ଭୁବନେଶ୍ୱର: ପେଟ୍ରୋଲ ଦର ପୁଣି ଥରେ ୭୦ ଟଙ୍କା ଟପିଛି। ଭୁବନେଶ୍ୱରରେ ପେଟ୍ରୋଲ ଦର ସୋମବାର ଲିଟର ପିଛା ୭୦ ଟଙ୍କା ୦୪ ପଇସାରେ ପହଞ୍ଚିଛି। ସେହିଭଳି ଡିଜେଲ ଦର ମଧ୍ୟ ଲିଟର ପିଛା ୬୬ ଟଙ୍କା ୨୨ ପଇସାରେ ପହଞ୍ଚି ଯାଇଛି। ୨୦୧୮ ମସିହାର ପ୍ରଥମ ୧୫ ଦିନର ପେଟ୍ରୋଲ ଓ ଡିଜେଲ ମୂଲ୍ୟକୁ ଏଠାରେ ବିଚାରକୁ ନିଆଯାଇ ପାରେ। ଚଳିତବର୍ଷ ଜାନୁଆରି ପହିଲାରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୬୮ ଟଙ୍କା ୬୫ ପଇସା ଥିବାବେଳେ ଇତିମଧ୍ୟରେ ଏଥିରେ ୧ ଟଙ୍କା ୧୯ ପଇସା ବଢ଼ି ସାରିଲାଣି। ସେହିଭଳି ଡିଜେଲ ମୂଲ୍ୟ ଜାନୁଆରି ପହିଲାରେ ୬୪ ଟଙ୍କା ୦୨ ପଇସା ଥିବାବେଳେ ଏବେ ଏହା ୬୬ ଟଙ୍କା ୨୨ ପଇସାରେ ପହଞ୍ଚି ଯାଇଛି। ପୂର୍ବରୁ ଦେଶର ଅଧିକାଂଶ ରାଜ୍ୟରେ ପେଟ୍ରୋଲ ଦର ୭୦ ଟଙ୍କା ଅତିକ୍ରମ କରିବା ପରେ ଡିଜେଲ ଦର ୬୦ ଟଙ୍କା ପାଖାପାଖି ହେବା ପରେ ଏହାକୁ ନେଇ ବିରୋଧୀ ଦଳ ଗୁଡ଼ିକ ହୋହଲ୍ଲା କରିଥିଲେ। ଏହାପରେ ଗତବର୍ଷ ଅକ୍ଟୋବର ୩ ତାରିଖରେ କେନ୍ଦ୍ର ସରକାର ବାଧ୍ୟ ହୋଇ ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦନ ଶୁଳ୍କ ଲିଟର ପିଛା ୨ ଟଙ୍କା ହ୍ରାସ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ଜୁନ୍‌ ୧୬ ତାରିଖରୁ ତେଲ କଂପାନିଗୁଡ଼ିକ ଦେଶବ୍ୟାପୀ ପ୍ରତିଦିନ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସଂଶୋଧନ କରି ଆସୁଛନ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦର ସହିତ ଟଙ୍କା ଓ ଡଲାର ମଧ୍ୟରେ ଥିବା ବିନିମୟ ମୂଲ୍ୟ ବିଚାରକୁ ନେଇ ସରକାରୀ ତେଲ କମ୍ପାନି ଗୁଡ଼ିକ ପ୍ରତିଦିନର ପେଟ୍ରୋଲ ଏବଂ ଡିଜେଲ ଦର ଘୋଷଣା କରୁଛନ୍ତି। ପ୍ରତ୍ୟହ ସକାଳ ୬ଟାରୁ ନୂଆ ଦର ଲାଗୁ ହେଉଛି।

Advertisment

ନୂଆଦିଲ୍ଲୀ ସମେତ ଅନ୍ୟ କେତେକ ସ୍ଥାନରେ କିଛି ଦିନ ପୂର୍ବରୁ ପେଟ୍ରୋଲ ଦର ଲିଟର ପିଛା ୭୦ ଟଙ୍କା ଅତିକ୍ରମ କରିଥିଲା। ବିଭିନ୍ନ କାରଣ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ନିୟମିତ ବୃଦ୍ଧି ଘଟୁଛି। ୨୦୧୪ ଡିସେମ୍ବର ପରେ ପ୍ରଥମ ଥର ପାଇଁ ଗତ ସପ୍ତାହରେ ବ୍ରେଣ୍ଡ୍‌ କ୍ରୁଡ୍‌ର ବ୍ୟାରେଲ ପିଛା ଦର ୭୦ ଡଲାରରୁ ଅଧିକ ହୋଇଛି। ଏହାର ପ୍ରଭାବ ଏବେ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ଉପରେ ପଡ଼ିଛିି। ଆଗାମୀ ଦିନରେ ମଧ୍ୟ ଏହି ଦର ବୃଦ୍ଧି ଜାରି ରହିବ ବୋଲି ଅନୁମାନ କରାଯାଉଛି।