୨ ବର୍ଷର ସର୍ବୋଚ୍ଚ ସ୍ତର‌ରେ ପହଞ୍ଚିଲା ପେଟ୍ରୋଲ ଦର

ଭୁବନେଶ୍ବରରେ ପେଟ୍ରୋଲ ୮୩ ଟଙ୍କା ୭୫, ଡିଜେଲ ୭୯ ଟଙ୍କା ୮୬

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ଚାରି ଦିନ ହେଲା ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଛି। ଫଳରେ ଦିଲ୍ଲୀରେ ଆଜି ପେଟ୍ରୋଲ ଦର ୮୩ ଟଙ୍କା ଟପି ୮୩ ଟଙ୍କା ୧୩ ପଇସା ଛୁଇଁଛି। ଦୀର୍ଘ ପ୍ରାୟ ଦୁଇ ବର୍ଷ ମଧ୍ୟରେ ଦିଲ୍ଲୀରେ ପେଟ୍ରୋଲର ଏହା ହେଉଛି ସର୍ବୋଚ୍ଚ ଦର। ଶୁକ୍ରବାର ତୁଳନାରେ ଶନିବାର ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୨୭ ପଇସା ଏବଂ ଡିଜେଲ ଦର ଲିଟର ପିଛା ୨୫ ପଇସା ବୃଦ୍ଧି ଘଟିଛି। ଆଜି ଡିଜେଲ ଦର ଦିଲ୍ଲୀରେ ଲିଟର ପିଛା ୭୩ ଟଙ୍କା ୩୨ ପଇସା ଛୁଇଁଛି। ୨୦୧୮ ସେପ୍ଟେମ୍ବର ଠାରୁ ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲର ଏହା ହେଉଛି ସର୍ବୋଚ୍ଚ ଦର। ‌ ଗତ ନଭେମ୍ବର ୨୦ ତାରିଖରୁ ଆଜି ସୁଦ୍ଧା ତୈଳ କମ୍ପାନି ଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ୧୩ ଥର ବୃଦ୍ଧି କଲେଣି। ଗତ ୧୬ ଦିନ ମଧ୍ୟରେ ପେଟ୍ରୋଲ ଦର ଲିଟର ପିଛା ୨ ଟଙ୍କା ୭ ପଇସା ଏବଂ ଡିଜେଲ ଦର ଲିଟର ପିଛା ୨ ଟଙ୍କା ୮୬ ପଇସା ମହଙ୍ଗା ହୋଇଯାଇଛି। କରୋନା ମହାମାରୀ ପାଇଁ ଟିକା ବାହାରିବା ଆଶା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧିର କାରଣ ବୋଲି ଆଇସିଆଇସିଆଇ ସିକ୍ୟୁରିଟିଜ୍‌ ପକ୍ଷରୁ କୁହାଯାଇଛି।

ଭୁବନେଶ୍ବରରେ ପେଟ୍ରୋଲ ୮୩ ଟଙ୍କା ୭୫, ଡିଜେଲ ୭୯ ଟଙ୍କା ୮୬
ଭୁବନେଶ୍ବର,: ଭୁବନେଶ୍ବରରେ ଭାରତୀୟ ତୈଳ ନିଗମ ପେଟ୍ରୋଲ ଟାଙ୍କିରେ ଆଜି ପେଟ୍ରୋଲ ଦର ଲିଟର ପିଛା ୨୭ ପଇସା ଏବଂ ଡିଜେଲ ଦର ଲିଟର ପିଛା ୨୮ ପଇସା ବଢ଼ିଛି। ଫଳରେ ଲିଟର ପିଛା ପେଟ୍ରୋଲ ଏବଂ ଡିଜେଲ ଦର ଯଥାକ୍ର‌େମେ ୮୩ ଟଙ୍କା ୭୫ ପଇସା ଏବଂ ୭୯ ଟଙ୍କା ୮୬ ପଇସାରେ ପହଞ୍ଚିଯାଇଛି। ପେଟ୍ରୋଲିୟମ ଉତ୍ପାଦ ଜିଏସ୍‌ଟି ପରିସରକୁ ଆସି ନଥିବାରୁ ବିଭିନ୍ନ ରାଜ୍ୟରେ ଦର ଭିନ୍ନ ଭିନ୍ନ ରହୁଛି। ଗତ ୨୦ ତାରିଖରୁ ଆଜି ସୁଦ୍ଧା ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୨ ଟଙ୍କା ୧୫ ପଇସା ଏବଂ ଡିଜେଲ ଦର ଲିଟର ପିଛା ୩ ଟଙ୍କା ୧୮ ପଇସା ମହଙ୍ଗା ହୋଇଛି।

ସମ୍ବନ୍ଧିତ ଖବର