ତେ‌ଲ ବଜାରରେ ବିଚିତ୍ର ସ୍ଥିତି : ବଢ଼ୁଛି ପେଟ୍ରୋଲ, କମୁଛି ଡିଜେଲ

ନଭେମ୍ବରରେ ପେଟ୍ରୋଲ ବଢ଼ିଛି ୧ ଟଙ୍କା ୬୬, ଡିଜେଲ କମିଛି ୭ ପଇସା

ଭୁବନେଶ୍ବର: ପେଟ୍ରୋଲ ଏବଂ ଡିଜେଲ ବଜାରରେ ଏବେ ବିଚିତ୍ର ସ୍ଥିତି ଦେଖିବାକୁ ମିଳୁଛି। ଗୋଟିଏ ପଟେ ପେଟ୍ରୋଲ ଦର ବଢ଼ୁଛି। ଅନ୍ୟପଟେ ଡିଜେଲ ଦର କମୁଛି। ୨୦୧୭ ଜୁନ୍ ୧୬ରୁ ସରକାରୀ ତେଲ କମ୍ପାନି ଗୁଡ଼ିକ ପ୍ରତିଦିନ ପେଟ୍ରୋଲ ଏବଂ ଡିଜେଲ ଦର ସଂଶୋଧନ କରୁଛନ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଏବଂ ଡିଜେଲ ତୁଳନାରେ ଟଙ୍କାର ବିନିମୟ ମୂଲ୍ୟକୁ ହିସାବ କରି କମ୍ପାନି ଗୁଡ଼ିକ ଏହା କରିଆସୁଛନ୍ତି। ଏଥିଯୋଗୁ ପ୍ରତିଦିନ ସକାଳ ୬ଟାରେ ପେଟ୍ରୋଲ ଟାଙ୍କିରେ ନୂଆ ଦର ଲାଗୁ ହେଉଛି।

୨୦୧୭ ଜୁନ୍‌ ୧୬ରୁ ତେଲ ଟାଙ୍କି ଗୁଡ଼ିକରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିବା, କମିବା କିମ୍ବା ଗୋଟିଏ କମିଲେ ବା ବଢ଼ିଲେ ଅନ୍ୟଟି ସ୍ଥିର ରହୁଥିଲା। କିନ୍ତୁ ଗତ ୩ ଦିନ ହେଲା ପେଟ୍ରୋଲ ଦର ଲଗାତାର ବଢ଼ୁଛି। ଭୁବନେଶ୍ବରରେ ପେଟ୍ରୋଲ ଦର ଗତ ୨୧ ତାରିଖରେ ୭୩ ଟଙ୍କା ୨୪ ପଇସା ଥିଲା। ୨୨ ତାରିଖରେ ଏହା ୭୩ ଟଙ୍କା ୩୯, ୨୩ ତାରିଖରେ ୭୩ ଟଙ୍କା ୪୬ ଏବଂ ୨୪ ତାରିଖରେ ୭୩ ଟଙ୍କା ୫୮ ପଇସାକୁ ବୃଦ୍ଧି ପାଇଛି। ୨୧ରୁ ୨୪ ତାରିଖ ମଧ୍ୟରେ ପେଟ୍ରୋଲ ଦର ୩୪ ପଇସା ମହଙ୍ଗା ହୋଇଛି। କିନ୍ତୁ ଡିଜେଲ ଦର ଶେଷ ଥର ପାଇଁ ଗତ ୧୯ ତାରିଖରେ ୬ ପଇସା ବଢ଼ି ଲିଟର ପିଛା ୭୦ ଟଙ୍କା ୬୭ ପଇସା ରହିଥିଲା। ୨୨ ତାରିଖ ପର୍ଯ୍ୟନ୍ତ ଦର ସ୍ଥିର ରହିଥିଲା। କିନ୍ତୁ ୨୩ ତାରିଖରେ ଏହା ୭ ପଇସା ଏବଂ ୨୪ ତାରିଖରେ ୫ ପଇସା କମିଛି। ଫଳରେ ଭୁବନେଶ୍ବରରେ ଭାରତୀୟ ତୈଳ ନିଗମର ପେଟ୍ରୋଲ ପମ୍ପରେ ଡିଜେଲ ଦର ରବିବାର ୭୦ ଟଙ୍କା ୫୫ ପଇସାକୁ କମିଯାଇଛି। କେବଳ ସେତିକି ନୁହେଁ ନଭେମ୍ବର ପହିଲାରୁ ଏପର୍ଯ୍ୟନ୍ତ ପେଟ୍ରୋଲ ଦର ୧ ଟଙ୍କା ୬୬ ପଇସା ବଢ଼ିଯାଇଥିବାବେଳେ ଡିଜେଲ ଦର ୭ ପଇସା କମିଛି। ଅଶୋଧିତ ତେଲରୁ ଉଭୟ ପେଟ୍ରୋଲ ଏବଂ ଡିଜେଲ ଦର ପ୍ରସ୍ତୁତ ହେଉଛି। ଇତିମଧ୍ୟରେ ଟିକସରେ ‌ମଧ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ। ତେଣୁ ପେଟ୍ରୋଲ ଦର ବଢ଼ିବା ଏବଂ ଡିଜେଲ ଦର କମିବାକୁ ନେଇ ଗ୍ରାହକଙ୍କ ମନରେ ସନ୍ଦେହ ବ୍ୟକ୍ତ ହେଲାଣି। କେଉଁ କାରଣରୁ ବଜାରରେ ଏଭଳି ସ୍ଥିତି ଉପୁଜିଛି ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ଗ୍ରାହକମାନେ ପ୍ରଶ୍ନ ଉଠାଇଲେଣି। ତଥ୍ୟାଭିଜ୍ଞ ମହଲର କହିବାନୁଯାୟୀ, ମାନ୍ଦାବସ୍ଥା ପାଇଁ ଏବେ ଡିଜେଲ ଚାହିଦା ଉଭୟ ଜାତୀୟ ଏବଂ ଅନ୍ତର୍ଜାତୀୟ ବଜାରରେ କମିଛି। ତେଣୁ ଅନ୍ତର୍ଜାତୀୟ ବଜାରରେ ଡିଜେଲ ଦର କମୁଥିବାରୁ ଭାରତର ତୈଳ ବିଶୋଧନ କମ୍ପାନି ଗୁଡ଼ିକର ଡିଜେଲ ବିକ୍ରି ପ୍ରଭାବିତ ହେବା ଆଶଙ୍କାରେ ସେମାନେ ଏହାର ଦାମ୍ କମାଇଛନ୍ତି। ଯାହାର ପ୍ରଭାବ ଖାଉଟି ପେଟ୍ରୋଲ ପମ୍ପରେ ମଧ୍ୟ ଦେଖିବାକୁ ପାଉଛି। କିନ୍ତୁ ସାଧାରଣ ଗ୍ରାହକଟିଏ ଏହି ଯୁକ୍ତିକୁ ସହଜରେ ଗ୍ରହଣ କରିପାରୁନାହିଁ। ଏଭଳି ପରିସ୍ଥିତିରେ ସରକାରୀ ତେଲ କମ୍ପାନି ଗୁଡ଼ିକର ମୂଲ୍ୟ ନିର୍ଦ୍ଧାରଣର ସ୍ବଚ୍ଛତା ଉପରେ ଗ୍ରାହକ ଆଙ୍ଗୁଳି ଉଠାଇବା ଆରମ୍ଭ କରିଦେଲେଣି। ବିଦେଶରୁ କେତେ ଦରରେ ଭାରତ ଅଶୋଧିତ ତେଲ କିଣୁଛି। ବିଶୋଧନ ଖର୍ଚ୍ଚ କେତେ ପଡ଼ୁଛି? ପରିବହନ ଖର୍ଚ୍ଚ କେତେ? ଡିଲରମାନଙ୍କୁ କେତେ ଲାଭ ଦିଆଯାଉଛି ସେ ସମ୍ପର୍କରେ ସୂଚନା ଦେଉଛନ୍ତି। କିନ୍ତୁ ବିଶୋଧନ କମ୍ପାନି ଅଶୋଧିତ ତେଲକୁ ବିଶୋଧନ କରି ପେଟ୍ରୋଲ ଏବଂ ଡିଜେଲରେ ପରିଣତ କରିବା ପାଇଁ କେତେ ଖର୍ଚ୍ଚ ହେଉଛି ତାହାର କୌଣସି ହିସାବ ଏପର୍ଯ୍ୟନ୍ତ ମିଳୁନାହିଁ। ସରକାର ଏବେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିର ଘରୋଇକରଣ କରିବାକୁ ଯାଉଛନ୍ତି। ତେଣୁ ମାଲିକାନା ବଦଳିଲେ ଗ୍ରାହକଙ୍କୁ ଘରୋଇ କମ୍ପାନି ଆଖିବୁଜା ଶୋଷଣ କରିବା ଆଶଙ୍କା ରହିଛି।

ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠଙ୍କ କହିବାନୁଯାୟୀ, ଭାରତରେ ଡିଜେଲ ଚାହିଦା ୨୫% ହ୍ରାସ ପାଇଛି। ଏଥିସହିତ ବିଶ୍ବ ବଜାରରେ ମଧ୍ୟ ଡିଜେଲ ଚାହିଦା କମିଛି। ଅନ୍ତର୍ଜାତୀୟ ବଜାରରେ ରେଡିମେଡ୍ ଡିଜେଲ କମି ଯାଇଥିବାରୁ ଭାରତୀୟ ବିଶୋଧନକାରୀମାନେ ବିକ୍ରି ପ୍ରଭାବିତ ହେବା ଆଶଙ୍କାରେ ଡିଜେଲ ମୂଲ୍ୟ କମାଉ ଥାଇପାରନ୍ତି। କିନ୍ତୁ ସରକାର ଅଶୋଧିତ ତେଲ କ୍ରୟଠାରୁ ଆରମ୍ଭ କରି ଗ୍ରାହକଙ୍କୁ ପେଟ୍ରୋଲ ଏବଂ ଡିଜେଲ ତେଲ ଟଙ୍କାରେ ବିକ୍ରି ପର୍ଯ୍ୟନ୍ତ କେଉଁ ବାବଦରେ କେତେ ଅର୍ଥ ଆଦାୟ କରାଯାଉଛି ତାହା ବୁଝାଇଦେବା ଆବଶ୍ୟକ। ଏହାହେଲେ ତୈଳ ବଜାରରେ ସ୍ବଚ୍ଛତା ରହିପାରିବ ବୋଲି ସେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର