ପେଟ୍ରୋଲ୍‌ ଦର ୭୪ ଟଙ୍କା ଟପିଲା

ଭୁବନେଶ୍ୱର: ତେଲ କଂପାନିଗୁଡ଼ିକ ପେଟ୍ରୋଲ୍‌ ଓ ଡିଜେଲ ମୂଲ୍ୟକୁ ପୁଣି ବଢ଼ାଇବା ଆରମ୍ଭ କରିଛନ୍ତି। ଦରବୃଦ୍ଧି କ୍ରମାଗତ ତୃତୀୟ ଦିନରେ ପହଞ୍ଚିଛି। ଭୁବନେଶ୍ୱରରେ ପେଟ୍ରୋଲ୍‌ର ଲିଟର ପିଛା ଦର ୭୪ ଟଙ୍କା ଅତିକ୍ରମ କରିଛି। ସହରରେ ଏକ ଲିଟର ପେଟ୍ରୋଲ୍‌ କିଣିବାକୁ ୭୪ ଟଙ୍କା ୧୫ ପଇସା ଗଣିବାକୁ ପଡୁଛି। କର୍ଣ୍ଣାଟକ ନିର୍ବାଚନକୁ ଦୃଷ୍ଟିରେ ରଖି ତେଲ କଂପାନିଗୁଡ଼ିକ ପେଟ୍ରୋଲ୍‌ ଓ ଡିଜେଲ ଦରକୁ ପାଖାପାଖି ୧୬ ଦିନ ପର୍ଯ୍ୟନ୍ତ ବଢ଼ାଇ ନଥିଲେ। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଦର ପୁଣି ବଢ଼ିବା ଆରମ୍ଭ ହୋଇଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୭୯.୪୭ ଡଲାରରୁ ଅଧିକ ରହୁଛି। ଏହା ବ୍ୟତୀତ ଡଲାର ତୁଳନାରେ ଟଙ୍କା ଅଧିକ ଦୁର୍ବଳ ହୋଇପଡ଼ିବାରୁ ଅଶୋଧିତ ତେଲ କିଣିବା ପାଇଁ କଂପାନିଗୁଡ଼ିକୁ ଅଧିକ ଖର୍ଚ କରିବାକୁ ପଡୁଛି। ଏହି ଦୁଇ ପ୍ରମୁଖ କାରଣ ଯୋଗୁଁ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ି ଚାଲିଛି।

ଦିଲ୍ଲୀରେ ପେଟ୍ରୋଲ୍‌ର ଲିଟର ପିଛା ଦର ୭୫ ଟଙ୍କା ୧୦ ପଇସା ହୋଇଥିବା ବେଳେ କୋଲକାତାରେ ୭୭ ଟଙ୍କା ୭୯ ପଇସା, ମୁମ୍ବାଇରେ ୮୨ ଟଙ୍କା ୯୪ ପଇସା ଓ ଚେନ୍ନାଇରେ ୭୭ ଟଙ୍କା ୯୩ ପଇସା ହୋଇଛି। ଦେଶର ସବୁ ମେଟ୍ରୋ ସହର ତୁଳନାରେ ଭୁବନେଶ୍ୱରେ ଡିଜେଲ ଦର ଅଧିକ ରହିଛି। ଦିଲ୍ଲୀରେ ଡିଜେଲର ଲିଟର ପିଛା ଦର ୬୬ ଟଙ୍କା ୫୭ ପଇସା, ମୁମ୍ବାଇରେ ୭୦ ଟଙ୍କା ୮୮ ପଇସା, କୋଲକାତାରେ ୬୯ ଟଙ୍କା ୧୧ ପଇସା ଓ ଚେନ୍ନାଇରେ ୭୦ ଟଙ୍କା ୨୫ ପଇସା ରହିଛି। କିନ୍ତୁ ଭୁବନେଶ୍ୱରରେ ଡିଜେଲର ଲିଟର ପିଛା ଦର ୭୧ ଟଙ୍କା ୫୯ ପଇସା ରହିଛି। ଏକ ଆକଳନରୁ ଜଣାପଡ଼ିଛି ଯେ କର୍ଣ୍ଣାଟକ ନିର୍ବାଚନ ଯୋଗୁଁ ଯେତିକି ଦିନ ତେଲ କଂପାନିଗୁଡ଼ିକ ପେଟ୍ରୋଲ୍‌ ଓ ଡିଜେଲ ଦର ବଢ଼ାଇନଥିଲେ ସେହି ସମୟ ଭିତରେ ସେମାନଙ୍କର ୫୦୦ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଛି। କେଉଁ ଚାପରେ ତେଲ କଂପାନିଗୁଡ଼ିକ ଦର ବୃଦ୍ଧି ଅଟକାଇଥିଲେ ତାହା ସ୍ପଷ୍ଟ କରୁନାହାନ୍ତି। ଏଥିରେ ସରକାରଙ୍କ ଅଦୃଶ୍ୟ ହାତ ଥିବା କଥାକୁ ଅସ୍ୱୀକାର କରିହେବନାହିଁ।

ସମ୍ବନ୍ଧିତ ଖବର