହିଁ। ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା କହିଛନ୍ତି। ସେ କହିଛନ୍ତି, ପେଟ୍ରୋଲ୍ ଓ ଡିଜେଲ୍ ଉପରୁ ଟିକସ କମ୍ କରିବାର କୌଣସି ପ୍ରସ୍ତାବ ନାହିଁ। ଏହି ଦୁଇ ପ୍ରକାର ଇନ୍ଧନ ଉପରେ ନୂତନ ଟିକସ ଲାଗୁ କରିବାର ମଧ୍ୟ କୌଣସି ଯୋଜନା ନାହିଁ ବୋଲି ସେ କହିଛନ୍ତି। ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ଲାଗୁ କରିଛନ୍ତି। ବର୍ତ୍ତମାନ ସର୍ବଭାରତୀୟ ସ୍ତରରେ ୭୩-୭୪ ଟଙ୍କାରେ ଉପଲବ୍ଧ ହେଉଥିବା ଏକ ଲିଟର ପେଟ୍ରୋଲ୍ରେ ପାଖାପାଖି ୩୫ ଟଙ୍କାର ଟିକସ ଲାଗୁ କରାଯାଇଛି। ତେଲ ଦାମ୍କୁ ଜିଏସ୍ଟି ଅଧୀନକୁ ଆଣିବାର କିଛି ଯୋଜନା ଅଛି କି ନାହିଁ ବୋଲି ପ୍ରଶ୍ନ କରାଯିବାରୁ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଏବେ ପେଟ୍ରୋଲ୍ ଓ ଡିଜେଲ୍ ଜିଏସ୍ଟିର ଶୂନ ବର୍ଗରେ ଅଛି। ଏହା ଉପରେ ଜିଏସ୍ଟିର କେଉଁ ସ୍ଲାବ୍ ଲାଗୁ କରାଯିବ ସେ ନିଷ୍ପତ୍ତି ଜିଏସ୍ଟି ପରିଷଦ ହିଁ ଗ୍ରହଣ କରିବ। ଜିଏସ୍ଟି ପରିଷଦରେ ଅର୍ଥମନ୍ତ୍ରୀଙ୍କ ବ୍ୟତୀତ ସବୁ ରାଜ୍ୟର ଅର୍ଥମନ୍ତ୍ରୀ ସଦସ୍ୟ ଅଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟର ମିଳିତ ସହମତିରେ ପରିଷଦର ବୈଠକରେ ଜିଏସ୍ଟି ସମ୍ପର୍କିତ ନିଷ୍ପତ୍ତି ଗ୍ରହଣ କରାଯାଇଥାଏ। ପେଟ୍ରୋଲ୍ ଓ ଡିଜେଲ୍ ଭଳି ପେଟ୍ରୋଲିୟମ୍ ସାମଗ୍ରୀକୁ ଜିଏସ୍ଟିରେ ସାମିଲ କରିବା ଲାଗି ଦୀର୍ଘ ଦିନରୁ ଦାବି ହେଉଛି।
ଭୁବନେଶ୍ବରରେ ପେଟ୍ରୋଲର ଲିଟର ପିଛା ଦାମ୍ ୭୩ ଟଙ୍କା ୯୭ ପଇସା ରହିଥିବା ବେଳେ ଦିଲ୍ଲୀରେ ତାହା ୭୪ ଟଙ୍କା ୯୧ ରହିଛି। ମୁମ୍ବାଇରେ ପେଟ୍ରୋଲ୍ ଦାମ୍ ସର୍ବାଧିକ ୮୦ ଟଙ୍କା ୫୯ ପଇସା ରହିଛି। ସେହିପରି ଭୁବନେଶ୍ବରରେ ଡିଜେଲ୍ର ଲିଟର ପ୍ରତି ଦର ୭୦ ଟଙ୍କା ୬୦ ପଇସା ରହିଥିବା ବେଳେ ଦେଶର ଅନ୍ୟ ପ୍ରମୁଖ ସହରଗୁଡ଼ିକରେ ତାହା ୬୫-୬୮ ଟଙ୍କା ସ୍ତରରେ ରହିଛି। ଗତ ମାସ ଶେଷ ସପ୍ତାହରେ ପେଟ୍ରୋଲ୍ ଦାମ୍ରେ ବୃଦ୍ଧିର ଧାରା ଆରମ୍ଭ ହୋଇଥିଲା। ବିଗତ ୩୦ ଦିନ ଭିତରେ ପେଟ୍ରୋଲ୍ ଦାମ୍ ୨ ଟଙ୍କାରୁ ଅଧିକ ବଢ଼ିଗଲାଣି।