ନୂଆଦିଲ୍ଲୀ: ଦେଶରେ ଏପ୍ରିଲ୍ ପହିଲାରୁ ଭାରତ ଷ୍ଟେଜ୍ (ବିଏସ୍) ୬ ନିୟମ ଲାଗୁ ହେବ। ଏହା ପରଠାରୁ ପେଟ୍ରୋଲ୍ ଓ ଡିଜେଲ୍ର ଲିଟର ପିଛା ଦାମ୍ ୫୦ ପଇସାରୁ ଏକ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବ। ବିଏସ୍-୬ ହେଉଛି ଗାଡ଼ି ଜନିତ ପ୍ରଦୂଷଣକୁ କମ୍ କରିବା ଲାଗି ଏକ କଠୋର ନିୟମ। ଏଥିରେ ସ୍ବଚ୍ଛ ଇନ୍ଧନ ବ୍ୟବହାର କରାଯିବାର ବ୍ୟବସ୍ଥା ରହିଛି। ବିଏସ୍-୬ ହେଉଛି ୟୁରୋ-୬ ମାନର ଇନ୍ଧନ। ଗାଡ଼ି ଜରିଆରେ ହେଉଥିବା ପ୍ରଦୂଷଣକୁ କମ୍ କରିବାରେ ଏହା ବିଶେଷ ସହାୟକ ହେବ। ୨୦୨୦ ଏପ୍ରିଲ୍ ଠାରୁ ସାରା ଦେଶରେ ଏହି ତେଲ ଯୋଗାଣ ଆରମ୍ଭ ହୋଇଯିବ। ଭାରତୀୟ ତୈଳ ନିଗମର ଅଧ୍ୟକ୍ଷ ସଞ୍ଜୀବ ସିଂହ କହିଛନ୍ତି ଯେ, କଂପାନିର ବିଶୋଧନାଗାରରେ ବିଏସ୍-୬ ମାନର ଇନ୍ଧନ ଉତ୍ପାଦନ ଆରମ୍ଭ ହୋଇଗଲାଣି। ଆସନ୍ତା ମାସ ଠାରୁ ତାହା ଡିପୋଗୁଡ଼ିକରେ ପହଞ୍ଚିବ। ଆସନ୍ତା ଏପ୍ରିଲ୍ ୧ ସୁଦ୍ଧା ଏହି ତେଲ ଦେଶର ସମସ୍ତ ଅଞ୍ଚଳରେ ପହଞ୍ଚାଇବାକୁ ଆମେ ପ୍ରତିବଦ୍ଧ ବୋଲି ସେ କହିଛନ୍ତି।
ବର୍ତ୍ତମାନ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦାମ୍ ୭୩.୩୬ ଟଙ୍କା ଓ ଡିଜେଲ୍ ୬୬.୩୬ ଟଙ୍କା ରହିଛି। ବିଏସ୍-୬ ମାନର ତୈଳ ଉତ୍ପାଦନ କରିଥିବା ଲାଗି ବିଶୋଧନାଗାରଗୁଡ଼ିକର ଉନ୍ନତୀକରଣ ବାବଦରେ ଇଣ୍ଡିଆନ୍ ଅଏଲ୍ ୧୭ ହଜାର କୋଟି ଟଙ୍କା ଖର୍ଚ କରିଛି। ତୈଳ ଶିଳ୍ପ ଜଗତ ଏବାବଦରେ ୩୦ ହଜାର କୋଟି ଟଙ୍କା ବିନିଯୋଗ କରିଛି। ପ୍ରଦୂଷଣକୁ ବିଚାରକୁ ନେଇ ୧୯୯୦ର ପ୍ରାରମ୍ଭରେ ଦେଶରେ ସ୍ବଚ୍ଛ ଇନ୍ଧନ ନିୟମ ଲାଗୁ କରାଯାଇଥିଲା। ବର୍ଷ ଗଡ଼ ଚାଲିବା ସହିତ ଏହି ନିୟମ କଠୋର ହୋଇଥିଲା। ୧୯୯୦ରେ ବିଏସ୍-୧, ୨୦୦୫ରେ ବିଏସ୍-୨, ୨୦୧୦ରେ ବିଏସ୍-୩ ଓ ୨୦୧୭ରେ ବିଏସ୍-୪ ନିୟମ ଲାଗୁ କରାଯାଇଥିଲା। ବିଏସ୍-୬ ନିୟମ ବଳଦରେ ସରକାର ସିଧାସଳଖ ବିଏସ୍-୬ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ଯାହା ଚଳିତ ବର୍ଷ ଏପ୍ରିଲ୍ରୁ ଲାଗୁ ହେବ। ବିଏସ୍-୬ ମାନର ତେଲ ହେଉଛି ବିଏସ୍-୬ ତୁଳନାରେ ଅଧିକ ସ୍ବଚ୍ଛ। ସେଥିରେ ସଲ୍ଫର୍ ମାତ୍ରା ୧୦ ପିପିଏମ୍ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/petrol-price.jpg)