ପେଟ୍ରୋଲ୍ ୮୦ ଟଙ୍କା ଟପିଲା, କେନ୍ଦ୍ରକୁ କଂଗ୍ରେସର ସମାଲୋଚନା

ଡିଜେଲ୍ ଦାମ୍ ୭୭ ଟଙ୍କାରୁ ଅଧିକ

ଭୁବନେଶ୍ବର: ପେଟ୍ରୋଲ୍ ଓ ଡିଜେଲ୍ ଦରରେ ବୃଦ୍ଧିର ଧାରା ଜାରି ରହିଛି। ଏକ ଲିଟର ପେଟ୍ରୋଲ୍ ଦାମ୍ ୮୦ ଟଙ୍କାରୁ ଅଧିକ ହୋଇଯାଇଛି। ରାଜଧାନୀର ପେଟ୍ରୋଲ୍ ପମ୍ପ୍‌ରେ ପେଟ୍ରୋଲ୍‌ର ଲିଟର ପିଛା ଦାମ୍ ୮୦ ଟଙ୍କା ୧୩ ପଇସା ହୋଇଛି। ସେହି ସମୟରେ ଡିଜେଲ୍ ଦାମ୍‌ ମଧ୍ୟ ୭୭ ଟଙ୍କା ସ୍ତର ଅତିକ୍ରମ କରିଯାଇଛି। ଏକ ଲିଟର ଡିଜେଲ କିଣିବା ଲାଗି ୭୪ ଟଙ୍କା ୪ ପଇସା ଗଣିବାକୁ ପଡ଼ୁଛି। ଗତ ୧୬ ଦିନ ଧରି କ୍ରମାଗତ ଭାବେ ଉଭୟ ପେଟ୍ରୋଲ୍ ଓ ଡିଜେଲ୍‌ ଦାମ୍ ବଢ଼ୁଛି। ଇତି ମଧ୍ୟରେ ପେଟ୍ରୋଲ୍‌ ଦର ୮ ଟଙ୍କା ୩୦ ପଇସା ଓ ଡିଜେଲ୍‌ ଦାମ୍‌ରେ ୯ ଟଙ୍କା ୪୬ ପଇସାର ବୃଦ୍ଧି ହୋଇଛି। ୨୦୦୨ ଏପ୍ରିଲ୍‌ରେ ତେଲ ଦର ନିର୍ଧାରଣ ପ୍ରକ୍ରିୟା ସରକାରଙ୍କ ନିୟନ୍ତ୍ରଣରୁ ମୁକ୍ତ ହେବା ପରଠାରୁ ତେଲ ଦରରେ ଏଭଳି ବଡ଼ ଧରଣର ବୃଦ୍ଧି କେବେ ଦେଖିବାକୁ ମିଳିନଥିଲା। ତେଲ ଦରରେ ହ୍ରାସ କିମ୍ବା ବୃଦ୍ଧି ଦୁଇଟି ବିଷୟ ଉପରେ ନିର୍ଭର କରୁଛି। ପ୍ରଥମଟି ହେଉଛି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ଦାମ୍ ଏବଂ ଦ୍ବିତୀୟଟି ହେଉଛି ଡଲାର ମୂଲ୍ୟ। ଏବେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୪୦ ଡଲାରରୁ ଅଧିକ ରହିଛି। ସେହି ସମୟରେ ଏକ ଡଲାର ମୂଲ୍ୟ ୭୬ ଟଙ୍କାରୁ ଅଧିକ ରହିଛି। ଗତ କିଛି ମାସ ଭିତରେ ଉଭୟ ଅଶୋଧିତ ତୈଳ ଓ ଡଲାର ଅପେକ୍ଷାକୃତ ମହଙ୍ଗା ହୋଇଛି। ପେଟ୍ରୋଲ୍ ଓ ଡିଜେଲ୍ ଦର ବଢ଼ାଇବାରେ ଏହା ଯେତିକି ଦାୟୀ ନୁହଁ ତା’ଠାରୁ ଅଧିକ ଦାୟୀ ହେଉଛି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଦାୟ କରୁଥିବା ଟିକସ। ଏକ ଲିଟର ପେଟ୍ରୋଲ୍ ଉପରୁ ୫୦ ଟଙ୍କା ୬୯ ପଇସାର ଟିକସ ଆଦାୟ କରାଯାଉଛି। କେନ୍ଦ୍ର ସରକାର ୩୨ ଟଙ୍କା ୯୮ ପଇସାର ଟିକସ ବସାଇଥିବା ବେଳେ ରାଜ୍ୟ ସରକାର ୧୭ ଟଙ୍କା ୭୧ ପଇସାର ଭାଟ୍‌ ଆଦାୟ କରୁଛନ୍ତି। ଗତ ତିନି ମାସ ଭିତରେ କେନ୍ଦ୍ର ସରକାର ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଦୁଇ ଥର ଟିକସ ବଢ଼ାଇଛନ୍ତି। ଡିଜେଲ୍ ଉପରେ ୪୯ ଟଙ୍କା ୪୩ ପଇସାର ଟିକସ ଲଗାଯାଇଛି। କେନ୍ଦ୍ର ସରକାର ୩୧ ଟଙ୍କା ୮୩ ପଇସା ଓ ରାଜ୍ୟ ସରକାର ୧୭ ଟଙ୍କା ୬୦ ପଇସାର ଟିକସ ଆଦାୟ କରୁଛନ୍ତି।

କରୋନା ସଙ୍କଟ ମୁକାବିଲା ଲାଗି ଘୋଷଣା କରାଯାଇଥିବା ଲକ୍‌ଡାଉନ୍ ପ୍ରଭାବରେ ସାରା ବିଶ୍ବରେ ତେଲ ଚାହିଦା ହ୍ରାସ ପାଇଥିଲା। ସ୍ଥିତି ଏଭଳି ହୋଇଥିଲା ଯେ ଆମେରିକାରେ ତେଲ ଦାମ୍ ବିଯୁକ୍ତ ୩୭ ଡଲାରକୁ ଖସିଥିଲା। କିନ୍ତୁ ଗତ ମାସ ଠାରୁ ଧୀରେ ଧୀରେ ବିଶ୍ବର ବିଭିନ୍ନ ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପ ଜୋର ଧରୁଥିବାରୁ ତେଲ ଚାହିଦା ବଢ଼ିବାରେ ଲାଗିଛି। ସେଥିପାଇଁ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୪୨ ଡଲାର ପାଖାପାଖି ପହଞ୍ଚିଯାଇଛି। ତେଲ ଦାମ୍‌କୁ ଉଚ୍ଚ ସ୍ତରରେ ରଖିବା ଲାଗି ତେଲ ଉତ୍ପାଦନ କରୁଥିବା ରାଷ୍ଟ୍ରଗୁଡ଼ିକର ସଂଘ ଓପେକ୍ ଓ ରୁଷିଆ ମିଳିତ ଭାବେ ଉତ୍ପାଦନ କମ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବଜାରକୁ କମ୍ ତେଲ ଆସିଲେ ଯଦି ‌େସହି ସମୟରେ ଚାହିଦା ଅଧିକ ରହିବ ତେବେ ଦାମ୍ ନିଶ୍ଚିତ ବଢ଼ିବ। ସେହି ଭାବନା ରଖି ଓପେକ୍ ଓ ରୁଷିଆ ନିଜର ତୈଳ ଉତ୍ପାଦନ ହ୍ରାସ କରିଛନ୍ତି। ଏହି ଦେଶଗୁଡ଼ିକର ଅର୍ଥନୀତି ତେଲ ବେପାର ଉପରେ ଅତ୍ୟଧିକ ନିର୍ଭରଶୀଳ ଥିବାରୁ ସେମାନେ ଯେକୌଣସି ଉପାୟରେ ଅଶୋଧିତ ତେଲ ‌ଦାମ୍‌କୁ ଉଚ୍ଚ ସ୍ତରରେ ରଖିବାକୁ ଚାହୁଛନ୍ତି। ମାତ୍ର ନିଜ ଚାହିଦାର ୮୦% ଆବଶ୍ୟକତାକୁ ଆମଦାନି ଜରିଆରେ ପୂରଣ କରୁଥିବା ଭାରତ ଲାଗି ଏହା ଏକ ବଡ଼ ସମସ୍ୟା।

କେନ୍ଦ୍ରକୁ କଂଗ୍ରେସର ସମାଲୋଚନା
ନୂଆଦିଲ୍ଲୀ: ତୈଳ ଦର ବୃଦ୍ଧିକୁ ନେଇ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ତୈଳ ମନ୍ତ୍ରୀ ଏମ୍ ବିରପ୍ପା ମୋଇଲି କେନ୍ଦ୍ର ସରକାରଙ୍କୁ ସମା‌ଲୋଚନା କରିଛନ୍ତି। ସେ କହିଛନ୍ତି, କରୋନା ମହାମାରୀ ଦିନକୁ ଦିନ ବ୍ୟାପୁଥିବା ବେଳେ ଅର୍ଥନୀତିକୁ ଦୁର୍ବଳ କରୁଛି। ଏଭଳି ସମୟରେ ସରକାର ଲୋକମାନଙ୍କୁ ଲୁଟୁଛନ୍ତି ଏବଂ ସେମାନଙ୍କ ଆଖିରୁ ଲୁହ ଝରାଉଛନ୍ତି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦାମ୍ କମ୍ ରହିବା ସତ୍ତ୍ବେ ପେଟ୍ରୋଲ୍ ଓ ଡିଜେଲ୍‌ ଦାମ୍‌ରେ ମୋଦୀ ସରକାର କରୁଥିବା ବୃଦ୍ଧି ବେଶ ଦୁଃଖଦାୟକ। କୂଟନୈତିକ ସ୍ତରରେ ମଧ୍ୟ ଭାରତ କିଭଳି ବିଫଳ ହୋଇଛି ତାହା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି। ଚୀନ୍, ପାକିସ୍ତାନ ଓ ନେପାଳ ଭଳି ପଡ଼ୋଶୀ ରାଷ୍ଟ୍ର ଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ ସବୁ ଠାରେ ଭାରତର କୂଟନୈତିକ ପରାଜୟ ହୋଇଛି। ଜବାହାରଲାଲ‌ ନେହେରୁ, ଇନ୍ଦୀରା ଗାନ୍ଧୀ, ରାଜୀବ ଗାନ୍ଧୀ ଓ ମନମୋହନ ସିଂହଙ୍କ ସମୟରେ କୂଟନୈତିକ ସ୍ତରରେ ଭାରତ ବହୁତ ଉଚ୍ଚ ସ୍ଥାନରେ ଥିଲା ବୋଲି ମୋଇଲି କହିଛନ୍ତି।

ସମ୍ବନ୍ଧିତ ଖବର