ପେଟ୍ରୋଲ ନେଇ ମାନସମନ୍ଥନ: ଟିକସ କମା‌ଇବା ପ୍ରସ୍ତାବ ଉପରେ ଆଲୋଚନା, ଏଲ୍‌ପିଜି ଉପରେ ପୁଣି ସବ୍‌ସିଡି

ନୂଆଦିଲ୍ଲୀ: ପେଟ୍ରୋଲ୍ ଓ ଡିଜେଲ୍ ‌ଦାମ୍‌ରେ ହେଉଥିବା ଲଗାତାର ବୃଦ୍ଧିକୁ ନେଇ ଏକପ୍ରକାର ଅଣନିଶ୍ବାସୀ ହୋଇପଡ଼ିଥିବା ସାଧାରଣ ଜନତାଙ୍କୁ ଖୁବ୍‌ଶୀଘ୍ର ଏହି ସମସ୍ୟାରୁ ଆଶ୍ବସ୍ତି ମିଳିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ପେଟ୍ରୋଲିୟମ୍ ସାମଗ୍ରୀ ଯଥା ପେଟ୍ରୋଲ୍‌ ଓ ଡିଜେଲ୍ ଆଦିର ଦାମ୍‌ କିଭଳି ହ୍ରାସ ପାଇବ ତାହାକୁ ନେଇ ସରକାରୀ ସ୍ତରରେ ବଡ଼ ଧରଣର ମାନସମନ୍ଥନ ଆରମ୍ଭ ହୋଇଛି। ଅର୍ଥ ମନ୍ତ୍ରଣାଳୟ ସହ ଏନେଇ ଆଲୋଚନା କରାଯାଉଛି। କେଉଁ ଉପାୟରେ ତେଲ ଦାମ୍ ହ୍ରାସ ପାଇବ ତାହାକୁ ନେଇ ବିଭିନ୍ନ ବିକଳ୍ପ ଉପରେ ଆଲୋଚନା କରାଯାଉଛି।

ସାରା ଦେଶରେ ପେଟ୍ରୋଲ୍ ଦାମ୍ ୧୦୦ ଟଙ୍କାରୁ ଅଧିକ ଦାମ୍‌ରେ ବିକ୍ରି ହେଉଥିବା ବେଳେ ଡଜନେ ପାଖାପାଖି ରାଜ୍ୟରେ ଡିଜେଲ୍ ଦାମ୍ ମଧ୍ୟ ୧୦୦ ଟଙ୍କା ସ୍ତର ଅତିକ୍ରମ କରିଛି। ତୈଳ ଦରବୃଦ୍ଧି ଜନ ଅସନ୍ତୋଷ ସୃଷ୍ଟି କରିଛି। ଏହାକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି। ତୈଳ ଦର ହ୍ରାସ ପାଉ ବୋଲି ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ଚାହୁଛି। ସେଥିପାଇଁ ଏହା ଅର୍ଥ ମନ୍ତ୍ରଣାଳୟ ସହ ବିଭିନ୍ନ ବିକଳ୍ପ ବିଷୟରେ ଆଲୋଚନା କରୁଛି। ତେଲରେ ଚଢ଼ା ଟିକସ ସବୁଠୁ ବଡ଼ ସମସ୍ୟା ବୋଲି ପେଟ୍ରୋଲିୟମ୍ ମନ୍ତ୍ରଣାଳୟ କହିଛି। ଏହା ହ୍ରାସ ପାଇଲେ ଗ୍ରାହକଙ୍କୁ କିଛିଟା ଆଶ୍ବସ୍ତି ମିଳିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଅର୍ଥ ମନ୍ତ୍ରଣାଳୟକୁ ଅବଗତ କରାଯାଇଛି। ତୈଳ ଦର ହ୍ରାସ ପାଉ ବୋଲି ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ଚାହୁଥିଲେ ମଧ୍ୟ ଟିକସ ସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ଅର୍ଥ ମନ୍ତ୍ରଣାଳୟ ଗ୍ରହଣ କରିଥାଏ। ତେଣୁ ସବୁ କିଛି ଅର୍ଥ ମନ୍ତ୍ରଣାଳୟର ନିଷ୍ପତ୍ତି ଉପରେ ନିର୍ଭର କରୁଛି।
କମ୍ ଦାମ୍‌ରେ କିଭଳି ଅଶୋଧିତ ତୈଳ କିଣାଯାଇପାରିବ ସେ ନେଇ ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ପକ୍ଷରୁ ସାଉଦି ଆରବ ଓ ରୁଷିଆ ସହିତ ଆଲୋଚନା କରାଯାଉଛି। ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୭୦ ଡଲାର ଭିତରେ ରହୁ ବୋଲି ଭାରତ ଚାହୁଛି। ଆସନ୍ତା ତିନି ମାସ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ପ୍ରସ୍ତୁତ ହେଉଛି। ଏଲ୍‌ପିଜି ଉପରେ ପୁଣି ଥରେ ସବ୍‌ସିଡି ଦେବା ବିଷୟରେ ମଧ୍ୟ ସରକାର ବିଚାର କରୁଛନ୍ତି। ଏଥର କିନ୍ତୁ ନିହାତି ସହାୟତା ଆବଶ୍ୟକ କରୁଥିବା ଗ୍ରାହକମାନଙ୍କୁ ସବ୍‌ସିଡି ଦିଆଯିବ ବୋଲି ଜଣାପଡ଼ିଛି।

ଦେଶରେ ପେଟ୍ରୋଲ୍ ଦାମ୍ ବିମାନ ଇନ୍ଧନ (ଏଟିଏଫ୍) ଦର ଠାରୁ ୩୩ ପ୍ରତିଶତ ଅଧିକ ରହିଛି। ଏକ ଲିଟର ଏଟିଏଫ୍‌ ଦାମ୍ ୭୯ ଟଙ୍କା ହୋଇଥିବା ବେଳେ ଏକ ଲିଟର ପେଟ୍ରୋଲ୍ ଦାମ୍ ୧୦୫ ଟଙ୍କାରୁ ଅଧିକ ରହିଛି। ପେଟ୍ରୋଲ୍‌ ଉପରେ କେନ୍ଦ୍ର ସରକାର ୩୩ ଟଙ୍କାର ଟିକସ ଲଗାଇଥିବା ବେଳେ ରାଜ୍ୟ ସରକାର ପ୍ରାୟ ୨୪ ଟଙ୍କାର ଟିକସ ଅସୁଲ କରୁଛନ୍ତି। ପେଟ୍ରୋଲ୍‌ର ଖୁଚୁରା ଦାମ୍‌ର ପ୍ରାୟ ୬୦% ହେଉଛି ଟିକସ। ଏଭଳି ଚଢ଼ା ଦରର ଟିକସକୁ ବିରୋଧୀ ଦଳ ନେତାମାନେ କଡ଼ା ସମାଲୋଚନା କରିଛନ୍ତି। ଯେକୌଣସି ସାମଗ୍ରୀରେ ୩୩%ରୁ ଅଧିକ ଟିକସ ଲଗାଇବା ବଟି ଆଦାୟ ସହ ସମାନ ବୋଲି ଗତକାଲି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ୍ କହିଥିଲେ।‌ ସେହିପରି, ଅନ୍ୟତମ ପୂର୍ବତନ ଅର୍ଥମନ୍ତ୍ରୀ ଯଶୋବନ୍ତ ସିହ୍ନା କହିଛନ୍ତି ଯେ ତେଲ ଉପରେ ଲଗାଯାଇଥିବା ଟିକସ ଦିନ ଦ୍ବିପ୍ରହର‌ରେ ଲୁଟ୍ ସହ ସମାନ। ପେଟ୍ରୋଲ୍, ଡିଜେଲ୍ ଓ ଏଲ୍‌ପିଜି ଉପରେ ଏଭଳି ଦୈନିକ ଓ ଅଯୌକ୍ତିକ ବୃଦ୍ଧିକୁ ଅନ୍ୟ କୌଣସି ସ୍ଥାନରେ ଲୋକମାନେ ସହ୍ୟ କରିବେ ନାହିଁ ବୋଲି ସେ କହିଛନ୍ତି। ୨୦୧୪ରେ ତେଲରୁ ୭୫ ହଜାର କୋଟି ଟଙ୍କାର ଟିକସ ମିଳୁଥିବା ବେଳେ ଏବେ ସାଢ଼େ ତିନି ଲକ୍ଷ କୋଟି ସଂଗ୍ରହ ହେଉଥିବା ସେ ସୂଚନା ଦେଇଛନ୍ତି।

ତୈଳ ଦର ଚିନ୍ତାଜନକ: ନିର୍ମଳା
ନୂଆଦିଲ୍ଲୀ: ଆମେରିକା ଗସ୍ତରେ ଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଭାରତୀୟ ଅର୍ଥନୀତିରେ ହେଉଥିବା ସୁଧାର ପ୍ରତି ସବୁଠୁ ବଡ଼ ବିପଦ ହେଉଛି ତୈଳ ଦରରେ ବୃଦ୍ଧି। ଆନ୍ତର୍ଜାତିକ ବଜାରରେ ଏହାର ଦାମ୍ ଯେଉଁଭଳି ଭାବେ ବୃଦ୍ଧି ପାଉଛି ତାହା ମୋତେ ଓ ମୋ ଟିମ୍‌କୁ ଚିନ୍ତାରେ ପକାଇ ଦେଇଛି। ତୈଳ ଦର ଉପରେ ଆମେ ନଜର ରଖିଛୁ। ଏହି ଅନିଶ୍ଚିତତା ଆମ ପାଇଁ ବହୁତ ବଡ଼ ଆହ୍ବାନ ବୋଲି ସେ କହିଛନ୍ତି। ପ୍ରୋତ୍ସାହନ ପ୍ୟାକେଜ୍‌ ସମ୍ପର୍କରେ ସେ କହିଛନ୍ତି ଯେ ଏହାକୁ ଶୀଘ୍ର ପ୍ରତ୍ୟାହାର କରିବା ଲାଗି ସରକାରଙ୍କ କୌଣସି ଯୋଜନା ନାହିଁ। ଅର୍ଥନୀତିରେ ସୁଧାର ଲାଗି ଯଦି ଅଧିକ ସହାୟତା ଦରକାର ତାହା ଦେବାକୁ ଆମେ ପ୍ରସ୍ତୁତ ବୋଲି ସେ କହିଛନ୍ତି। ସ୍ବାସ୍ଥ୍ୟ ଭିତ୍ତିଭୂମି ଗଠନ କରିବା ଏବଂ ସାମାଜିକ ଭିତ୍ତିଭୂମିରେ ବ୍ୟୟ ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି। ଏଲ୍‌ଆଇସି ବିଷୟରେ ସେ କହିଛନ୍ତି ଯେ ଆଇପିଓକୁ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଆଣିବାକୁ ସରକାର ଉଦ୍ୟମ କରୁଛନ୍ତି। ଯଦି ସେଥିରେ କୌଣସି ବିଳମ୍ବ ହେବ ତାହା ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ହେଲା ବୋଲି କୁହାଯାଇପାରିବ ନାହିଁ। ଏଲ୍‌ଆଇସି ଏକ ୬୫ ବର୍ଷ ପୁରୁଣା ବୀମା କଂପାନି। ଏହାର ବଜାର ମୂଲ୍ୟ କେତେ ତାହା କେବେ ହିସାବ କରାଯାଇନଥିଲା। ସେହି କାମ କରିବାକୁ ସମୟ ଲାଗୁଛଇ ବୋଲି ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଛନ୍ତି।

ସମ୍ବନ୍ଧିତ ଖବର