ନୂଆଦିଲ୍ଲୀ: ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବଢ଼ିବାରେ ଲାଗିଛି। ବ୍ୟାରେଲ ପିଛା ଅଶୋଧିତ ତୈଳ ମୂଲ୍ୟ ୬୦ ଡଲାର ପାଖାପାଖି ପହଞ୍ଚିଗଲାଣି। ୨୦୧୫ ମଧ୍ୟ ଭାଗରେ ଦର ଏହି ସ୍ତରରେ ରହିଥିଲା। ଅଶୋଧିତ ତୈଳ ମହଙ୍ଗା ହେଉଥିବାରୁ ଆଗାମୀ ଦିନରେ ପେଟ୍ରୋଲ୍ ଏବଂ ଡିଜେଲ ଦର ବଢ଼ିବାର ଆଶଂକା ରହିଛି। ଖୁଚୁରା ବଜାରରେ ପେଟ୍ରୋଲର ଲିଟର ପିଛା ମୂଲ୍ୟ ଏବେ ୭୬-୭୭ ଟଙ୍କା ମଧ୍ୟରେ ରହିିଥିବା ବେଳେ ଡିଜେଲ ଦର ୬୧-୬୨ ଟଙ୍କା ସ୍ତରରେ ରହିଛି।
ବ୍ରେଣ୍ଟ୍ କ୍ରୁଡ୍ର ବ୍ୟାରେଲ୍ ପିଛା ମୂଲ୍ୟ ଆଜି ୫୯.୫୫ ଡଲାର ପାଖାପାଖି ପହଞ୍ଚିଛି। ୟୁଏସ୍ କ୍ରୁଡ୍ର ବ୍ୟାରେଲ ପିଛା ମୂଲ୍ୟ ୫୨.୩୬ ଡଲାର ରହିଛି। ୨୦୧୫ ଜୁଲାଇ ତୁଳନାରେ ବ୍ରେଣ୍ଟ୍ କ୍ରୁଡ୍ ମୂଲ୍ୟ ୩୮% ଅଧିକ ରହିବ। ସେହିପରି ୟୁଏସ୍ କ୍ରୁଡ୍ ମୂଲ୍ୟ ମଧ୍ୟ ୨୫% ଅଧିକ ରହିଛି।
ତୈଳ ଉତ୍ପାଦନକାରୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଉତ୍ପାଦନ କମ କରିବା ପାଇଁ ଯେଉଁ ନିଷ୍ପତ୍ତି ହୋଇଥିଲା ତାହାକୁ ବୃଦ୍ଧି କରାଯାଇଛି ଏବଂ ଇରାକରେ ଦେଖାଦେଇଥିବା ସଙ୍କଟ ଯୋଗୁଁ ଅଶୋଧିତ ତୈଳ ଦର ବୃଦ୍ଧି ପାଉଛି। ସାଉଦି ଆରବ ପକ୍ଷରୁ ମଧ୍ୟ ଉତ୍ପାଦନ ହ୍ରାସ ଜାରି ରହିବ ବୋଲି କୁହାଯିବା ପରେ ତେଲ ଦର ଆହୁରି ବଢ଼ିଛି।
ଯଦି ଓପେକ୍ ଏବଂ ଅଣ ଓପେକ୍ ତୈଳ ଉତ୍ପାଦନକାରୀ ରାଷ୍ଟ୍ରଗୁଡ଼ିକ ଉତ୍ପାଦନ କମ୍ କରିବା ଜାରି ରଖିବେ ତେବେ ଅଶୋଧିତ ତୈଳ ଦରରେ ଦେଖାଦେଇଥିବା ବୃଦ୍ଧି ଜାରି ରହିବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି।
ଆମେରିକାରେ ଉତ୍ପାଦନ ବୃଦ୍ଧି ଓପେକ୍ ରାଷ୍ଟ୍ରଗୁଡ଼ିକ ପାଇଁ ସମସ୍ୟା ସୃଷ୍ଟି କରୁଛି। ଅଧିକ ରାଷ୍ଟ୍ର ଆମେରିକୀୟ ଅଶୋଧିତ ତୈଳ କିଣିବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ଓପେକ୍ ରାଷ୍ଟ୍ରଗୁଡ଼ିକର ବଜାର ଅଂଶ ହ୍ରାସ ପାଇଛି।